ରାଖିପୂର୍ଣ୍ଣିମାରେ ଭଉଣୀଟିଏ ମଙ୍ଗଳ ମନାସି ଭାଇ ହାତରେ ରାଖି ବାନ୍ଧି ସ୍ନେହ ଓ ସୁରକ୍ଷାର ଅଳି କରିଥାଏ। ସାରାଭାରତରେ ଝିଅମାନେ ଏହି ସୁନ୍ଦର ପର୍ବଟିକୁ ଅତି ଆଗ୍ରହରେ ଅପେକ୍ଷା କରିଥାନ୍ତି। ରକ୍ଷାସୂତ୍ର ଭାବେ ହାତରେ ବନ୍ଧାଯାଉଥିବା ଏହି ପବିତ୍ର ସୂତାକୁ ଓଡ଼ିଆରେ ‘ରାଖି’ କୁହନ୍ତି। ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦା ପର୍ଯ୍ୟନ୍ତ ସାତଦିନ ଯାଏ ରାଧାକୃଷ୍ଣଙ୍କୁ ମନୋରମ ଭାବେ ସଜାଇ ଝୁଲଣାରେ ବସାଇ ଦୋଳି ଖେଳାଯାଏ। ତେଣୁ ଏହି ପର୍ବକୁ ଝୁଲଣ ଯାତ୍ରା ବା ଝୁଲଣ ପୂର୍ଣ୍ଣିମା କୁହାଯାଇଥାଏ। କୃଷ୍ଣଙ୍କର ବଡ଼ଭାଇ ବଳରାମ ଏହିଦିନ ଜନ୍ମ ହୋଇଥିଲେ। ଏଣୁ ଏହା ବଳରାମ ଜୟନ୍ତୀ ନାମରେ ନାମିତ। ପ୍ରତିବର୍ଷ ଶ୍ରୀମନ୍ଦିରରେ ପାଟରା ବିଷୋଇ ସେବକଙ୍କ ଦ୍ବାରା ଦିଆଯାଉଥିବା ରାଖି ‘ଗହ୍ମାଫୁଲି’ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜରେ ଲାଗି କରାଯାଏ। ପୁଣି ଏହିଦିନରେ ଗୋମାତା ପୂଜନ ବିଧି ଥିବାରୁ ଗୃହସ୍ଥମାନେ ନିଜର ଗୃହପାଳିତ ଗାଈଗୋରୁଙ୍କୁ ଗାଧୋଇପାଧୋଇ ସାଧ୍ୟମତେ ଭଲମନ୍ଦ ଖୁଆଇ ଏବଂ ଶିଙ୍ଗରେ ରାଖି ବାନ୍ଧି ସେମାନଙ୍କ ପୂଜା କରିଥାନ୍ତି। ତେବେ ଏହି ଶ୍ରାବଣ ପୂର୍ଣ୍ଣିମାକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଆଦି କେତେକ ରାଜ୍ୟରେ ନାରିକେଳ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ ଏବଂ ସମୁଦ୍ରଦେବ ବା ବରୁଣଙ୍କୁ ଶ୍ରୀଫଳ ବା ନାରିକେଳ ଅର୍ପଣ କରାଯାଏ।
କ୍ଷେତରେ ଅଧିକ ଉତ୍ପାଦନ ପାଇଁ ଉତ୍ତରଭାରତରେ କାଜରି ପୂର୍ଣ୍ଣିମା ଭାବରେ ଏହି ଦିନଟିକୁ ମନାନ୍ତି। ଶ୍ରାବଣ ମାସର ପ୍ରତି ସୋମବାର ଦିନ ଶିବଙ୍କୁ ଜଳଲାଗି କରିବା ସହ ପୂର୍ଣ୍ଣିମାରେ ଆଡ଼ମ୍ବର ସହକାରେ ଅନେକ ରାଜ୍ୟରେ ଉତ୍ସବ ମନାଯାଏ। ସେହିପରି ଦକ୍ଷିଣଭାରତରେ ଏହି ପବିତ୍ର ତିଥିକୁ ଅବନୀ ଅୱିଟ୍ଟମ୍ ଭାବରେ ଗ୍ରହଣ କରନ୍ତି। ବିଭାଜନ ସମୟରେ ବଙ୍ଗଳାର ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଂପର୍କ ବଜାୟ ରଖିବା ପାଇଁ ତଥା ସାଂପ୍ରଦାୟିକ ହିଂସାକୁ ପ୍ରତିହତ କରିବା ପାଇଁ ରବୀନ୍ଦ୍ରନାଥ ଟାଗୋର ରାଖି ମହୋତ୍ସବ ଆରମ୍ଭ କରିଥିଲେ। ତାହା ଏଯାଏଁ ବଜାୟ ଅଛି। ସାରା ଭାରତରେ ବିବିଧତା ମଧ୍ୟରେ ଏକତାର ଏହି ସୁନ୍ଦର ତିଥିଟି ଭିନ୍ନଭିନ୍ନ ଭାବରେ ପାଳିତ ହେଲେ ବି ପରିବାର, ପ୍ରକୃତି ଓ ପରିବେଶକୁ ନେଇ ଏହାର ଭାବଧାରାଟି ବେଶ୍ ପୁରୁଣା। କୁହାଯାଏ ଆର୍ଯ୍ୟମାନଙ୍କ ସମୟରୁ ଏହି ପରମ୍ପରା ଗଡ଼ିଆସୁଛି। ପୁରାଣର ଏକ କଥା ଅନୁସାରେ, ଅନେକ ବର୍ଷ ଧରି ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଦେବରାଜ ଇନ୍ଦ୍ରଙ୍କ ନେତୃତ୍ବାଧୀନ ଦେବତାଗଣ ଅସୁରଙ୍କଠାରୁ ହାରି ପରାଧୀନ ହେଲେ।
ଅସୁରମାନେ ସ୍ବର୍ଗ ଦଖଲ କଲେ। ଉପାୟଶୂନ୍ୟ ହୋଇ ଦେବରାଜ ଇନ୍ଦ୍ର ଶ୍ରାବଣ ଚତୁର୍ଦ୍ଦଶୀ ଦିନ ଦେବଗୁରୁ ବୃହସ୍ପତିଙ୍କ ଶରଣ ପଶିଲେ। ପରଦିନ ପୂର୍ଣ୍ଣମୀର ପ୍ରାତଃକାଳରେ ରକ୍ଷାବନ୍ଧନ କରିବେ ବୋଲି ଦେବଗୁରୁ ପ୍ରତିଶ୍ରୁତି ଦେଲେ। ଦେବଗୁରୁ ବୃହସ୍ପତି ନିଜ ବଚନ ଅନୁଯାୟୀ ପୂର୍ଣ୍ଣମୀ ଦିନ ଦେବରାଜ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ଇନ୍ଦ୍ରାଣୀ ମଧ୍ୟ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ଏହାପରେ ଅସୁରମାନଙ୍କ ସହ ଲଢ଼ି ଦେବତାମାନେ ଜିତିଲେ। ଏଥିରୁ ଅନୁମେୟ, ପ୍ରାଚୀନକାଳରେ ଗୁରୁ କିମ୍ବା ପତ୍ନୀ ରକ୍ଷାସୂତ୍ର ବାନ୍ଧିବାର ପ୍ରଥା ଥିଲା। କାଳକ୍ରମେ ଭଉଣୀ ରକ୍ଷାସୂତ୍ର ବାନ୍ଧିବାର ବିଧି ପ୍ରଚଳିତ ହେଲା। ମହାଭାରତର ଏକ କାହାଣୀ ଅନୁସାରେ, ଶ୍ରୀକୃଷ୍ଣ ଯେତେବେଳେ ଶିଶୁପାଳକୁ ବଧ କରିଥିଲେ ସେତେବେଳେ ସେ ଆଘାତ ପାଇଥିଲେ ଏବଂ ତାଙ୍କ ଆଙ୍ଗୁଠି କଟି ରକ୍ତ ଝରୁଥିବା ଦେଖି ଦ୍ରୌପଦୀ ତୁରନ୍ତ ନିଜ ପିନ୍ଧାଶାଢ଼ିର କାନି ଚିରି କୃଷ୍ଣଙ୍କ ରକ୍ତାକ୍ତ ଆଙ୍ଗୁଠିରେ ବାନ୍ଧି ରକ୍ତସ୍ରାବ ବନ୍ଦ କରି ଦେଇଥିଲେ। ଶ୍ରୀକୃଷ୍ଣ କୃତଜ୍ଞତାର ମୁରୁକି ହସଟିଏ ହସି ଦେଇଥିଲେ। କୁରୁସଭାରେ ଦୁଃଶାସନର ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଅୟୁତବସ୍ତ୍ର ଦାନ କରି ପ୍ରିୟ ସଖୀଙ୍କର ମାନରକ୍ଷା କରିଥିଲେ। ଇତିହାସର ଏକ କାହାଣୀ ଅନୁସାରେ, ଚିତୋରର ରାଜାଙ୍କୁ ବାହାଦୁର ଶାହା ହରାଇଦେଲା ପରେ ବୁଦ୍ଧିମତୀ ଚିତୋର ରାଣୀ କର୍ଣ୍ଣାବତୀ ସମ୍ରାଟ୍ ହୁମାୟୁନ୍ଙ୍କ ପାଖକୁ ଏକ ରାଖି ପଠାଇଲେ। ଅର୍ଥାତ୍ ଭଉଣୀ ମନେକରି ସୁରକ୍ଷା ଦେବାପାଇଁ ପରୋକ୍ଷ ଅନୁରୋଧ କଲେ। ରାଖିର ମାନ ରଖି ହୁମାୟୁନ ଚିତୋରର ସୁରକ୍ଷା ପାଇଁ ତୁରନ୍ତ ସେନା ପଠାଇଲେ। ଯାହାଫଳରେ ଚିତୋର ରକ୍ଷା ପାଇଲା।
ଭାଇ-ଭଉଣୀର ପର୍ବ ରାଖି ପୂର୍ଣ୍ଣିମା
ଆଉ ଦୁଇଦିନ ପରେ ରାଖିପୂର୍ଣ୍ଣିମା। ଭାଇ ହାତରେ ରାଖି ବାନ୍ଧିବ ତା’ର ସ୍ନେହର ଭଉଣୀ। ରାଖି କେବଳ ସୁତାର ଡୋର ନୁହେଁ ବରଂ ଭାଇ ହାତରେ ଥିବା ପ୍ରେମ, ଭାବନା ଓ ପ୍ରତିଜ୍ଞାର ପ୍ରତୀକ ଯାହା ଭଉଣୀଟିକୁ ସବୁ ବିପଦରୁ ରକ୍ଷା କରିଥାଏ। ଏହି ଡୋରଟି ଭଉଣୀର ଭାଇ ପ୍ରତି ଥିବା ଭଲପାଇବା ଓ ସ୍ନେହର ବନ୍ଧନ। ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମଜବୁତ କରେ ଏହି ପର୍ବ।
ଜରି ରାଖି: ସୁନେଲି ରୁପେଲି ଜରି କାମ ହୋଇଥିବା ରାଖି ଦେଖିବାକୁ ଭାରି ମନୋଲୋଭା। ବିଭିନ୍ନ ରଙ୍ଗର ଜରିସୂତାକୁ ବ୍ୟବହାର କରି ସୁନ୍ଦର ଅଳଙ୍କାରଟିଏ ପରି ଦିଶୁଥିବା ରାଖିର ଆଦର କାହିଁରେ କ’ଣ। ମାଳି, ମୋତି, ଚୁମୁକି ଇତ୍ୟାଦି ଖଞ୍ଜି ବେଶ୍ େକଇ ଦଶନ୍ଧି ହେଲାଣି ଜରିରାଖି ସଭିଙ୍କ ମନ ଜିଣିଆସିଛି।
