ନୂଆଦିଲ୍ଲୀ: ସମୟସମୟରେ ଅଦ୍ଭୁତ ପ୍ରକାର ଶିଶୁ ଏଦୁନିଆରେ ଜନ୍ମ ନେଇଥାଆନ୍ତି। ଯାହାକୁ ଦେଖିବାକୁ ହସ୍ପିଟାଲରେ ଭିଡ ଲାଗିବା ସହିତ ଶିଶୁର ମା ଓ ବାପା ବି ନିଜ ଶିଶୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି।
କେତେବେଳେ ଶିଶୁ କିଛିଟା ଅଙ୍ଗ ନଥାଇ ଜନ୍ମ ନେଲାଣି ତ ଆଉ କେତେବେଳେ ଲାଞ୍ଜ ଥାଇ। ପୁଣି କେତେବେଳେ ଏଲିଅନ ଭଳି ଶିଶୁ ଜନ୍ମ ନେବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି କ୍ରମରେ ଏମିତି ଏକ ଅଦ୍ଭୁତ ଶିଶୁର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ହୋଇଥିବା ଶିଶୁର ନାମ ଜୋଆଓ ମିଗୁଏଲ ବୋଲି ଜଣାପଡ଼ିଛି। ସେ ତାର ବାପା ଓ ମା’ଙ୍କ ସହ ବ୍ରାଜିଲରେ ବସବାସ କରେ।
ଜୋଆଓ ମିଗୁଏଲ ଜନ୍ମ ହେବାପରେ ତାର ଚେହେରାରେ ବଡ଼ଲୋକଙ୍କ ଭଳି ଦାଢ଼ି-ନିଶ ରହିଛି। କେବଳ ଏତିକି ନୁହେଁ ତାର ଘନ କେଶ ଓ ଭୃ ବି ରହିଛି। ଯେଉଁ କାରଣରୁ ଶିଶୁ ଜଣେ ୩୦ବର୍ଷର ଯୁବକଙ୍କ ଭଳି ଦେଖାଯାଉଛି। ଡାକ୍ତରଙ୍କ କହିବାନୁସାରେ ଶିଶୁର ଏଭଳି ପରିସ୍ଥିତିକୁ ଲାନୁଗୋ କୁହାଯାଏ।
ଇନଷ୍ଟାଗ୍ରାମରେ ଜୋଆଓ ମିଗୁଏଲଙ୍କ ଅନେକ ଫଟୋ ତାର ବାପା ଓ ମା’ ପୋଷ୍ଟ କରିଛନ୍ତି। ଜୋଆଓଙ୍କୁ ଦେଖିବା ପାଇଁ ଇନଷ୍ଟାଗ୍ରାମରେ ଦିନକୁ ଦିନ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ପୁଅର ଏଭଳି ଅବସ୍ଥାକୁ ନେଇ ଜୋଆଓଙ୍କ ବାପା ଓ ମା’ କହିଛନ୍ତି, ‘ପ୍ରଥମେ ଏଭଳି ଶିଶୁ ଜନ୍ମ ହେବା ଦେଖି ଆମେ ଭୟଭୀତ ହୋଇଯାଇଥିଲୁ। ପରେ ଡାକ୍ତର କହିଥିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ସମୟ ସହିତ ଶିଶୁ ଶରୀରରୁ ଏସବୁ କେଶ ଝଡ଼ିଯିବ। ଡାକ୍ତରଙ୍କ ଠାରୁ ଏଭଳି କଥା ଶୁଣିବା ପରେ ଆଶ୍ବସ୍ତି ଲାଗିଥିଲା।’