ଆତ୍ମଜୀବନୀ (ସଂକ୍ଷିପ୍ତ)ରେ ସ୍ବଭାବକବି ଗଙ୍ଗାଧର ମେହେର ଲେଖିଥିଲେ- ‘ସନ ୧୮୬୨ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ଶନିବାରରେ ମୋର ଜନ୍ମ ହୁଏ’। ତାରିଖ ଦୃଷ୍ଟିରୁ ଦେଖିଲେ ତାଙ୍କ ଜନ୍ମ ଦିବସ ପୂର୍ବରୁ ଗଲାଣି; ତିଥି ମୁତାବକ ତାହା କାଲି ଏବଂ ଏପରିକି କେତେକ ଗଣନାନୁସାର ଉଭୟ ଆଜି ଓ କାଲି। ୧୯୨୪ ମସିହା ଏପ୍ରିଲ ୪ ତାରିଖ ଚୈତ୍ର ଅମାବାସ୍ୟାରେ ସିଏ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ପୂର୍ଣ୍ଣିମା ଓ ଅମାବାସ୍ୟା ଭିତରର ୬୨ ବର୍ଷର ଜୀବନାୟୁଷ ଭିତରେ ଗଙ୍ଗାଧର ଯେଉଁସବୁ ଅତି ସାର୍ଥକ, ଅସାଧାରଣ ଓ ନୈସର୍ଗିକ ସାରସ୍ବତ କୃତିମାନ ସର୍ଜିଥିଲେ ସେ ସବୁ ଅମୃତର ବାରି ସମ। କବିବର ରାଧାନାଥ ରାୟ ଥିଲେ ମେହେରଙ୍କ ଅନେକ ଲେଖାର ପ୍ରଥମ ପାଠକ, ଯାହାଙ୍କୁ ଗଙ୍ଗାଧର ନିଜର ଆଦର୍ଶ ଓ ଶୁଭେଚ୍ଛୁ ମାନ୍ୟ କରୁଥିଲେ। ସେଇ ରାଧାନାଥ ତ ଥରେ କହିଥିଲେ- ଅନ୍ୟ କାରଣ ଯଦି ନ ଥାନ୍ତା ତେବେ ଖାଲି ଗଙ୍ଗାଧରଙ୍କ ପାଇଁ ଓଡ଼ିଶାକୁ ସ୍ନେହ କରିଥାନ୍ତି। ଆଉ ଗୋପୀନାଥ ମହାନ୍ତି ଲେଖିଥିଲେ- ଓଡ଼ିଆ ଭାଷା ନାମକ ଜୀବନ୍ତ ସୃଷ୍ଟି ତା’ର ଛାତି ପାଖେ କାନ ପାରିଲେ ଯେଉଁ ଧୂକ୍‌ଧୂକି ଶୁଣିପାରେ, ତହିଁରେ ଥାଏ ମେହେରଙ୍କ କବିତାର ସ୍ପନ୍ଦନ। ସିଏ ମନୁଷ୍ୟ ସମାଜର ଚିରନ୍ତନ ଚେତନାର ଅଂଶ ବିଶେଷ।
ଏହା ସର୍ବଜନବିଦିତ ଯେ ମେହେରଙ୍କର ଜନ୍ମ ଘଟିଥିଲା ବରପାଲିରେ ଏକ ଭୁଲିଆ ପରିବାରରେ; ସିଏ ପଞ୍ଚମ ଯାଏ ପଢ଼ିଥିଲେ, କୌଳିକ ବୃତ୍ତି ଆଦରି କିଛି ବର୍ଷ ବୁଣାବୁଣି କରୁଥିଲେ ଏବଂ ଚାକିରି ଜୀବନରେ ପ୍ରଥମେ ଅମିନ ଓ ପରେ ମୋହରିର ହୋଇଥିଲେ। ତାଙ୍କ ପୂର୍ବପୁରୁଷଙ୍କ ଘର ନିକଟରେ ଗୋଟିଏ ଗୁଡୀ ବା ଭାଗବତ ମଣ୍ଡପ ଥିଲା, ଯାହା ସର୍ବସାଧାରଣଙ୍କର ବୈଠକି ଓ ସାଧୁ-ସନ୍ନ୍ୟାସୀଙ୍କ ସାମୟିକ ଅବସ୍ଥାନ ରୂପେ ବ୍ୟବହୃତ ହେଉଥିଲା। ଆଗରୁ ତାଙ୍କ ପରିବାରର ଲୋକେ ବସ୍ତ୍ର, ବୟନ, ବୈଦ୍ୟକର୍ମ ଓ ଅନ୍ୟ କେତେକ ବ୍ୟବସାୟ କାମରେ ମନୋନିବେଶ କରୁଥିଲେ। ତାଙ୍କ ‌େବଳକୁ ଅବଶ୍ୟ ସେ ପରିମଣ୍ଡଳରେ ଅନେକ ପରିବର୍ତ୍ତନ ଆସିଥିଲା। ଗଙ୍ଗାଧରଙ୍କ ଜୀବନ ଓ ଜୀବିକା ଯେଉଁସବୁ ଆଧୁନିକ କ୍ଷେତ୍ର ସଂସ୍ପର୍ଶରେ ଆସିଥିଲା, ତାହା ଭିତରେ ଅନ୍ତର୍ଭୁକ୍ତ ରାଜସ୍ବ, ଆଇନ ଅଦାଲତ ଓ ଲେଖାଲେଖି ଆଦି ସଂପର୍କିତ ପରିସର। ସଂଘର୍ଷମୟ ପ୍ରତ୍ୟକ୍ଷ ଅନୁଭବର ସୌନ୍ଦର୍ଯ୍ୟ ଓ ଅବିରତ ସାଧନାର ଫଳଶ୍ରୁତି ତେଣୁ ପ୍ରତିଫଳିତ ତାଙ୍କ ସାହିତ୍ୟରେ।
ଜଣେ ଆଧୁନିକ ଅବବୋଧର ବ୍ୟକ୍ତିତ୍ବ ଭାବେ ମେହେର ଜ୍ଞାନ ସମାଜର ପ୍ରତିନିଧି ଥିଲେ। ନିରବଚ୍ଛିନ୍ନ ପତ୍ରାଳାପ ଓ ଭେଟ୍‌ଘାଟ୍‌ ଜରିଆର ତାଙ୍କର ସଖ୍ୟ ତଥା ସମ୍ପର୍କ ସ୍ଥାପନ ହୋଇପାରିଥିଲା ଓଡ଼ିଶାର ଲୋକପ୍ରତିମା ମଧୁସୂଦନ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ନନ୍ଦ କିଶୋର ବଳ, ବିଶ୍ବନାଥ କର ଓ ନୀଳମଣି ବିଦ୍ୟାରତ୍ନ ପ୍ରମୁଖଙ୍କ ସହ ଯାହାର ଉଲ୍ଲେଖ ରହିଛି କବିଙ୍କ କନିଷ୍ଠ ପୁତ୍ର ଭଗବାନ ମେହେରଙ୍କ ‘ପିତୃପ୍ରସଙ୍ଗ’ ପୁସ୍ତକରେ। ଉପରୋକ୍ତ ମହାପ୍ରତିଭାଙ୍କ ସହ ଗଙ୍ଗାଧରଙ୍କ ପରିଚୟ ଫଳରେ ସିଏ ଯେ ଖାଲି ସାହାଯ୍ୟ, ସହଯୋଗ ଓ ପୃଷ୍ଠପୋଷକତା ପାଇପାରିଲେ ତାହା ନୁହେଁ; ପଶ୍ଚିମ ଓଡ଼ିଶାର ଭୌଗୋଳିକ ଠିକଣାର ଜଣେ ଅକଳ୍ପନୀୟ ସ୍ରଷ୍ଟାଙ୍କ କାଳଜୟୀ କୃତିମାନ ନିଖିଳ ଉତ୍କଳ ଲୋକଲୋଚନକୁ ଆସିପାରିଲା। ସିଏ ଥିଲେ ସେ ସମୟରେ ମାଳ-ଉପକୂଳ ଭିତରେ ଏକ ସର୍ବଗ୍ରାହୀ, ଉଦ୍ଦୀପ୍ତ ଓ ବିଶାଳ ହୃଦୟ ସାଂସ୍କୃତିକ ସେତୁ; ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରଖର ଓ ପ୍ରଗାଢ଼ ଶିଳ୍ପୀ, କର୍ମୀ ଓ ସ୍ରଷ୍ଟା।