କାର୍ଟୁନ୍ ରାଖି: ଛୋଟ ଭାଇମାନଙ୍କ ପାଇଁ ରହିଛି କାର୍ଟୁନ ରାଖି। ତାଙ୍କର ପ୍ରିୟ କାର୍ଟୁନ ଚରିତ୍ର ଯେପରି ପୋକେମନ୍, ଡୋରେମନ୍, ମିକି ମାଉସ୍ କିମ୍ବା ସାମ୍ବା ଆଦି ରାଖିର ଚାହିଦା ଅଧିକ ରହିଛି।
ଲୁମ୍ବା ରାଖି: ଲୁମ୍ବା ବା ଭାଉଜଙ୍କ ପାଇଁ ବିଶେଷ ଭାବରେ ଉଦ୍ଦିଷ୍ଟ ଏହି ରାଖି। ଭାଉଜ ନିଜ ଦିଅରଙ୍କୁ ଏହି ରାଖି ବାନ୍ଧି ଭାଇଭଉଣୀର ସମ୍ପର୍କ ତିଆରି କରନ୍ତି। ରାଜସ୍ଥାନରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଧୀରେ ଧୀରେ ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳୁଛି।
ମ୍ୟୁଜିକାଲ ରାଖି: ମ୍ୟୁଜିକାଲ ରାଖି ସବୁଠାରୁ ନିଆରା। ଛୁଇଁଲେ ଗୀତ ବାଜୁଥିବା ଏହି ରାଖି ଏବେ ପିଲାମାନଙ୍କର ଭାରି ପସନ୍ଦ।
କୁନ୍ଦନ ରାଖି: ଭାଇ ଯଦି ଫ୍ୟାସନେବଲ୍ ତେବେ ତାଙ୍କ ହାତରେ ବାନ୍ଧିବା ପାଇଁ ଏହା ହେଉଛି ସବୁଠାରୁ ଭଲ ରାଖି। ରଙ୍ଗବେରଙ୍ଗର ପଥର ସହିତ ପାରମ୍ପରିକ କୁନ୍ଦନ କାମ ହୋଇଥିବା ଏହି ରାଖି ଆଧୁନିକ ଯୁବସମାଜରେ ବେଶ୍ ପ୍ରିୟ।
ଫୁଲ ରାଖି: ସଜଫୁଟା ଫୁଲର ରଙ୍ଗ ଓ ବାସ୍ନା ସଭିଙ୍କୁ ଆକୃଷ୍ଟ କରେ। ଏଣୁ ରଜନୀଗନ୍ଧା, ଗୋଲାପ, ଅର୍କିଡ୍ ଇତ୍ୟାଦି ସୁନ୍ଦର ଭାବରେ ଖଞ୍ଜି ଗ୍ରାହକଙ୍କ ମନ ମୁତାବକ ଡିଜାଇନ୍ର ଫୁଲ ତିଆରି ରାଖିର ସ୍ବତନ୍ତ୍ର ଚାହିଦା ରହିଛି।
ବ୍ରେସ୍ଲେଟ୍ ରାଖି: ବ୍ରେସ୍ଲେଟ୍ ଭାବରେ ପିନ୍ଧିବା ପାଇଁ ବିଭିନ୍ନ ଧାତୁରେ ଏହି ରାଖି ସ୍ବତନ୍ତ୍ର ଭାବରେ ତିଆରି ହୋଇଥାଏ। ଏହା ଅନ୍ୟ ରାଖିଠୁ ଅଲଗା। ଅଧିକ ଓଜନିଆ ଏବଂ ବେଶିଦିନ ଯାଏ ଏହାକୁ ଭାଇମାନେ ମଣିବନ୍ଧରେ ପିନ୍ଧିପାରନ୍ତି। ଏଥିରେ କିଛି ପଥର ଖଞ୍ଜି ଆଧୁନିକ ରୂପ ଦିଆଯାଇଥାଏ।
ଦମ୍ପତି ରାଖି: ଦମ୍ପତି ରାଖି ବା ଭାଇଭାଉଜ ରାଖି ୨ଟି ସେଟ୍କୁ ନେଇ ତିଆରି ହୋଇଥାଏ। ଭଉଣୀଟି ନିଜ ଭାଇ ହାତରେ ରାଖି ବାନ୍ଧିବା ସହିତ ଭାଉଜକୁ ମଧ୍ୟ ରାଖି ବାନ୍ଧିଥାଏ। ଆଜିକାଲି ଏହି ଟ୍ରେଣ୍ଡ୍ ସବୁଆଡ଼େ ଦେଖିବାକୁ ମିଳୁଛି।
