ଶ୍ରୀଅରବିନ୍ଦଙ୍କ ଦୁର୍ଗାସ୍ତୋତ୍ର ସଂପୂର୍ଣ୍ଣ ଭିନ୍ନ ଓ ଅନନ୍ୟ। ଆଜି ବି ଏହା ସବୁ ଭାରତବାସୀଙ୍କ ପାଇଁ ପ୍ରାସଙ୍ଗିକ। ଏଠାରେ ପ୍ରସ୍ତୁତ ତାହାର ଦ୍ୱିତୀୟ ଭାଗ:
ମାତଃ ଦୁର୍ଗେ! ବଳଦାୟିନି, ପ୍ରେମଦାୟିନି, ଜ୍ଞାନଦାୟିନି, ଶକ୍ତିସ୍ୱରୂପିଣି, ଭୀମ, ସୌମ୍ୟ, ସୌନ୍ଦର୍ଯ୍ୟରୂପିଣି! ଜୀବନ ସଂଗ୍ରାମେ, ଭାରତ ସଂଗ୍ରାମେ, ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା! ପ୍ରାଣେ, ମନେ, ଅସୁରର ଶକ୍ତି, ଅସୁରର ଉଦ୍ୟମ, ଦିଅ ମା! ହୃଦୟରେ, ବୁଦ୍ଧିରେ ଦିଅ ଦେବଚରିତ୍ର, ଦେବଜ୍ଞାନ!
ମାତଃ ଦୁର୍ଗେ! ଜଗତ୍‌ଶ୍ରେଷ୍ଠ ଭାରତଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁ ହିଁ ମାତଃ, ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ; ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ! ତିମିର ବିନାଶ କର।

Advertisment

ମାତଃ ଦୁର୍ଗେ! ଶ୍ୟାମଳା ସର୍ବସୌନ୍ଦର୍ଯ୍ୟ-ଅଳଙ୍କୃତା, ଜ୍ଞାନ-ପ୍ରେମ-ଶକ୍ତିର ଆଧାର ଭାରତଭୂମି ତୋର ବିଭୂତି, ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତଜନନୀ ଉଠୁଅଛି। ଆସ, ମାତଃ! ପ୍ରକାଶ ହୁଅ।

ମାତଃ ଦୁର୍ଗେ! ତୋର ସନ୍ତାନ ଆମ୍ଭେମାନେ, ତୋ ପ୍ରସାଦରେ, ତୋ ପ୍ରଭାବରେ, ମହତ୍ କାର୍ଯ୍ୟ, ମହତ୍ ଭାବର ଉପଯୁକ୍ତ ହେଉ! ହେ ମାତଃ, ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ।

ମାତଃ ଦୁର୍ଗେ! କାଳୀରୂପିଣି, ନୃମୁଣ୍ଡମାଳିନି, ଦିଗମ୍ବରି, କୃପାଣପାଣି ଦେବି ଅସୁର-ବିନାଶିନି! କ୍ରୂର ନିନାଦରେ ଅନ୍ତଃସ୍ଥ ରିପୁ ବିନାଶକର, ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହିନପାରେ। ଯେପରି ବିମଳ ଓ ନିର୍ମଳ ହେଉ; ଏହି ପ୍ରାର୍ଥନା ମାତଃ! ପ୍ରକାଶ ହୁଅ। (କ୍ରମଶଃ)