ସବୁ ବିଚାରରେ ଗଙ୍ଗାଧର ମେହେର ଥିଲେ ଜଣେ ବହୁଭାଷୀ ଜନବିଦ୍ବାନ୍‌। ଭାଲିଆ, ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ବଙ୍ଗଳା ଭାଷା ସାଙ୍ଗକୁ ସିଏ ଜାଣିଥିଲେ ଇଂରେଜୀ। ସେ ଭଳି ବହୁଭାଷିକ ପାରଦର୍ଶିତା ତାଙ୍କ ସାହିତ୍ୟକୁ ସମୃଦ୍ଧ କରିଥିଲା କିଛି କିଛି ସାର ଓ ପାଣି ଯୋଗାଇ। ପୁଣି ତାଙ୍କ ବହୁଭାଷିକତାର ବ୍ୟାବହାରିକ ପୃଷ୍ଠଭୂମି ତାଙ୍କ ସମକାଳ ସମ୍ବନ୍ଧରେ ଅନେକ କିଛି କହେ। ଘରେ ଭୁଲିଆ, ସାହି ପଡ଼ିଶାରେ ସମ୍ବଲପୁରୀ, ବୃହତ୍ତର ସମାଜରେ ଓଡ଼ିଆ, ଅଫିସରେ ହିନ୍ଦୀ, ଲେଖା ଲେଖି ବେଳେ ପୁଣି ଓଡ଼ିଆ ଓ ପଢ଼ାପଢ଼ି ପାଇଁ ଏକାଧିକ ଭାଷା- ଏସବୁର ବ୍ୟବହାର କରିବାକୁ ପଡୁଥିଲା ଗଙ୍ଗାଧରଙ୍କୁ। ବହୁଭାଷିକ ମେହେର ମାତୃଭାଷାର ପରିଚିତିଗତ ଅନନ୍ୟତା ବାବଦରେ ବେଶ ସଚେତନ ଥିଲେ। ସେଥିପାଇଁ ସିଏ ଉପନିବେଶବାଦ ଓ ହିନ୍ଦୀ-ପ୍ରଭୁତ୍ବ କାଳରେ ଲେଖିବାକୁ ବିବେକବନ୍ତ ସାହସ ପ୍ରକଟ କରିଥିଲେ ଏଇ ପ୍ରକାରେ- ‘ଉଚ୍ଚ ହେବା ପାଇଁ କର ଯେବେ ଆଶା/ ଉଚ୍ଚ କର ଆ‌େଗ ନିଜ ମାତୃଭାଷା’ ଏବଂ ‘ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ/ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ ନାହିଁ।’
ଅନେକଙ୍କ ମତରେ ମେହେରଙ୍କୁ ପଣ୍ଡିତ ରାଘବ ମିଶ୍ର ପ୍ରଥମେ ସ୍ବଭାବକବି ବୋଲି ନାମିତ କରିଥିଲେ। ସ୍ବଭାବକବିଙ୍କ କେତୋଟି ବହୁଚର୍ଚ୍ଚିତ କୃତି ହେଲା- ଇନ୍ଦୁମତୀ, କୀଚକ-ବଧ, ତପସ୍ବିନୀ, ପ୍ରଣୟବଲ୍ଲରୀ, ପଦ୍ମିନୀ, ଅହଲ୍ୟାସ୍ତବ, ଅଯୋଧ୍ୟାଦୃଶ୍ୟ ଓ ଅର୍ଘ୍ୟଥାଳୀ। ସେତେବେଳେ ତାଙ୍କ ଲେଖାମାନ ପ୍ରଜାବନ୍ଧୁ, ଉତ୍କଳପ୍ରଭା, ସମ୍ବଲପୁର ହିତୈଷିଣୀ, ଉତ୍କଳ ସାହିତ୍ୟ, ହିତବାଦିନୀ, ମୁକୁର ଓ ହୀରାଖଣ୍ଡ ପ୍ରଭୃତିରେ ପ୍ରକାଶିତ ହେଉଥିଲା ଏବଂ ସେସବୁ ପତ୍ରପତ୍ରିକା ସିଏ ମଗେଇ ନିୟମିତ ପଢୁଥିଲେ। ଲୋକମୁଖ କହେ ତାଙ୍କ ପାଇଁ ଖାଦ୍ୟପେୟ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା ପତ୍ରପତ୍ରିକା ପଠନ। ନିପୁଣ ଚିତ୍ରକର ପରି ହର୍ଷ, ପୁଲକ, ଆନନ୍ଦ, କରୁଣା ଓ ବିଷାଦ ସହ ଯୋଡ଼ା ପ୍ରକୃତି, ମଣିଷ, ସମାଜ, ସମୟ ଓ ଭାବନାର ଦୃଶ୍ୟ ଆଙ୍କି ପାରୁଥିଲେ ମେହେର, ଯେଉଁଠି ପ୍ରକୃତି ଧାରଣ କରିପାରୁଥିଲା ପରିବେଶ, ପର୍ଯ୍ୟାବରଣ ଓ ପରିଦୃଶ୍ୟର ରୂପ ମଧ୍ୟ। ସୀତା, ଶକୁନ୍ତଳା, ଦ୍ରୌପଦୀ, ଇନ୍ଦୁମତୀ, ପଦ୍ମିନୀ ଓ ଅହଲ୍ୟାଙ୍କ ଭଳି ନାରୀ ଚରିତ୍ର ବର୍ଣ୍ଣନାରେ ଫୁଟି ଉଠୁଥିଲା ସେମାନଙ୍କ ବ୍ୟକ୍ତିତ୍ବର ସ୍ବାତନ୍ତ୍ରୢ ଓ ମର୍ଯ୍ୟାଦା।
ଗଙ୍ଗାଧର ମେହେରଙ୍କ ଆଉ ଦୁଇଟି ବହୁଳ ଉଦ୍ଧୃତ ପଦ୍ୟାଂଶ ହେଲା- ‘ମଙ୍ଗଳେ ଅଇଲା ଉଷା/ ବିକଚ-ରାଜୀବ ଦୃଶା/ ଜାନକୀ-ଦର୍ଶନ-ତୃଷା ହୃଦୟେ ବହି...’ ଏବଂ ‘ବିଶ୍ବ ଦେଖ ମଧୁମୟରେ ଜୀବନ!/ ବିଶ୍ବ ଦେଖ ମଧୁମୟ...’। ରାଗ ଓ ଛାନ୍ଦଯୁକ୍ତ କବିତା ସାଙ୍ଗକୁ ମେହେର ଏମିତି କେତେକ କବିତା ଲେଖିଥିଲେ, ଯାହା ଅଳ୍ପ ଶିକ୍ଷିତ ଓ ଅଶିକ୍ଷିତ ଏବଂ ଗାଁ ଗହଳର ଲୋକ ବୁଝିପାରିଲା ଭଳି। ସେସବୁ ବି ଅତ୍ୟନ୍ତ ପ୍ରାସଙ୍ଗିକ ଓ ସେଥିରେ ସମକାଳର ଅନେକ କଥା ଦୂରଦ୍ରଷ୍ଟା ସମ କେତେ ନା କେତେ ଦଶନ୍ଧି ଆଗରୁ ଗଙ୍ଗାଧର କହିପାରିଥିଲେ।
ବୋଡ଼ାସମ୍ବର ଅଧୀଶ୍ବର ଲାଲ ରାଜେନ୍ଦ୍ର ସିଂହ ବରିହାଙ୍କ ଆଗ୍ରହ ଓ ଉପଦେଶ କ୍ରମେ ଗଙ୍ଗାଧର ଲେଖିଥିଲେ ‘କୃଷକ-ସଙ୍ଗୀତ’। ତା’ର ଗୋଟିଏ କବିତା ହେଲା ‘ଅନ୍ନର ମହିମା’ ଯେଉଁଥିରେ ମେହେର କହିଛନ୍ତି- ‘ଅନ୍ନ ପାଇଁ ମାନବ ବୁଲଇ ଭୁବନେ/ ଅନ୍ନ ପାଇଁ ବିହଙ୍ଗ ଉଡ଼ଇ ଗଗନେ/ ପଶୁ ଅନ୍ନ ନିମନ୍ତେ ବୁଲେ ବନେ ବନେ/ ଅନ୍ନ ବିନା ଜଗତେ କେହି ତ ନ ପାରେ ରହି କ୍ଷଣେ ହେ।’ ପୁଣି ‘କୃଷିର ଗୌରବ’ କବିତାରେ ସିଏ ଲେଖିଥିଲେ- ‘କୃଷି ସିନା ସଂସାରେ ସଭ୍ୟତାର ମୂଳ/ କୃଷି ଏକା ସକଳ ଜୀବିକାର ଚୂଳ’। ‘କୃଷକ-ସଙ୍ଗୀତ’ରେ ‘ଆଖୁଚାଷ’ କବିତାରେ ଗଙ୍ଗାଧର ହୃଦୟ ଓ ମସ୍ତିଷ୍କ ଢାଳି ବ୍ୟକ୍ତ କରିଛନ୍ତି ଏମିତି- ‘ଚଷା କହେ ଅମୃତ ଉପୁଜେ ମୋ ଘରେ/ ତହିଁ ପାଇଁ ଶ୍ରମକୁ ମୁଁ ବରଣ କରେ/ ଶ୍ରମ ଏକା ଅଟଇ ଅମୃତ-ଜନନୀ/ ଶ୍ରମ ମୋର ଜୀବନ-ସଙ୍ଗିନୀ କି ଦିନ କି ରଜନୀ ହେ।’
ଏବେ ବର୍ଷା ଋତୁ। ଏ ଋତୁରେ ପ୍ରକୃତିର ଅପରୂପ ଶୋଭା ସମ୍ବନ୍ଧରେ ସଭିଏଁ ଜାଣନ୍ତି। ୧୯୦୩ରେ ପ୍ରକାଶ ପାଏ ମେହେରଙ୍କ ‘ବର୍ଷା ଚିତ୍ର’ କବିତା ଯେଉଁଥିରେ ସିଏ ଲେଖିଥିଲେ- ‘ନାଟ୍ୟକାର ପରି ଆସି ବରଷା ସମୟ/ ଦେଖାଇଲା ‌େଲାକେ ନବ ନବ ଅଭିନୟ/ କେତେବେଳେ ଏକ ଦିଶୁ ଉଠି ନବଘନ/ ଦେଖୁଁ ଦେଖୁଁ ଢାଙ୍କି ଦିଏ ସମସ୍ତ ଗଗନ/ ଅନ୍ତରିତ ହୋଇଯାଏ ସ୍ବର୍ଣ୍ଣ ବର୍ଣ୍ଣ ଖରା/ ଶ୍ୟାମ ସ୍ନିଗ୍‌ଧ ଛାୟାବୃତି ହୋଇଯାଏ ଧରା/ ବସୁମତୀ ରାଣୀ ଅଙ୍ଗୁ ପୀତାମ୍ବର କାଢ଼ି/ ପିନ୍ଧାଇ ଦିଏ କି ନବତମ ଶ୍ୟାମ ଶାଢ଼ି?’ ୧୮୯୮ରେ ବାହାରି ଥିବା ତାଙ୍କ କବିତା ‘ତରୁବର’ରେ ଗଙ୍ଗାଧର ସେତେବେଳୁ ଜଳବାୟୁ ପରିବର୍ତ୍ତନର ପ୍ରତିକାର ଚିନ୍ତା କରି ସାରିଥିଲେ ଏହି ପ୍ରକାରେ- ‘ଜନପ୍ରାଣ ଅପକାର ଯେଉଁ ବାଷ୍ପେ/ ତାହା ତୁ ଭକ୍ଷଣ କରି ନେଉ ଆପେ/ ଯେ ବାଷ୍ପ ସତେଜ କରେ ଜନ୍ତୁପ୍ରାଣୀ/ ଉଦୟରୁ ଅସ୍ତ ଯାଏ କରୁ ଦାନ।’
ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଚମତ୍କାର କୃତିତ୍ବ ଯୋଗୁଁ ଚଳିତ ମାସରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ସମ୍ଭବ ହୋଇ ପାରିଲା। ଜହ୍ନ ପ୍ରତି ମଣିଷର ଦୃଷ୍ଟିଭଙ୍ଗୀରେ ମଣିଷର କୋମଳ ଅନୁରାଗ ପଣିଆ ସାଙ୍ଗକୁ ବୈଜ୍ଞାନିକ ମିଜାଜ୍‌ ମଧ୍ୟ ପ୍ରକଟିତ ହୋଇଥାଏ। ୧୯୦୦ ମସିହାରେ, ଅର୍ଥାତ୍‌ ଆଜିକୁ ୧୨୩ ବର୍ଷ ତଳେ- ଗଙ୍ଗାଧରଙ୍କ କବିତା ‘ଚନ୍ଦ୍ର-ଶରୀରରେ ଏହା