ଅଭିନନ୍ଦନ ବଖାଣିଲେ ଯନ୍ତ୍ରଣାର ୫୬ ଘଣ୍ଟା : ତଥ୍ୟ ଆଦାୟ କରିବା ପାଇଁ ନିର୍ଯାତନାର ସବୁ ସୀମା ଟପି ଯାଇଥିଲେ ପାକିସ୍ତାନୀ

ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ବିତାଇଥିଲେ ୫୬ଘଣ୍ଟାର ଯନ୍ତ୍ରଣାଭରା ସମୟ । ତଥ୍ୟ ଆଦାୟ କରିବା ପାଇଁ ନିର୍ଯାତନାର ସବୁ ସୀମା ଟପି ଯାଇଥିଲା ପାକିସ୍ତାନ ସେନା । ଆଉ ଅଭିନନ୍ଦନଙ୍କ ମୁହଁରୁ ପାକିସ୍ତାନ ସେନା ଭଦ୍ର କୁହାଇ ଭିଡିଓ ବି ପ୍ରସ୍ତୁତ କରି ଭାଇରାଲ କରାଯାଇଥିଲା । ଏବେ ଭାରତୀୟ ବାୟୁସେନା ଅଧିକାରୀମାନଙ୍କ ଆଗରେ ଅଭିନନ୍ଦନଙ୍କ ବୟାନ ପାକିସ୍ତାନର ଅସଲ ଚରିତ୍ରକୁ ପଦାରେ ପକାଇ ଦେଇଛି ।

ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟ ସ୍ୱଦେଶ ଫେରିଆସିବା ପରେ କରାଯାଇଛି ଡି-ବ୍ରିଫିଙ୍ଗ । ବାୟୁସେନାର ଜଣେ ଫାଇଟର ପାଇଲଟ ଶତ୍ରୁ ହାତରେ ପ୍ରାୟ ୫୬ ଘଣ୍ଟା ଧରି ବନ୍ଦୀଥିଲେ । ତେଣୁ ପ୍ରଟୋକଲ ଅନୁଯାୟୀ, ଏହି ସମୟରେ ତାଙ୍କୁ କିଭଳି ବ୍ୟବହାର କରାଯାଇଥିଲା? ଗୋପନୀୟ ତଥ୍ୟ ହାସଲ କରିବାକୁ ନିର୍ଯାତନା ଦିଆଯାଇଥିଲା କି ନାହିଁ? କଥା ଆଦାୟ କରିବାକୁ ଶତ୍ରୁ ରାଷ୍ଟ୍ରର କୌଶଳ କେତେଦୂର ସଫଳ ହୋଇଛି? ସେ ବାବଦରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ କରାଯାଇଛି ଏକାଧିକ ପ୍ରଶ୍ନ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାକିସ୍ତାନ ହାତରେ ପଡିଯାଇଥିବା ଭାରତୀୟ ପାଇଲଟଙ୍କୁ ପାକିସ୍ତାନ ସେନା ଦେଇଥିଲା ଅକଥନୀୟ ନିର୍ଯାତନା । ଭାରତୀୟ ବାୟୁସେନା ବାବଦରେ ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ସବୁ ସୀମା ଟପିଯାଇଥିଲା ଶତ୍ରୁ ରାଷ୍ଟ୍ର ।

– ପାକିସ୍ତାନରେ ଅଭିନନ୍ଦନଙ୍କୁ ପ୍ରବଳ ମାଡ ମାରିଥିଲା ସେନା।

– ଶ୍ୱାସରୁଦ୍ଧ କରିଦେବାକୁ ବଳ ପ୍ରୟୋଗ କରାଯାଇଥିଲା।

– ଏପରିକି ଶୋଇବାକୁ ନଦେବା ଲାଗି ଜୋରରେ ମ୍ୟୁଜିକ ବାଜିଥିଲା।

– ମାନସିକ ଓ ଶାରୀରିକ ଭାବେ ଦୁର୍ବଳ କରିବାକୁ ପ୍ରବଳ ଉଦ୍ୟମ ହୋଇଥିଲା।

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଡି-ବ୍ରିଫିଙ୍ଗ କରୁଥିବା ବାୟୁସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ କୋଟ୍ କରି ଏଭଳି ଚାଂଚଲ୍ୟକର ଖବର ସାମ୍ନାକୁ ଆଣିଛନ୍ତି ଏକାଧିକ ଜାତୀୟ ଗଣମାଧ୍ୟମ । ହେଲେ ଶତ୍ରୁର ଚାପରେ ଆଦୌ ବିଚଳିତ ହୋଇନଥିଲେ ବୀର ଯୋଦ୍ଧା ଅଭିନନ୍ଦନ ବର୍ତମାନ ।  ଅଦ୍ୟମ ସାହସ ଓ ବୀରତ୍ୱର ସହ ପଡୋଶୀ ଦେଶର ସବୁ ନିର୍ଯାତନାକୁ ହଜମ କରିଯାଇଥିଲେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ।

ଏଭଳି ଏକ ସମୟରେ ପାକିସ୍ତାନ ମାଟିରେ ପାଦରଖିବା ପରେ ହିଁ ସେ ପାଖରେ ଥିବା ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲେ । ଶତ୍ରୁ ହାତରେ ଯେଭଳି କୌଣସି ଗୋପନୀୟ ତଥ୍ୟ ନଲାଗିବ, ସେଥିପାଇଁ ପ୍ରଥମେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପାଟିରେ ଚୋବାଇ ନଷ୍ଟ କରିପକାଇଥିଲେ । ଏପରିକି ହାରୋନ ଗାଁରେ ଲୋକେ ଗୋଡାଇବାବେଳେ ପାଖରେ ଥିବା ନକ୍ସା ଓ ଅନ୍ୟନ୍ୟ ନଥିକୁ ଏକ ପୋଖରୀରେ ଭିଜାଇ ଦେଇଥିଲେ । ଏଥିରୁ ତାଙ୍କ ବୀରତ୍ୱ ଓ ଦେଶଭକ୍ତିର ପ୍ରମାଣ ମିଳେ । ଯେଉଁଥିପାଇଁ ସାରାଦେଶ ଆଜି ଏହି ସାହସୀ ଯୋଦ୍ଧାଙ୍କ ସମର୍ଥନରେ ଛିଡା ହୋଇଛି ।

ସମ୍ବନ୍ଧିତ ଖବର