ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ ଭଳି ମହାମାରୀ । ଫଳରେ ଅନେକ ସ୍ଥାନରେ ଲକଡାଉନ ଭଳି ସ୍ଥିତି ପୁଣି ଫେରିଛି । ଏଥିରୁ ବାଦ ପଡିନି ଭାରତ । ପୂର୍ବରୁ ଦୁଇ ଦୁଇଟି ଲହରକୁ ସାମ୍ନା କରି ଅସହାୟ ହୋଇପଡିଥିବା ଲୋକେ ଟିକେ ଅଣ୍ଟା ସଳଖ କରିବା ବେଳକୁ ପୁଣି ଏବେ ଦାଉ ସାଧୁଛି ନୂଆ ଭାରିଆଣ୍ଟ ଓମିକ୍ରନ ।
ଦେଶରେ ଓମିକ୍ରନର ବଢୁଥିବା ଗତିକୁ ଦୃଷ୍ଟିରେ ରଖି ବିବାହ ବ୍ରତ ଭଳି ଉତ୍ସବ ଉପରେ ଲାଗିଛି କଟକଣା । କିଛି ସ୍ଥାନରେ ଏହାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ଆଉ କିଛି ସ୍ଥାନରେ ଏହାକୁ ନେଇ ନିୟମ କଡାକଡି ହୋଇଛି । ମୁମ୍ବାଇରେ ୧୪୪ ଧାରା ଜାରି ହୋଇଥିବାବେଳେ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ଏଭଳି ସମୟରେ ଯେଉଁମାନେ ବିବାହ ପାଇଁ ଯୋଜନା କରିଥିଲେ ବା ଏଥିପାଇଁ ସମସ୍ତ ଯୋଜନା କରିସାରିଥିଲେ ସେମାନେ ଏବେ ଚିନ୍ତାରେ । କାରଣ ସେମାନେ ଦେଇଥିବା ଅଗ୍ରୀମ ଟଙ୍କା ଆଉ ଫେରି ପାଇବେ କି ନାହିଁ ଏଥିପାଇଁ ସେମାନଙ୍କର ଚିନ୍ତା ।
ହେଲେ ଏବେ ଆଉ ଏନେଇ ଚିନ୍ତା କରନ୍ତୁନି କାରଣ ଯଦି କରୋନା କିମ୍ବା ଅନ୍ୟ କିଛି କାରଣ ନେଇ ବିବାହ ଭାଙ୍ଗିଯାଏ ବା ସ୍ଥଗିତ କରିବାକୁ ପଡେ ତାହେଲେ ଖର୍ଚ୍ଚ ହୋଇଥିବା ଟଙ୍କା ଆପଣଙ୍କୁ ମିଳିଯିବ । କାରଣ ଏହି ସମସ୍ୟାକୁ ଏଡାଇବା ପାଇଁ କିଛି ବ୍ୟାଙ୍କ ଏକ ସ୍ୱତନ୍ତ୍ର ବୀମା ବ୍ୟବସ୍ଥା କରିଛନ୍ତି ।ଆଇସିଆଇସିଆଇ ଲୋମ୍ବାର୍ଡ, ଫ୍ୟୁଚର ଜେନେରାଲ, ଏଚଡିଏଫସି ଅର୍ଗୋ, ବଜାଜ ଆଲିଆନ୍ସ ପକ୍ଷରୁ ହୋଇଥିବା ମ୍ୟାରେଜ୍ ଇନସ୍ୟୁରାନ୍ସରେ ଆପଣଙ୍କୁ ମିଳିପାରିବ ୧୦ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ । ଏଥିପାଇଁ ଆପଣଙ୍କୁ ମାସିକ ୭୦୦୦ ରୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡିବ ।
କେଉଁ ଖର୍ଚ୍ଚ ବାବଦରେ ମିଳିବ ଇନସ୍ୟୁରାନ୍ସ?
– କ୍ୟାଟରିଙ୍ଗ ପାଇଁ ଦିଆଯାଇଥିବା ଅଗ୍ରୀମ ଟଙ୍କା
– ବୁକ୍ ହୋଇଥିବା ହଲ ବା ରିସୋର୍ଟର ଅଗ୍ରୀମ ଖର୍ଚ୍ଚ
– ଟ୍ରାଭେଲ ଏଜେନ୍ସିକୁ ଦିଆଯାଇଥିବା ଅଗ୍ରୀମ ଟଙ୍କା
– ବିବାହ କାର୍ଡ ପ୍ରିଣ୍ଟ ପାଇଁ ଦିଆଯାଇଥିବା ଟଙ୍କା
– ସାଜସଜ୍ଜା ଓ ବ୍ୟାଣ୍ଡ ବାଜା ପାଇଁ ଦିଆଯାଇଥିବା ଅଗ୍ରୀମ ଟଙ୍କା
ଇନସ୍ୟୁରାନ୍ସ ପାଇବାର ପ୍ରକ୍ରିୟା:
-ବୀମା କରିବା ବେଳେ ଆପଣଙ୍କୁ ସମସ୍ତ ଖର୍ଚ୍ଚ ବୀମା ଏଜେନ୍ସିକୁ ରିପୋର୍ଟ କରିବାକୁ ପଡିବ ।
– ବିବାହ ସ୍ଥଗିତ ହେବା ମାତ୍ରେ ତୁରନ୍ତ ବୀମା କମ୍ପାନିକୁ ଜଣାନ୍ତୁ ।
– ଯଦି ବିବାହ ସ୍ଥାନରୁ କିଛି ଚୋରି ହୋଇଯାଏ କିମ୍ବା ବିବାହ ସ୍ଥଗିତ ହୋଇଯାଏ ତେବେ ପୁଲିସକୁ ଜଣାଇବା ପରେ ଏକ ଏଫଆଇଆର କପି ବୀମା କମ୍ପାନିରେ ଜମା କରରନ୍ତୁ ।
– କମ୍ପାନିରେ ବା ବ୍ୟାଙ୍କରେ ସମସ୍ତ ପ୍ରମାଣପତ୍ର ଦାଖଲ କରି ଇନସ୍ୟୁରାନ୍ସ ଦାବି କରନ୍ତୁ ।
– ଆପଣଙ୍କ ବୀମା କମ୍ପାନି ଏହାର ଅନୁସନ୍ଧାନ ପାଇଁ ଏକ ପ୍ରତିନିଧି ପଠାଇବ । ତା ପରେ ଆପଣ ଦାବି କରିଥିବା ଟଙ୍କା ପାଇପାରିବେ ।
– ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଆପଣ ସିଧା କୋର୍ଟଙ୍କ ସାହାଯ୍ୟ ନେଇ ପାରିବେ ।
– କମ୍ପାନିରେ କ୍ଲେମ କରିବାର ୩୦ ଦିନ ମଧ୍ୟରେ ଆପଣଙ୍କୁ ଇନସ୍ୟୁରାନ୍ସ ଟଙ୍କା ମିଳିପାରିବ ।