୧୯୨୦, ଫେବ୍ରୁଆରି ୨୧ । ଭକ୍ତଗହଣରେ ବସିଥାଆନ୍ତି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର। ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥାଏ ସଦାଲୋଚନା। ଏକ ଭାବମୟ ପରିବେଶରେ ସମସ୍ତେ ତାଙ୍କଠାରେ ତଲ୍ଲୀନ। ଏହି ସମୟରେ ହଠାତ୍ ଶ୍ରୀଶ୍ରୀଠାକୁରଙ୍କ ମୁଖରୁ ନିଃସୃତ ହୁଏ ଏକ ଅମିୟବାଣୀ- ‘‘ଏହି ବିଶ୍ବେ ଅଛି ଯେତେ ନଗରାଦି ଗ୍ରାମ, ସର୍ବତ୍ର ପ୍ରଚାର ହେବ ଏହି ସତନାମ।’’
ସମବେତ ଭକ୍ତମଣ୍ଡଳୀ ସ୍ତମ୍ଭୀଭୂତ ହୋଇଯାଆନ୍ତି! କ’ଣ କହୁଛନ୍ତି ଠାକୁର? ନିଜର ଅନୁସନ୍ଧିତ୍ସା ଅବଦମିତ କରି ନ ପାରି ନଗେନ୍ଦ୍ରନାଥ ଦତ୍ତ ନାମକ ଜଣେ ଭକ୍ତ ପଚାରନ୍ତି- ‘‘ଏ ବିଶ୍ବେ? ଏହା କ’ଣ ସହଜ କଥା??’’ ଶ୍ରୀଶ୍ରୀଠାକୁର ଏ ପ୍ରଶ୍ନର ଉତ୍ତରରେ କହନ୍ତି- ‘‘ଯେତେବେଳେ କହିପକାଇଛି, ପରମପିତା ନିଶ୍ଚୟ କରିବେ।’’
ସେତେବେଳେ ଠାକୁର ଅନୁକୂଳଚନ୍ଦ୍ରଙ୍କ ବୟସ ମାତ୍ର ୩୨ବର୍ଷ। ପୁଣି ତାଙ୍କ ବିଷୟରେ ବିଶେଷ କେହି ଜାଣି ନ ଥାନ୍ତି। ‘ସତ୍ସଙ୍ଗ’ ଆନ୍ଦୋଳନର ଅଙ୍କୁରୋଦ୍ଗମ ହେଉଥାଏ। ଆଉ ଭକ୍ତ-ଅନୁଗାମୀଙ୍କ ସଂଖ୍ୟା ବି ନଗଣ୍ୟ। ଏପରି ଅବସ୍ଥାରେ ସାରା ବିଶ୍ବର ନଗରାଦିଗ୍ରାମରେ ତାଙ୍କ ପ୍ରଦତ୍ତ ସତ୍ନାମ ପ୍ରଚାର ହେବା କଥା କିଏ ବା କାହିଁକି ବିଶ୍ବାସ କରିବ?
କିନ୍ତୁ ଆଜି ଶ୍ରୀଶ୍ରୀଠାକୁରଙ୍କ ସେହି ବାଣୀ ଅନେକାଂଶରେ ସତ୍ୟରେ ପରିଣତ ହୋଇଛି। ବର୍ତ୍ତମାନ ଭାରତର ପ୍ରତି ରାଜ୍ୟ ଓ ବିଶ୍ବର ଅନେକ ରାଷ୍ଟ୍ରରେ ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ରହିଥିବା ବେଳେ ‘ସତ୍ସଙ୍ଗ’ କେନ୍ଦ୍ର, ମନ୍ଦିର ଓ ବିହାରମାନ ଗଢ଼ିଉଠିଛି। ପ୍ରାୟ ୧୦୦ ବର୍ଷ ତଳେ ତାଙ୍କ ମୁଖନିଃସୃତ ବାଣୀକୁ ସାକାର କରି ତୋଳିଛନ୍ତି ‘ସତ୍ସଙ୍ଗ’ର ଦିବଂଗତ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା। ୧୯୯୪ ମସିହାରେ ଆଚାର୍ଯ୍ୟ ସ୍ଥଳାଭିଷିକ୍ତ ହୋଇ ‘ସତ୍ସଙ୍ଗ’ର ଅଭିଭାବକତ୍ବ ଗ୍ରହଣ କରିବା ପରେ ସତ୍ନାମ ପ୍ରଚାରଯଜ୍ଞର ଆହ୍ବାନ ଦେଇଥିଲେ ସେ। ପ୍ରତିଟି ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ସୂତ୍ର ଧରାଇବା ଲାଗି ତା’ର ଦ୍ବାରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କର ଐଶୀ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ‘ସତ୍ସଙ୍ଗ’ର ପ୍ରତିଟି କର୍ମୀ ସକ୍ରିୟ ହୋଇ ଉଠିଥିଲେ ଏବଂ ନିଜର ସାମର୍ଥ୍ୟର ସୀମା ଅତିକ୍ରମ କରି ଜାତି-ବର୍ଣ୍ଣ-ସଂପ୍ରଦାୟ-ନିର୍ବିଶେଷରେ କୋଟିକୋଟି ଆଗ୍ରହୀ ମଣିଷଙ୍କୁ ସତ୍ନାମରେ ଅଭିମନ୍ତ୍ରିତ କରିଥିଲେ। ଫଳରେ ସମାଜର ସବୁବର୍ଗର ମଣିଷ ଆଜି ଶ୍ରୀଶ୍ରୀଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବସମସ୍ୟାର ସମାଧାନ ପାଇପାରୁଛନ୍ତି। ତେବେ ଡିସେମ୍ବର ୧୬ତାରିଖରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ତାଙ୍କର ମହାପ୍ରୟାଣ ହେବାଫଳରେ କୋଟିକୋଟି ସତସଙ୍ଗୀ ତାଙ୍କର ଆଧ୍ୟାତ୍ମିକ ଅଭିଭାବକଙ୍କୁ ହରାଇଛନ୍ତି।
ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କର ପାରଲୌକିକ କ୍ରିୟାର ଏକାଦଶାହ ଅବସରରେ ଅଶ୍ରୁଳ ଅର୍ଘ୍ୟାଞ୍ଜଳି
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା ( ଶ୍ରୀ ଅଶୋକ ଚକ୍ରବର୍ତ୍ତୀ) ‘ସତସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ପିଲାଟି ଦିନରୁ ବ୍ରତୀ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ଅଧୁନା ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଏହାପରେ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ଶ୍ରୀଶ୍ରୀଠାକୁରଙ୍କ ସହ ସେ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ବୈଦ୍ୟନାଥଧାମ ଦେଓଘର ଆସିଥିଲେ। ଦେଓଘରରେ ସ୍କୁଲଶିକ୍ଷା ଓ କୋଲକାତାରେ ଉଚ୍ଚଶିକ୍ଷା ପରେ ସେ ସଂପୂର୍ଣ୍ଣଭାବେ ଠାକୁରଙ୍କ ଆଦର୍ଶର ପ୍ରଚାରପ୍ରସାରରେ ସମର୍ପିତ ହୋଇଥିଲେ।
ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆସାମର ରାଜଧାନୀ ଗୌହ୍ବାଟୀରେ ୧୯୭୨ ମସିହାରେ ସତସଙ୍ଗର ପ୍ରଥମ ମନ୍ଦିର ନିର୍ମାଣ ହୋଇଥିଲା। ଏହାପରେ ସେ ଭକ୍ତଅନୁରାଗୀଙ୍କୁ ପ୍ରେରଣା ଓ ଦିଗଦର୍ଶନ ଦେଇ ଦେଶର ବିଭିନ୍ନ ସ୍ଥାନରେ ସତସଙ୍ଗ କେନ୍ଦ୍ର, ବିହାର ଓ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ଭୁବନେଶ୍ବରରେ ଶୋଭାପାଉଥିବା ସତସଙ୍ଗର ବିଶାଳ ଶ୍ରୀମନ୍ଦିର ତାଙ୍କର ପରିକଳ୍ପନା, ଦିଗଦର୍ଶନ ଓ ସକ୍ରିୟ ଯୋଗଦାନ ଦ୍ବାରା ଗଢ଼ିଉଠିଛି। ଓଡ଼ିଶା ସହ ଆଚାର୍ଯ୍ୟଦେବଙ୍କର ଥିଲା ଅନ୍ତରଙ୍ଗ ସଂପର୍କ। ତାଙ୍କର ଜୀବନକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ବହୁବାର ଓଡ଼ିଶା ଆସିଛନ୍ତି ଓ ଓଡ଼ିଶାର ଅଧିକାଂଶସ୍ଥାନ ଗସ୍ତକରି ସତସଙ୍ଗର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ତାଙ୍କର ନିର୍ଦ୍ଦେଶ ଓ ଆଶୀର୍ବାଦରେ ଏବେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସତସଙ୍ଗ ବିହାର ଓ ମନ୍ଦିର ଗଢ଼ିଉଠିଛି ଏବଂ ସମାଜରେ ଭାତୃତ୍ବ, ସହନଶୀଳତା ଓ ଧର୍ମନିରପେକ୍ଷତାର ବାର୍ତ୍ତା ଦେଇଚାଲିଛି।
ଦୀକ୍ଷିତ-ଅଦୀକ୍ଷିତ-ନିର୍ବିଶେଷରେ ପ୍ରତିଟି ମଣିଷର ଦୁଃଖ-ବେଦନା, ସମସ୍ୟା-ସଂକଟ, ଦ୍ବନ୍ଦ୍ବ-ଅନୁଶୋଚନା ଦୂର କରିବା ଲାଗି ସେ ସଦା ଜାଗ୍ରତ। ସମସ୍ତଙ୍କ ଆନନ୍ଦରେ ହିଁ ତାଙ୍କର ଆନନ୍ଦ। ପ୍ରତ୍ୟହ ତାଙ୍କ ନିକଟକୁ ଦେଶବିଦେଶର କୋଣ-ଅନୁକୋଣରୁ ଛୁଟି ଆସନ୍ତି ହଜାରହଜାର ସମସ୍ୟାଜର୍ଜରିତ ମଣିଷ। ଅତି ଆପଣାର ଭାବି କହିପକାନ୍ତି ବୁକୁତଳର ବ୍ୟଥା। ଆଉ ସେ ସକଳ ଦୁର୍ଦ୍ଦଶାକୁ ଟାଣିନେଇ ସ୍ବସ୍ତି ଓ ଆଶ୍ବସ୍ତିର ପଥ ଦେଖାନ୍ତି। କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର, ପୁଣି କିଏ ପାରିବାରିକ ସମସ୍ୟାକବଳିତ ହୋଇ ଅଶାନ୍ତିରେ ଜର୍ଜରିତ, ଏମିତି କେତେ ଜଟିଳ ସମସ୍ୟାର ସରଳ ସମାଧାନ ଦେଇ ମଣିଷକୁ ବଞ୍ଚିବାର ରାହା ଦେଖାନ୍ତି ସେ। ତାଙ୍କର ନିର୍ଦ୍ଦେଶ ପରିପାଳନ କରି କେତେ ଯେ ମଣିଷ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ଓ ତାଙ୍କ ପ୍ରଦତ୍ତ ଚିକିତ୍ସାମାର୍ଗର ଅନୁସରଣ କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଛନ୍ତି ତା’ର କଳନା ନାହିଁ। ଆଉ ଯେତେବେଳେ ବି କେଉଁଠି ପ୍ରକୃତିକ ବିପର୍ଯ୍ୟୟ ଘଟିଛି କିମ୍ବା ମଣିଷର ବଞ୍ଚିବା-ବଢ଼ିବା ବିପର୍ଯ୍ୟସ୍ତ ହୋଇଛି ସେସମୟରେ ଶ୍ରୀଶ୍ରