ଗଣମାଧ୍ୟମର ଐତିହାସିକ ମତିଗତି ଜାଣିବାକୁ ହେଲେ ଅତି କମ୍‌ରେ ବର୍ତ୍ତମାନ ଦୁଇଟି ପନ୍ଥାର ସାହାଯ୍ୟ ନିଆଯାଇପାରେ। ଗୋଟିଏ ମୁଖ୍ୟସ୍ରୋତ ଗଣମାଧୢମର। ଅନ୍ୟଟି ବିକଳ୍ପ ଗଣମାଧୢମ, ସୋସିଆଲ ମିଡିଆର। ମୁଖ୍ୟସ୍ରୋତର ଗଣମାଧୢମ କହିଲେ ମୋଟାମୋଟି ଖବରକାଗଜ, ରେଡିଓ, ଟେଲିଭିଜନ, ଇଣ୍ଟରନେଟ୍‌ ଓ ପତ୍ରିକାଦି ବୁଝାଏ। ଏ ସବୁର ପହଞ୍ଚ ଓ ପ୍ରଭାବ ସମସ୍ତେ ଜାଣନ୍ତି। ଖବରକାଗଜ କଥା ଉଠିଲେ ଅନେକ ପ୍ରକାଶ କରନ୍ତି ଏଇଭଳି- ଯଦି ସେ ଖବରଟି ସମ୍ବାଦପତ୍ରରେ ବାହାରିଛି ତେବେ ତାହା ଅବଶ୍ୟ ସତ ହୋଇଥିବ! କାରଣ ସାଧାରଣତଃ ଧରିନିଆଯାଏ ଯେ ମୁଦ୍ରିତ ଶବ୍ଦ ଏକ ପ୍ରକାରେ ସତ୍ୟ ବଚନ, ବେଦର ଗାର! ପୁଣି ଯଦି କାହାଠାରୁ ଅଧିକରୁ ଅଧିକ ନିର୍ଭରଯୋଗ୍ୟ ଖବର ମିଳୁଥାଏ, ତା’ହେଲେ ସିଏ ପୁଣି ଥରେ ଦେଖାହେଲେ କୁହାଯାଏ- ଆରେ ଏଇ ଆସିଗଲେ ବି.ବି.ସି, ଆସିଗଲେ ପି.ଟି.ଆଇ। ଆମର ଆଉ ଖବରର ଅଭାବ ହେବନି। ଯେ କୌଣସି ଖବରକାଗଜ ଦ୍ବାରା କି କି କାର୍ଯ୍ୟ ସ˚ପାଦିତ ହୁଏ ପଚାରିଲେ ଉତ୍ତର ମିଳେ- ସମ୍ବାଦ ପରିବେଷଣ, ମତାମତ ଓ ଆଭିମୁଖ୍ୟ ଉପସ୍ଥାପନା, ଅଭିମତକୁ ଜାଗାଦେବା, ମନୋର˚ଜନରେ ସହାୟତା, ଗଣ ଯୋଗାଯୋଗରେ ଭୂମିକା ନିର୍ବାହ, ପାଠକ ପାଠିକାଙ୍କ ପାଇଁ ଶିକ୍ଷାପ୍ରଦ ସାବ୍ୟସ୍ତ ହେବା ଓ ସମସ୍ତଙ୍କୁ ବୃହତ୍ତର ବିକାଶ ପ୍ରକ୍ରିୟା ବାବଦରେ ଅବଗତ କରେଇବା ସା˚ଗକୁ ସେଥିରେ ସାମିଲ କରେଇବା। ଗଣମାଧୢମର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଭାବେ ଖବରକାଗଜ ମଧୢ ଚତୁର୍ଥ ସ୍ତମ୍ଭର କାମ କରେ। ରାଜନୀତିକ ସାକ୍ଷରତା ଓ ସଚେତନତା ବଢ଼ାଏ। ହେଲେ ବେଳେବେଳେ କେତେକ ଗଣମାଧୢମ ଏକାଧିକ କାରଣରୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହେବା ବଦଳରେ ନ୍ୟସ୍ତସ୍ବାର୍ଥ ସତ୍ତାର କୋଳାଶ୍ରିତ ପ୍ରତିନିଧି ହୋଇପଡ଼ନ୍ତି। ଗଠନମୂଳକ ପ୍ରତିବାଦ, ସମାଲୋଚନା ଓ ବିରୋଧ କଥା ଭୁଲିଯାଆନ୍ତି। କେତେବେଳେ କେତେବେଳେ ଖବର ତଥ୍ୟ ଓ ସତ୍ୟ ନହୋଇ ସାନ୍ଦ୍ର ଗୁଜବ ଓ ଦୂରଭିସନ୍ଧିମୂଳକ ସୂଚନାର ରୂପ ନେବା ଆଶଙ୍କା ସ˚ପୂର୍ଣ୍ଣ ମିଛ ବା ଅମୂଳକ ହୋଇନପାରେ। ସେ ଭଳି ପରିସ୍ଥିତିରେ ବୁଝିବାକୁ ପଡ଼େ ଖବର ମାନେ ପ୍ରଥମ ଚିଠା, ଫାଷ୍ଟ୍ ଡ୍ରାଫ୍‌ଟ। ଗୋଟେ ପଟେ ସତ୍ୟ ଓ ତଥ୍ୟ ତ ଆରପଟେ ଖବର ଓ ସୂଚନା। ଏ ଭଳି ଅବତାରଣାକୁ ପୃଷ୍ଠଭୂମିଗତ କରିବା ପାଇଁ ଦୁଇଟି ଉପାଖ୍ୟାନଧର୍ମୀ ଦୃଷ୍ଟାନ୍ତ ଦିଆଯାଏ। ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ କୁହାଯାଉଥିଲା- ଯଦି ତଥ୍ୟ ଓ ସତ୍ୟ ଖୋଜୁଥାନ୍ତି ତେବେ କାଗଜଟିର ଖେଳ ପୃଷ୍ଠା ଖେଳାନ୍ତୁ, ଲକ୍ଷ୍ମଣ୍‌ଙ୍କ କାର୍ଟୁନ୍‌ ଦେଖନ୍ତୁ; କାରଣ ଅନ୍ୟ ସବୁ ପୃଷ୍ଠାରେ ଖବର। ସେଇଭଳି ସୋଭିଏତ୍‌ ଦେଶ ସକ୍ରିୟ ଓ ଅସ୍ତିତ୍ବସ˚ପନ୍ନ ଥିଲାବେଳେ କୁହାଯାଉଥିଲା- ‘ଇଜ୍‌ଭେସ୍ତିଆ’ରେ ‘‘ପ୍ରଭ୍‌ଦା’’ ନଥାଏ କି ପ୍ରଭ୍‌ଦାରେ ନଥାଏ ଇଜ୍‌ଭେସ୍ତିଆ। ଇଜ୍‌ଭେସ୍ତିଆ (୧୯୧୭-୧୯୯୧) ଓ ପ୍ରଭ୍‌ଦା (୧୯୧୮-୧୯୯୧) ଥିଲା ସୋଭିଏତ୍‌ ଦେଶର ଦୁଇଟି ଜଣାଶୁଣା କାଗଜ। ପ୍ରଥମଟିର ମାନେ ଖବର, ବାର୍ତ୍ତା, ବିବରଣୀ। ଦ୍ବିତୀୟଟିର ଅର୍ଥ ସତ୍ୟ। ତେଣୁ ଅନେକଙ୍କୁ ଦୁଇଟିଯାକ କାଗଜ ପଢ଼ିବାକୁ ପଡୁଥିଲା। ଏବେ ଯେତେବେଳେ ପେଡ୍‌ ନ୍ୟୁଜ୍‌ ଓ ପ୍ରାୟୋଜିତ ଖବର ବିଷୟରେ ଅନେକ ସତ ମିଛ କାହାଣୀ ଶୁଣିବାକୁ ମିଳେ ସେତେବେଳେ ଆଉ କାମଳ ସାମ୍ବାଦିକତା, ଖବରର ପୂର୍ବାଗ୍ରହ ଓ ବାର୍ତ୍ତା ଅନ୍ତରାଳର କାର୍ଯ୍ୟସୂଚି ପ୍ରସଙ୍ଗ ହୁଏତ ଦେହସୁହା ଲାଗିପାରେ। ହେଲେ ଏ ସବୁ ବ୍ୟତିକ୍ରମ ନିୟମ ନୁହେଁ। ଗାନ୍ଧୀ ଓ ଗୋପବନ୍ଧୁ ମଧୢ ପତ୍ରକାରିତା