ଆଚାର୍ଯ୍ୟପ୍ରବରଂ ନୌମି

ଆଜି ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ୮୯ତମ ଜନ୍ମତିଥି

୧୯୨୦, ଫେବ୍ରୁଆରି ୨୧ ତାରିଖ। ଭକ୍ତଗହଣରେ ବସିଥାଆନ୍ତି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର। ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥାଏ ସଦାଲୋଚନା। ଏକ ଭାବମୟ ପରିବେଶରେ ସମସ୍ତେ ତାଙ୍କଠାରେ ତଲ୍ଲୀନ। ଏହି ସମୟରେ ହଠାତ୍ ଶ୍ରୀଶ୍ରୀଠାକୁରଙ୍କ ମୁଖରୁ ନିଃସୃତ ହୁଏ ଏକ ଅମିୟବାଣୀ- ‘‘ଏହି ବିଶ୍ବେ ଅଛି ଯେତେ ନଗରାଦି ଗ୍ରାମ, ସର୍ବତ୍ର ପ୍ରଚାର ହେବ ଏହି ସତନାମ।’’

ସମବେତ ଭକ୍ତମଣ୍ଡଳୀ ସ୍ତମ୍ଭୀଭୂତ ହୋଇଯାଆନ୍ତି। କ’ଣ କହୁଛନ୍ତି ଠାକୁର? ନିଜର ଅନୁସନ୍ଧିତ୍ସା ଅବଦମିତ କରି ନ ପାରି ନଗେନ୍ଦ୍ରନାଥ ଦତ୍ତ ନାମକ ଜଣେ ଭକ୍ତ ପଚାରନ୍ତି- ‘‘ଏ ବିଶ୍ବେ? ଏହା କ’ଣ ସହଜ କଥା??’’ ଶ୍ରୀଶ୍ରୀଠାକୁର ଏ ପ୍ରଶ୍ନର ଉତ୍ତରରେ କହନ୍ତି- ‘‘ଯେତେବେଳେ କହିପକାଇଛି, ପରମପିତା ନିଶ୍ଚୟ କରିବେ।’’

ସେତେବେଳେ ଠାକୁର ଅନୁକୂଳଚନ୍ଦ୍ରଙ୍କ ବୟସ ମାତ୍ର ୩୨ବର୍ଷ। ପୁଣି ତାଙ୍କ ବିଷୟରେ ବିଶେଷ କେହି ଜାଣି ନ ଥାନ୍ତି। ‘ସତ୍‌ସଙ୍ଗ’ ଆନ୍ଦୋଳନର ଅଙ୍କୁରୋଦ୍‌ଗମ ହେଉଥାଏ।  ଭକ୍ତ-ଅନୁଗାମୀଙ୍କ ସଂଖ୍ୟା ବି ନଗଣ୍ୟ। ଏପରି ଅବସ୍ଥାରେ ସାରା ବିଶ୍ବର ନଗରାଦିଗ୍ରାମରେ ତାଙ୍କ ପ୍ରଦତ୍ତ ସତ୍‌ନାମ ପ୍ରଚାର ହେବା କଥା କିଏ ବା କାହିଁକି ବିଶ୍ବାସ କରିବ?

