ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଆଚାର୍ଯ୍ୟ ହରିହର ୧୮୭୯ ମସିହାରେ ପୁରୀ ଜିଲ୍ଲା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଗାଁ ସ୍କୁଲ୍ରେ ପ୍ରାଥମିକ ଶିକ୍ଷା ସାରିବା ପରେ ସେ ପୁରୀ ଜିଲ୍ଲା ସ୍କୁଲ୍ରେ ଭର୍ତ୍ତି ହୋଇଥିଲା। ସ୍କୁଲ୍ରେ ପଢ଼ିବା ବେଳୁ ତାଙ୍କ ମନରେ ସେବା ଭାବନା ଜାଗ୍ରତ ହୋଇଥିଲା। ସେ ଘର ଘର ବୁଲି ହଇଜା ରୋଗୀଙ୍କର ଚିକିତ୍ସା କରୁଥିଲେ। ହରିହର ରେଭେନ୍ସା କଲେଜରେ ପଢୁଥିବା ବେଳେ ବନ୍ଧୁ ଗୋପବନ୍ଧୁ ଦାସ ତାଙ୍କୁ ଆଜୀବନ ସହକର୍ମୀ ଭାବେ ଗ୍ରହଣ କରିନେଇଥିଲେ। ସେ ପୁରୀ ଜିଲ୍ଲା ସ୍କୁଲ୍ର ଅସ୍ଥାୟୀ ଶିକ୍ଷକ ରୂପେ ନିଜର ପେସାଦାର ଜୀବନ ଆରମ୍ଭ କରିଥିଲେ।
୧୯୧୨ରେ ସେ ଗୋପବନ୍ଧୁଙ୍କ ସଦ୍ୟବାଦୀ ଜାତୀୟ ସ୍କୁଲ୍ରେ ଯୋଗ ଦେଇଥିଲେ। ସତ୍ୟବାଦୀରେ ତାଙ୍କ ବ୍ୟକ୍ତିତ୍ବର ଚରମ ବିକାଶ ଘଟିଥିଲା। ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ୧୯୨୧ ମସିହାରେ ସେ ଜାତୀୟ ଆନ୍ଦୋଳନରେ ଯୋଗଦେଇଥିଲେ। ଏହା ପରେ ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ କାରାବରଣ କରିଥିଲେ। ଗୋପବନ୍ଧୁଙ୍କ ପ୍ରସ୍ତାବକ୍ରମେ ସେ ପୁରୀରେ ପ୍ରତିଷ୍ଠିତ ବିଧବା ଆଶ୍ରମରେ କାର୍ଯ୍ୟ କରିଥିଲେ। ଗୋପବନ୍ଧୁ ବନ୍ଦୀ ଥିବା ସମୟରେ ସେ ‘ସମାଜ’ର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ସ୍ବାଧୀନତା ପରେ ଗାନ୍ଧୀ ଯେମିତି ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିଥିଲେ ଆଚାର୍ଯ୍ୟ ହରିହର ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ସମାଜସେବା କଲେ। ୧୯୫୫ରେ ସେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଓଡ଼ିଶାର ଗାଁ ଗାଁ ବୁଲି ଅହିଂସା ମନ୍ତ୍ର ପ୍ରଚାର, ଖଦି କାମ, ଶିକ୍ଷାର ପ୍ରସାର, ଅସ୍ପୃଶ୍ୟତା ଦୂରୀକରଣ ଆଦି କାମରେ ସେ ସକ୍ରିୟ ରହିଥିଲେ। ସେବା, ସହାନୁଭୂତି, ଆଚରଣ ଓ ଐକାନ୍ତିକ ନିଷ୍ଠାର ସେ ଥିଲେ ଜଣେ ଜୀବନ୍ତ ପ୍ରତୀକ। ୧୯୭୧ ମସିହା ଫେବ୍ରୁଆରି ଆଜି ଦିନରେ ପରଲୋକ ଘଟିବା ପର୍ଯ୍ୟନ୍ତ ସେ ନିରବଚ୍ଛିନ୍ନ ଭାବେ ଜନସେବା କାର୍ଯ୍ୟରେ ନିୟୋଜିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/465464545sf4hhfshf.jpg)