ଆଧ୍ୟାତ୍ମିକ ରାଖି: କୌଣସି ଦେବଦେବୀଙ୍କ ଚିତ୍ର ବା ପ୍ରତୀକକୁ ନେଇ ପ୍ରସ୍ତୁତ ହେଉଛି ଆଧ୍ୟାତ୍ମିକ ରାଖି। ଜଗନ୍ନାଥଙ୍କ ଛବି ଏବଂ ସ୍ବସ୍ତିକ ଚିହ୍ନ ଥିବା ରାଖିର ଚାହିଦା ସବୁବେଳେ ରହିଛି।
ଇ-ରାଖି/ ଅନ୍ଲାଇନ୍ ରାଖି: ଭାଇଟି ଦୂରରେ ଥିଲେ ଅାଉ ଚିନ୍ତା କରିବାକୁ ପଡ଼ୁନାହିଁ। ଆଜିକାଲି ପ୍ରାୟ ସମସ୍ତଙ୍କ ଭରସା ଇ-ରାଖି। ଇ-ରାଖି ହେଉଛି ଅନଲାଇନ୍ ମାଧ୍ୟମରେ ପଠାଯାଉଥିବା ରାଖି। ଏଥିରେ ସବୁରକମର ରାଖି ସହିତ ମିଠା, ମିମ୍ବା ଚକୋଲେଟ୍, ସିନ୍ଦୂର, ଚାଉଳ ଆଦି ଥାଳିରେ ସଜା ହୋଇଆସୁଛି। ସେହିପରି ଭାଇ ତରଫରୁ ଉପହାର ମଧ୍ୟ ଆଜିକାଲି ଅନ୍ଲାଇନ୍ ମାଧ୍ୟମରେ ଆସୁଛି।
ଚାହିଦାରେ ଏଆଇ ଓ ଚନ୍ଦ୍ରଯାନ ରାଖି
ଭାଇ ଦୂରରେ ଥିଲେ ଆଗରୁ ଭଉଣୀ ଡାକ କିମ୍ବା କୋରିୟର୍ ମାଧ୍ୟମରେ ରାଖି ପଠାଉଥିଲା। ତା’ପରେ ଅନ୍ଲାଇନରେ ରାଖି ପଠାଇବା ଗୋଟେ ବିକଳ୍ପ ଭାବେ ଉଭା ହେଲା। ଏବେ ସମୟ ସାଥିରେ ତାଳ ଦେଇ ଯୁବପିଢ଼ି ଆଉ ପାଦେ ଆଗକୁ ଯାଇ ଆଧୁନିକ ଶୈଳୀରେ ରାଖି ପ୍ରସ୍ତୁତ କରୁଛନ୍ତି। ଏଥିରେ ଯୋଡ଼ି ହୋଇଛି ବର୍ତ୍ତମାନ ବଜାରରେ ନିଜର ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ରାଖି ଓ ଚନ୍ଦ୍ରଯାନ ରାଖି। ନୂତନ ଶୈଳୀରେ ନିର୍ମିତ ତଥା ଆଖିକୁ ସୁନ୍ଦର ଦିଶୁଥିବା ଏହି ରାଖିର ଚାହିଦା ବି କିଛି କମ୍ ନୁହେଁ। ଭାଇଭଉଣୀର ଅନୁପସ୍ଥିତିକୁ ଦୂରେଇବା ପାଇଁ ଏଆଇ ରାଖିରେ ଭଉଣୀର ଫଟୋ ସହିତ ଶୁଭେଚ୍ଛା ବାର୍ତ୍ତା ଅବା ଗୀତକୁ ନେଇ କ୍ୟୁଆର୍ ସ୍କାନ କରି ଏହି ରାଖି ପ୍ରସ୍ତୁତ ହେଉଛି। ଯାହାକୁ ପ୍ରସ୍ତୁତ କରିବାକୁ ମାତ୍ର କିଛି ମିନିଟ୍ ଲାଗୁଛି। ଏହାକୁ କଥାକୁହା ରାଖି ମଧ୍ୟ କୁହାଯାଉଛି। ସେହିପରି ଚନ୍ଦ୍ରଯାନ-୩ର ସଫଳତା ପରେ ଏହାକୁ ମନେ ରଖିବାକୁ ତଥା ଉତ୍ସାହିତ କରିବାକୁ ଚନ୍ଦ୍ରଯାନ ରାଖି ମଧ୍ୟ ପ୍ରସ୍ତୁତ ହୋଇଛି।