ନୁହେଁ କଳଙ୍କ’ ପ୍ରକାଶିତ ହୋଇଥିଲା। କବିତାର ଶବ୍ଦମାନ ଅର୍ଥ ସ୍ପଷ୍ଟ କରି ଦିଅନ୍ତି ଆପଣା ଛାଏଁ- ‘ଲଭି ପ୍ରଭାକର-କର/ ଚନ୍ଦ୍ର ହୋଇଛି ଭାସ୍ବର/ ନତୁ ଚନ୍ଦ୍ର ଜଡ଼ପିଣ୍ଡ ସ୍ବତେଜହୀନ/ ଅତଳ ଗହ୍ବର ଯହିଁ/ ରବି-ରଶ୍ମି ନ ପଡ଼ଇ/ ଅନ୍ଧାର ଯୋଗୁଁ ତା’ ଦିଶୁଅଛି ମଳିନ;/ ବସି ନାହିଁ ତହିଁ ଶଶକ...’। ଏ କବିତାର ଅନୁବାଦ ପଢ଼ି ବିକ୍ରମ ସରାଭାଇ ମଧ୍ୟ ବିମୋହିତ ହୋଇଥାନ୍ତେ ଯେମିତି ‘ଭକ୍ତି’ କବିତା ବାବଦରେ ବିନୋବା ଭାବେ ମତ ଦେଇଥିଲେ ମେହେରଙ୍କ ସେ କବିତା ସମଗ୍ର ଦେଶରେ ସୁପ୍ରଚାରିତ ହେବା ଦରକାର।
ଶହେ ବର୍ଷ ତଳେ ୧୯୨୩ ମସିହାର ଜାନୁଆରି ସଂଖ୍ୟାରେ ମୁକୁରରେ ଆତ୍ମପ୍ରକାଶ କରିଥିଲା ସ୍ବଭାବକବିଙ୍କ ‘ଭାରତୀ-ଭାବନା’ ଯାହାର ଅନ୍ୟତମ ପ୍ରଚ୍ଛନ୍ନ ଭାବାର୍ଥ ହେଉଛି ଉପନିବେଶବାଦ ଓ ବ୍ରିଟିସ୍‌ ଶାସନର ସୂକ୍ଷ୍ମାତିସୂକ୍ଷ୍ମ ଶବ୍ଦ କୌଶଳ ଅବଲମ୍ବନ କରି ବିରୋଧ କରିବା। କବିତାର ଗୋଟିଏ ଶବ୍ଦ ହେଲା ‘ଗାନ୍ଧୀନୀଜ’ ଯାହାର ଦୁଇଟି ଅର୍ଥ ହେଲା ଅକ୍ରୂର ଓ ଗାନ୍ଧୀଜୀ। କବିତାର ଆଦ୍ୟ ଅଂଶଟି ଏଇଭଳି- ‘... ଛଳେ ଜାତିକୁଳ ନାଶିଲ,/ ଯାହା ଥିଲା ଆମ୍ଭ ନିଜତ୍ବ ତହିଁରେ/ ନିଜ ପ୍ରଭୁତା ପ୍ରକାଶିଲା।’ ପ୍ରଭୁତା କହିଲେ ଜଣାପଡୁଛି ସିଏ ବ୍ରିଟିସ୍‌ ପ୍ରଭୁତ୍ବ ବା ‘ହେଜେମନି’ ଉପରେ କଟାକ୍ଷ, ବକ୍ରୋକ୍ତି କରୁଥିବେ।
ଅନେକ ଅନ୍ୟତ୍ର ଗମନ, ସ୍ଥାନାନ୍ତରର ଛାପ ରହିଛି ଗଙ୍ଗାଧରଙ୍କ କବିତାର ବ୍ୟାପ୍ତି, ଗଭୀରତା, ଉଚ୍ଚତା ଓ ବର୍ଣ୍ଣନାରେ। ଯେମିତି ବରପାଲି, ପଦ୍ମପୁର, ବିଜେପୁର, ସମ୍ବଲପୁର, କଟକ ଆଦିର। ଉତ୍କଳ ସମ୍ମିଳନୀରେ ଯୋଗ ଦେବା ଜନିତ ଅଭିଜ୍ଞତାର। ବିବିଧ ଆଧୁନିକ ପରିସରରେ ଆତଯାତ ହୋଇଥିବା ମେହେର କିନ୍ତୁ ନିଜର ଚେରମୂଳ ଭୁଲିନଥିଲେ। ନିଜ ‘ଭୁଲିଆ’ ସମାଜର ବୃହତ୍ତର ସ୍ବାର୍ଥ ସକାଶେ ଓ କେତେକ ପ୍ରଥାର