ଜଗତ୍‌କୁ ଆସିଥିଲେ। ପତ୍ରକାରମାନେ ପ୍ରକୃତରେ କମ୍ପ୍ୟୁଟର ଓ କଲମ ଗରିଲା ଯେଉଁମାନେ କି ପାଠକପାଠିକା ଶୋଇଗଲା ପରେ ଚେଇଁ ରହି ଶ୍ରମ ଓ ସୃଜନୀ ବଳରେ ଯାହା ସମ୍ଭବ କରାନ୍ତି ତାହା ଶାରୀରିକ ଖବରକାଗଜ ଓ ଡିଜିଟାଲ୍‌ କାଗଜର ପୃଷ୍ଠା ମଣ୍ତନ କରି ଠିକଣା ସମୟରେ ସବୁଆଡ଼େ ପହଞ୍ଚିଯାଏ। ସରଳ, ଆଧୁନିକ, ଗଣତାନ୍ତ୍ରିକ ଓ ସମସାମୟିକ ଗଦ୍ୟ ପାଇଁ ପ୍ରକୃତ ପତ୍ରକାରିତାର ଅବଦାନ କିଛି କମ୍‌ ନୁହେଁ।

Advertisment

ସେଇ ଏକା ତାରିଖ, ଏକା ଅବସର; ହେଲେ ଦୁଇଟି ଅଲଗା ଅଲଗା ମସିହା। ୧୯୧୯ ମସିହାର ଅକ୍ଟୋବର ୪ ତାରିଖରେ ପଡ଼ିଥିଲା ବିଜୟା ଦଶମୀ। ଉତ୍କଳମଣି ଗୋପବନ୍ଧୁ ଦାସ ଆରମ୍ଭ କରିଥିଲେ ‘ସମାଜ’। ଚାରିପୃଷ୍ଠାର। ସେଥିରେ ଦୁର୍ଭିକ୍ଷ, ଉତ୍କଳ ସମ୍ମିଳନୀ, ସମବାୟ ଋଣ ସମିତି ଓ ଚାଇବସା ସ୍କୁଲ୍‌ରୁ ଓଡ଼ିଆ ଶିକ୍ଷା ଉଠାଇଦେବା ପ୍ରଭୃତି ଖବର ବାହାରିଥିଲା। ଆଉ ନିଜେ ଉତ୍କଳମଣି ଲେଖିଥିଲେ- ଆମ୍ଭମାନଙ୍କ ଏ ଦୁର୍ଦ୍ଦିନ ସବୁକାଳେ ରହିବ ନାହିଁ। ‘ସମାଜ’ର ଶୁଭାରମ୍ଭ ଅବସରରେ ସିଏ ସାନବଡ଼ ସକଳ ଶ୍ରେଣୀର ଲୋକଙ୍କୁ ଅନ୍ତରର ଗଭୀର ସ୍ନେହ ଓ ପ୍ରୀତି ଜଣାଇଥିଲେ। ୧୯୮୪ ମସିହାର ଅକ୍ଟୋବର ୪ ତାରିଖରେ ବି ପଡ଼ିଥିଲା ବିଜୟା ଦଶମୀ। ସେଇଦିନ ଆତ୍ମପ୍ରକାଶ କରିଥିଲା ଏଇ କାଗଜ- ‘ସମ୍ବାଦ’। ବାର ପୃଷ୍ଠାର। ଯାହାର ପ୍ରଥମ ସ˚ପାଦକ ଥିଲେ ପତ୍ରକାର ଓ ପ୍ରଖ୍ୟାତ ଗଦ୍ୟଶିଳ୍ପୀ ସୁରେନ୍ଦ୍ର ମହାନ୍ତି। କାଗଜଟିର ଷଷ୍ଠ ପୃଷ୍ଠାରେ ବାହାରିଥିଲା ‘ସୁପ୍ରଭାତ’ ନାଁରେ ସ˚ପାଦକୀୟ। ସେଥିରେ ମଧୢମପନ୍ଥାର ଆବଶ୍ୟକତା ଓ ଏକଦେଶଦର୍ଶୀ ଦୃଷ୍ଟିକୋଣର ଅସୁବିଧା ବାବଦରେ ଇ˚ଗିତ ଦିଆଯାଇଥିଲା। ନୂଆ କାଗଜଟି ଓଡ଼ିଶାର ସାମଗ୍ରିକ ଜୀବନର ମୁକୁର ହେବ ବୋଲି ଆଶା ପୋଷଣ କରାଯାଇଥିଲା। ନୂତନ ପ୍ରକାଶନ ପଦ୍ଧତି ଓ ଔଦ୍ୟୋଗିକ କୌଶଳର ଅବଲମ୍ବନ କରାଯିବା କଥା ବି ଉଲ୍ଲେଖ କରାଯାଇଥିଲା। ୫୦ ପଇସା ମୂଲ୍ୟ ବିଶିଷ୍ଟ ସେଦିନର ପ୍ରଥମ ‘ସମ୍ବାଦ’ ଖଣ୍ତରେ ବାହାରିଥିଲା ଦୁଇଟି କାର୍ଟୁନ୍‌, ହୋଟେଲ-ରେଡିଓ-ଆଜ୍‌ବେଜ୍‌ଷ୍ଟସ୍‌-ମୃଦୁପାନୀୟ-ବସ୍ତ୍ରାଳୟ-ଲଟେରି-ଚଳଚ୍ଚିତ୍ର ପ୍ରଭୃତିର ବିଜ୍ଞାପନ, ପ୍ରବନ୍ଧ-ଗପ-କବିତା-ଗ୍ରନ୍ଥ ସମୀକ୍ଷା-ସାହିତ୍ୟ ସମ୍ବାଦ ଏବ˚ ସୁରେନ୍ଦ୍ର ମହାନ୍ତିଙ୍କ ‘ଓଡ଼ିଆ ଭାଷା ଓ ଆମେ’ ଶୀର୍ଷକ ଶେଷ ସ୍ତମ୍ଭ ଯେଉଁଥିରେ ସିଏ ଅକ୍‌ସଫୋର୍ଡ ଡିକ୍‌ସିନାରିର ଶତବର୍ଷ ବିଷୟ ଉଠେଇବା ବେଳେ ଓଡ଼ିଆ ଅଭିଧାନର ସ୍ଥିତି ସହ ପ୍ରସଙ୍ଗଟିକୁ ଯୋଡ଼ିଥିଲେ। ଆଉ ସେ ଦିନ ଯେଉଁ ସବୁ ଖବର ‘ସମ୍ବାଦ’ରେ ବାହାରିଥିଲା ସେଥିରୁ କେତୋଟି ହେଲା- ରାଷ୍ଟ୍ରପତିପ୍ରଧାନ ଶାସନ ବ୍ୟବସ୍ଥାର ବିରୋଧ, ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ, ଜାମ୍‌ସେଦପୁର‌୍‌ ଦିନିକିଆ କ୍ରିକେଟ୍‌ ବାତିଲ୍‌, ଦକ୍ଷିଣ ଆଫ୍ରିକାରେ ହି˚ସା, ପରିବେଶ ପ୍ରଦୂଷଣ ଓ ପୋପ୍‌ଙ୍କ ବକ୍ତବ୍ୟ: ମହାକାଶ ସମଗ୍ର ମାନବ ସ˚ପ୍ରଦାୟର। ପୁଣି କାବେରୀ, ଜନନୀ ଓ ଜାନେ ଭି ଦୋ ୟାରୋ ସିନେମା ସ˚ପର୍କରେ ସୂଚନା। ଏକ ନୂଆ କାଗଜର ପ୍ରଥମ ଦିନର ସେ ଭଳି ଶରୀର ବିନ୍ୟାସ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଏବେ ବି ଅନେକ (ଭିନ୍ନ ଭିନ୍ନ ଭାଷାର) ସଫଳ ଓ ବହୁପଠିତ ଖବରକାଗଜର କଳେବର ବିନ୍ୟାସର ଧାରା ପ୍ରାୟ ସେଇ ଧରଣର।

ଏ କରୋନା କାଳରେ ଆରମ୍ଭରୁ ଆରମ୍ଭରୁ ହୁଆ ଉଠିଲା- ଖବରକାଗଜ ଭୂତାଣୁ ବାହକ, ତେଣୁ ସାବଧାନ! (ସେଇ ଦୃଷ୍ଟିରୁ କାଗଜମାନଙ୍କର ଗ୍ରାହକ ସ˚ଖ୍ୟା ସାମୟିକ ଭାବେ ହ୍ରାସ ପାଇଗଲା ବୋଲି ଖବର ପଢ଼ିବାକୁ ମିଳିଲା।) କିନ୍ତୁ ପରେ କର୍ତ୍ତୃପକ୍ଷ ତାହା