କିନ୍ତୁ ଆଜି ଶ୍ରୀଶ୍ରୀଠାକୁରଙ୍କ ସେହି କଥା ସତ୍ୟରେ ପରିଣତ ହୋଇଛି। ବର୍ତ୍ତମାନ ଭାରତର ପ୍ରତି ରାଜ୍ୟ ଓ ବିଶ୍ବର ଅନେକ ରାଷ୍ଟ୍ରରେ ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ରହିଥିବା ବେଳେ ‘ସତ୍‌ସଙ୍ଗ’ କେନ୍ଦ୍ର, ମନ୍ଦିର ଓ ବିହାର ଗଢ଼ିଉଠିଛି। ୧୦୦ ବର୍ଷ ତଳେ ଶ୍ରୀଶ୍ରୀଠାକୁରଙ୍କ ମୁଖନିଃସୃତ ବାଣୀକୁ ସାକାର କରି ତୋଳିଛନ୍ତି ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା।  ଆଚାର୍ଯ୍ୟ ସ୍ଥଳାଭିଷିକ୍ତ ହୋଇ ‘ସତ୍‌ସଙ୍ଗ’ର ଅଭିଭାବକତ୍ବ ଗ୍ରହଣ କରିବା ପରେ ସତ୍‌ନାମ ପ୍ରଚାରଯଜ୍ଞର ଆହ୍ବାନ ଦେଇଥିଲେ ସେ। ପ୍ରତିଟି ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ସୂତ୍ର ଧରାଇବା ଲାଗି ତା’ର ଦ୍ବାରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ଐଶୀ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ‘ସତ୍‌ସଙ୍ଗ’ର ପ୍ରତିଟି କର୍ମୀ ସକ୍ରିୟ ହୋଇ ଉଠିଥିଲେ ଏବଂ ନିଜର ସାମର୍ଥ୍ୟକୁ ବୃଦ୍ଧି କରି ଜାତି-ବର୍ଣ୍ଣ-ସଂପ୍ରଦାୟ-ନିର୍ବିଶେଷରେ କୋଟିକୋଟି ଆଗ୍ରହୀ ମଣିଷଙ୍କୁ ସତ୍‌ନାମରେ ଅଭିମନ୍ତ୍ରିତ କରିଥିଲେ। ଫଳରେ ସମାଜର ସବୁବର୍ଗର ମଣିଷ ଆଜି ଶ୍ରୀଶ୍ରୀଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଚାର୍ଯ୍ୟଦେବଙ୍କ ମାର୍ଗଦର୍ଶନ ମାଧ୍ୟମରେ ସର୍ବସମସ୍ୟାର ସମାଧାନ ପାଇପାରୁଛନ୍ତି।

ଦୀକ୍ଷିତ-ଅଦୀକ୍ଷିତ-ନିର୍ବିଶେଷରେ ପ୍ରତିଟି ମଣିଷର ଦୁଃଖ-ବେଦନା, ସମସ୍ୟା-ସଂକଟ, ଦ୍ବନ୍ଦ୍ବ-ଅନୁଶୋଚନା ଦୂର କରିବା ଲାଗି ସେ ସଦା ଜାଗ୍ରତ। ସମସ୍ତଙ୍କ ଆନନ୍ଦରେ ହିଁ ତାଙ୍କର ଆନନ୍ଦ। ପ୍ରତ୍ୟହ ତାଙ୍କ ନିକଟକୁ ଦେଶବିଦେଶର କୋଣ-ଅନୁକୋଣରୁ ଛୁଟି ଆସନ୍ତି ହଜାରହଜାର ସମସ୍ୟାଜର୍ଜରିତ ମଣିଷ। ଅତି ଆପଣାର ମଣିଷ ଭାବି କହିପକାନ୍ତି ବୁକୁତଳର ବ୍ୟଥା। ଆଉ ସେ ସକଳ ଦୁର୍ଦ୍ଦଶାକୁ ଟାଣିନେଇ ସ୍ବସ୍ତି ଓ ଆଶ୍ବସ୍ତିର ପଥ ଦେଖାନ୍ତି। କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର, ପୁଣି କିଏ ପାରିବାରିକ ସମସ୍ୟାକବଳିତ ହୋଇ ଅଶାନ୍ତିରେ ଆଉଟୁପାଉଟୁ, ଏମିତି କେତେ ଜଟିଳ ସମସ୍ୟାର ସରଳ ସମାଧାନ ଦେଇ ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ରାହା ଦେଖାନ୍ତି ସେ। ତାଙ୍କର ନିର୍ଦ୍ଦେଶ ପରିପାଳନ କରି କେତେ ଯେ ମଣିଷ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ଓ ତାଙ୍କ ପ୍ରଦତ୍ତ ଚିକିତ୍ସାମାର୍ଗର ଅନୁସରଣ କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଛନ୍ତି ତା’ର କଳନା ନାହିଁ। ତଥାକଥିତଭାବେ ଅଲୌକିକ ମନେହେଉଥିବା ଘଟଣାମାନ ନିତ୍ୟ ଘଟିଚାଲିଛି। କିନ୍ତୁ କୋଟିହୃଦୟର ଆରାଧ୍ୟ, ଅସହାୟର ତ୍ରାଣକର୍ତ୍ତା, ତ୍ରିକାଳଜ୍ଞ ପୁରୁଷ ଶ୍ରୀଶ୍ରୀଦାଦା କହନ୍ତି , ଯାହା ବି ହେଉଛି ସବୁ ହିଁ ପରମପିତାଙ୍କ ଲୀଲା। ଏଠାରେ ଆଚାର୍ଯ୍ୟଦେବଙ୍କର ଏକ ବାଣୀ ମନେପଡ଼େ- ‘‘ନିତ୍ୟ ତା’ର ଲୀଲା ଚାଲେ ଲୋକଲୋକାନ୍ତରେ, ଦେଖେ ସେହୁ ଭକ୍ତି ଯା’ର ଜାଗ୍ରତ ଅନ୍ତରେ।’’

ଯଦିଓ ସେ ଲୌକିକଭାବେ ସର୍ବଦା ଭକ୍ତଗହଣରେ ବିଚରଣ କରନ୍ତି ଓ ସର୍ବଜନର ସୁଖଦୁଃଖର ସାଥୀ ହୋଇଥାଆନ୍ତି, କିନ୍ତୁ ପରମପିତାଙ୍କ ସହ ନିରବଚ୍ଛିନ୍ନଭାବେ ଯୋଗଯୁକ୍ତ ଓ ଏକାତ୍ମ ଅବସ୍ଥାରେ ହିଁ  ରହିଥାଆନ୍ତି। ତାଙ୍କରି ମାଧ୍ୟମରେ ଶ୍ରୀଶ୍ରୀଠାକୁର ହିଁ ଲୀଳା କରନ୍ତି ଅହରହ। ଏହି ପ୍ରସଙ୍ଗରେ ଇଷ୍ଟପ୍ରତିଭୂ ଆଚାର୍ଯ୍ୟଦେବଙ୍କ ସ୍ବରଚିତ ପଂକ୍ତିଟିଏ ଅବଶ୍ୟ ଉଲ୍ଲେଖଯୋଗ୍ୟ- ‘‘ତୋମାକେ ଯଖନ୍ ମନେ ପଡ଼େ, ଧରା ମନେ ହଏ ଜନହୀନ୍; ତୁମି ଆଛୋ ଆର ଆମି ଆଛି, ବାକି ସବ୍ ତୋମାତେ ବିଲୀନ୍।’’ (ତୁମେ ଯେବେ ମନେପଡ଼ ଧରା ମନେହୁଏ ଜନହୀନ; ତୁମେ ଅଛ ଆଉ ମୁଁ ଅଛି, ବାକି ସବୁ ତୁମଠି ବିଲୀନ)

ଆଜି ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କର ୮୯ତମ ଜନ୍ମତିଥିରେ ତାଙ୍କର ସୁସ୍ଥ-ସ୍ବସ୍ଥ ଓ ଚିରାୟୁ ଜୀବନ ଲାଗି ଶ୍ରୀଶ୍ରୀଠାକୁରଙ୍କ ଶ୍ରୀପାଦପଦ୍ମରେ ଐକାନ୍ତିକ ପ୍ରାର୍ଥନା।

-ଧୃତିକାମ ମହାନ୍ତି 

ସମ୍ବନ୍ଧିତ ଖବର