ସଂସ୍କାର ନିମନ୍ତେ ସିଏ ୧୯୨୪ ମସିହା ମାର୍ଚ୍ଚ ଶେଷ ଆଡ଼କୁ ‘ମେହେର ମହାସଭା’ ଡାକିଥିଲେ, ଯେଉଁଠି କି ପାଟଣା, କଳାହାଣ୍ଡି, ଖଡ଼ିଆଳ, ବୌଦ, ସୋନପୁର, ସମ୍ବଲପୁର, ଫୁଲଝର, ସାରଙ୍ଗଗଡ଼, ଚନ୍ଦ୍ରପୁର-ପଦ୍ମପୁର ଆଦି ଆଡୁ ତିନି ହଜାର ସରିକି ଲୋକେ ଆସି ଏକାଠି ହୋଇ ଆଳାପ-ଆଲୋଚନା କରିଥିଲେ। ଗଙ୍ଗାଧର ଚାହୁଁଥିଲେ ‘ମେହେର ମହାସଭା’ ପରେ ବରପାଲିରେ ସୁବିଧା ଦେଖି ସମଗ୍ର ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନଙ୍କୁ ନେଇ ‘ପଣ୍ଡିତ ସଭା’ର ଆୟୋଜନ କରିବେ। ହେଲେ ସିଏ ‘ମେହେର ସଭା’ ସରିବାର ଦିନ କେଇଟା ପରେ ଚାଲିଗଲେ। ସିଏ ଚାଲିଯିବାର ଶହେ ବର୍ଷ ବି ପୂରିବାକୁ ଯାଉଛି।
ସ୍ବଭାବକବିଙ୍କ କବିତାର ପ୍ରଭାବଶାଳୀ ଓ ଅତି ଚମତ୍କାର, ଇଂରେଜୀ ଅନୁବାଦ କରିଥିବା ଜୟନ୍ତ ମହାପାତ୍ର (ମଧୁସୂଦନ ପତିଙ୍କ ସହ ମିଶି) ଗଲା ୨୭ ତାରିଖ ଦିନ ୯୫ ବର୍ଷ ବୟସରେ ଚାଲିଗଲେ। ସ୍ମୃତି, ବେଦନା ଓ ହରେଇବାକୁ ନେଇ ତ ତାଙ୍କର ଅନେକ ଲେଖା ରହିଛି। ଓଡ଼ିଶାର ସଂସ୍କୃତି, ଜନଜୀବନ ଓ ପରିଦୃଶ୍ୟ ସମ୍ବନ୍ଧିତ ତାଙ୍କର କେତେକ କବିତା କଟକ, ମହାନଦୀ, ଧଉଳି, କୋଣାର୍କ, ଚିଲିକା ଓ କଳାହାଣ୍ଡି ପ୍ରଭୃତିକୁ ନେଇ। ନିଜ ଗଙ୍ଗାଧର ଅନୁବାଦ ପ୍ରକ୍ରିୟା ବାବଦରେ ସିଏ ଥରେ ତାଙ୍କ ତିନିକୋଣିଆ ବାସଭବନରେ ଦେଖାହେଲା ବେଳେ କହୁଥିଲେ- ମେହେରଙ୍କ ସାହିତ୍ୟ ପଢ଼ିବା ଓ ଅନୁବାଦ କରିବା ମାନେ ତାଙ୍କ କୃତି ବାଟ ଦେଇ ଓଡ଼ିଶାର, ଓଡ଼ିଆ ଭାଷାର ସାଂସ୍କୃତିକ ଆତ୍ମାକୁ ଥରକୁ ଥର ଭେଟିବା। ଭାବିଲେ ଆଦୌ ଭୁଲ୍‌ ହେବ ନି ଯେ ଗଙ୍ଗାଧର କଳ୍ପନାର କପା ବୁଣିବାର କଳାରେ ଏମିତି ବିରଳ ସିଦ୍ଧିର ଅଧିକାରୀ ଥିଲେ ଯେଉଁଥି ପାଇଁ ସିଏ ଓଡ଼ିଆ ଜାତିର ଅନ୍ୟତମ ସାରସ୍ବତ-ସାଂସ୍କୃତିକ କୁଳଦେବତା।
ମୋ: ୯୪୩୭୩୦୭୦୭୯

Advertisment