ବିଧିବଦ୍ଧ ଭାବେ ପ୍ରତ୍ୟାଖ୍ୟାନ କଲେ- ଜନରବରେ କେହି ବିଶ୍ବାସ ନକରନ୍ତୁ ବୋଲି କହିଲେ। କରୋନା ଜନିତ କଟକଣା, ଅସୁବିଧା ଓ ସ˚କ୍ରମଣ ଭୟ ଯୋଗୁଁ କାଗଜମାନଙ୍କ ଡିଜିଟାଲ୍‌ ସ˚ସ୍କରଣର ସ˚ଖ୍ୟା ବଢ଼ିଗଲା। ଫଳରେ ଏକ ଅଭୂତପୂର୍ବ ସ˚କଟରୁ ମୁକୁଳିବାର ବାଟ ମିଳିଗଲା। କିଛିଦିନ ପାଇଁ ଘର ଦପ୍ତରରେ ପରିଣତ ହୋଇଗଲା। କାମ ଯେମିତି ସେମିତି ଚାଲିଲା। କୋଭିଡ୍‌-୧୯ ସମ୍ବନ୍ଧରେ ଲୋକେ ଅନବରତ ଖବର ପାଇଚାଲିଲେ। ନହେଲେ ପୃଥିବୀସାରା ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଥାନ୍ତା। ଅନେକ ପତ୍ରକାର କରୋନାକ୍ରାନ୍ତ ହେଲେ; କେତେଜଣ ସେଥିରେ ପ୍ରାଣ ହରେଇଲେ; ତଥାପି ପତ୍ରକାରମାନେ ନିଜ ବୃତ୍ତିଗତ କର୍ତ୍ତବ୍ୟ ଓ ଆନୁଗତ୍ୟରୁ ଓହରିଗଲେନି। ଏଇ କାଗଜ ତ ନିଜ ଡିଜିଟାଲ୍‌ ସ˚ସ୍କରଣରେ ପ୍ରାଚୀନ, ଶାସ୍ତ୍ରୀୟ, ପ୍ରସିଦ୍ଧ ଓ ଆଧୁନିକ ସ୍ରଷ୍ଟାମାନଙ୍କ ଲେଖାମାନ ବାହାର କରି ମହାମାରୀସୃଷ୍ଟ ଚାପ ଓ ଅବସାଦ ଲଢ଼ିବା ପାଇଁ ସାରସ୍ବତ ଟନିକ୍‌ ଯୋଗାଇ ଦେଉଥିଲା। ସାହିତ୍ୟ ରହୁଥିଲା ସମ୍ବାଦ ସହ। ଖବରର ଅନ୍ୟ ନାଁ ତ ଟାଉଟାଉ ସାହିତ୍ୟ।

ପ୍ରତି ସମୟର ଆବଶ୍ୟକତା ଓ ବାଧୢବାଧକତା ମୁତାବକ ସମୁଚିତ ଭାଷା, ପରିଭାଷା ଓ ପ୍ରଯୁକ୍ତି ଉଭା ହୁଏ। ମୁଖ୍ୟସ୍ରୋତ ଗଣମାଧୢମ ସାଙ୍ଗକୁ ସାମାଜିକ ମାଧୢମ ବା ସୋସିଆଲ୍‌ ମିଡିଆର ବ୍ୟବହାର ଓ ଉପଯୋଗିତା ଏବେ ବେଶ୍‌ ଅନୁଭୂତ ହେଉଛି। ଏଇ ଯେମିତି- ହ୍ବାଟ୍‌ସ୍‌ଅପ୍‌, ଟ୍ବିଟର‌୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, େଵବ୍‌, ୟୁଟ୍ୟୁବ୍‌ ଓ ବ୍ଲଗ୍‌ର। ଏ ସବୁ କ୍ଷେତ୍ରରେ ଅନେକ ସମୟରେ ମାଲିକ, ପ୍ରକାଶକ, ସ˚ପାଦକ, ଲେଖକ, ବିତରକ ଓ ମୁଦ୍ରାକାର ସେଇ ଏକା ବ୍ୟକ୍ତି। ଖବରଟିଏ, ଲେଖାଟିଏ ଅଳ୍ପ କେଇ ମିନିଟ୍‌ରେ ବାହାରି ଚାରିଆଡ଼େ ଖେଳିଯାଏ ଓ ଭାଇରାଲ୍‌ ହୋଇଯାଏ। ସମସ୍ତେ ଜାଣିଯାଆନ୍ତି, ଲାଭପାଆନ୍ତି। ଯାହା ହୁଏତ କେତେକ ମୁଖ୍ୟସ୍ରୋତ ଓ କର୍ପୋରେଟ୍‌ ଗଣମାଧୢମର ଫିଲ୍‌ଟର‌୍‌ ଓ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇ ଲୋକଲୋଚନକୁ ଆସିନପାରେ କିମ୍ବା ଆସିପାରିନଥାନ୍ତା। ପୁଣି ଏ ମାଧୢମରୁ ଖବରପଢ଼ିବା (ପ୍ରାୟ) ଦେୟମୁକ୍ତ। ଏ ପ୍ରକାରର ମାଧୢମରେ ଆତ୍ମସ˚ଯମ, ଆତ୍ମ ଅନୁଶାସନର ଭୂମିକା ମହତ୍ତ୍ବପୂର୍ଣ୍ଣ। ନଚେତ୍‌ ଫଳାଫଳ ଓ ପରିଣତି ମୁକାବିଲା କରିବା ସହଜ ହୋଇନପାରେ। ୟା’ର ଅର୍ଥ ନୁହେଁ ସେପଟେ ମୁଖ୍ୟସ୍ରୋତ ଗଣମାଧୢମରେ ଉତ୍ତର ଦାୟିତ୍ବ, ଆତ୍ମସ˚ଯମ, ଆତ୍ମ ଅନୁଶାସନ ଓ ଆତ୍ମସମୀକ୍ଷା ନରହିଲେ ଚଳିବ।

ଗଲା କିଛି ବର୍ଷ ଭିତରେ ଗଣମାଧୢମ ବାଟେ ଜନମାନସରେ ଛାପ ଛାଡ଼ି ପାରିଥିବା କେତେ ଜଣ ଏବେ ମଧୢ ମୁଖ୍ୟସ୍ରୋତ ଗଣମାଧୢମରେ ଅଛନ୍ତି; ଅନ୍ୟ କେତେଜଣ ବିକଳ୍ପ ପରୀକ୍ଷା ନିରୀକ୍ଷା ଆଦରି ନେଲେଣି। ସେମାନଙ୍କ ଭିତରୁ ପ୍ରଣୟ ରାୟ, ରାଜଦୀପ ସରଦେଶାଇ, ରବୀଶ କୁମାର ଓ ଅର୍ଣ୍ଣବ ଗୋସ୍ବାମୀ ପ୍ରମୁଖ ଅଛନ୍ତି ମୁଖ୍ୟସ୍ରୋତ ଗଣମାଧୢମରେ। ପି. ସାଇନାଥ, ଶେଖର ଗୁପ୍ତା, ସିଦ୍ଧାର୍ଥ ବରଦରାଜନ୍‌, ସୀମା ମୁସ୍ତାଫା ଓ ବର୍ଖା ଦତ୍ତ ପ୍ରମୁଖ ଆଦରି ନେଇଛନ୍ତି ଯଥାକ୍ରମେ ‘ପରି’, ‘ଦି ପ୍ରିଣ୍ଟ’, ‘ଦି େଵଆର‌୍‌’, ‘ଦି ସିଟିଜେନ୍‌’ ଓ ‘ମୋଜୋ’ ଭଳି ବିକଳ୍ପ ବା ଡିଜିଟାଲ୍‌ ମାଧୢମକୁ। ଏମାନଙ୍କ ଭିତରେ ଏମିତି ଜଣେ ଅଛନ୍ତି ଯାହାଙ୍କ ପରିବେଷଣ ଓ ଉପସ୍ଥାପନାରୁ ଲାଗେ ସିଏ ହିଁ ଏକୁଟିଆ ସବୁ ଜାଣନ୍ତି। ବଡ଼ ପାଟି କରି ସିଏ ଅନ୍ୟମାନଙ୍କୁ ଦବେଇ ଦେବାକୁ ଚାହାଁନ୍ତି। ଏମିତି କହନ୍ତି ସତେ ଯେମିତି ସିଏ ଚାହିଁଲେ ଫାଶୀରେ ଝୁଲେଇଦେବେ କିମ୍ବା ପାରିଜାତ ଫୁଲ ଧରେଇଦେବେ। ଦ୍ବିମତ, ସହିଷ୍ଣୁତା, ବିତର୍କ ଓ ଗଣତନ୍ତ୍ର ଯେତେବେଳେ ଅନୁପସ୍ଥିତ ରହେ ସେତେବେଳେ ଆଳାପ-ଆଲୋଚନା ବିତଣ୍ତାର ବେଶ ଧାରଣ କରିବାକୁ ବେଶି ସମୟ ଲାଗେନି। ଜଣକର କଥାକୁ ଅନ୍ୟମାନଙ୍କ ଉପରେ ଲଦି ଦିଆଯାଏ, ଥୋପି ଦିଆଯାଏ। ସେ ଭଳି ଉପସ୍ଥାପନକାରୀଙ୍କ ପକ୍ଷେ ଘଟଣା ଓ ପ୍ରସଙ୍ଗ ଗୌଣ, ଚରିତ୍ର ଓ ବ୍ୟକ୍ତିତ୍ବ ହିଁ ମୁଖ୍ୟ, ସବୁକିଛି। ତାହା ଯଦି ଏକମାତ୍ର ଆଭିମୁଖ୍ୟ ତେବେ ଜଣେ ନିଶ୍ଚୟ ଗଣତନ୍ତ୍ରଠାରୁ ଅନେକ ଅନେକ ଆଲୋକବର୍ଷ ଦୂରରେ। ଏବ˚ ଏକଛତ୍ରବାଦୀ ମାନସିକତାର ନିଶ୍ଚୟ ସ୍ବାଭାବିକ ସମର୍ଥକ।

ଇତିହାସ କହେ ଏକ ରାଜନୀତିକ ସମୂହ ବା ସା˚ସ୍କୃତିକ ସ˚ପ୍ରଦାୟ ସୃଷ୍ଟି କରିବା ନିମନ୍ତେ ଗ୍ଲୋବ୍‌, ମାନଚିତ୍ର, ଜନଗଣନା, ଆଟ୍‌ଲାସ୍‌, ସ˚ଗ୍ରହାଳୟ, ଅଭିଲେଖାଗାର ଓ ଛାପାଖାନା ଭଳି ଖବରକାଗଜର ପ୍ରମୁଖ ଭୂମିକା ଥାଏ। ଗୋଟିଏ ଦିନର ଖବରକାଗଜକୁ ଏକାବେଳେ, ଏକାସାଙ୍ଗରେ ପଢ଼ୁଥାନ୍ତି ଲୋକେ ଥୂଆମୂଳ ରାମପୁରରେ ଓ ଗୋରୁ ମହିଷାଣୀରେ। ଆମେରିକାରେ ଓ ଆନନ୍ଦପୁରରେ। ଆଉ ସନ୍ଦେଶଟି ପଢ଼ି ତା’ଭିତରକୁ ଗମୁଥିଲା ବେଳେ ମାଧୢମ କଥା ବି ହେଜନ୍ତି। ସେଇ ଏକା ଖବର ଯଦି ଖବରକାଗଜ, ରେଡିଓ, ଟେଲିଭିଜନ୍‌, ଇଣ୍ଟରନେଟ୍‌ ଓ ପତ୍ରିକା ବାଟେ ଅଲଗା ଅଲଗା ଆସିଥାଏ ତେବେ ମାଧୢମ ଆଧାରରେ ସନ୍ଦେଶର ମାନ, ମାତ୍ରା, ପ୍ରଭାବ ଓ ପହଞ୍ଚ ବଦଳିପାରେ। ‘‘ଦି ମିଡିଅମ୍‌ ଇଜ୍‌ ଦି ମେସେଜ୍‌’’ (ମାଧୢମ ହିଁ ସନ୍ଦେଶ) କଥାଟି ପ୍ରଥମେ ଉଠେଇଥିଲେ ବିଖ୍ୟାତ ଯୋଗାଯୋଗ ଚିନ୍ତକ ଓ ଲେଖକ ମାର୍ସାଲ୍‌ ମାକଲୁହାନ୍‌। ସିଏ ଆହୁରି କହିଥିଲେ (ଗଣ)ମାଧୢମକୁ ବୁଝିବାକୁ ହେଲେ ମଣିଷକୁ ବୁଝିବାକୁ ହେବ। କାରଣ ମାଧୢମ ମଣିଷର ସ˚ପ୍ରସାରଣ।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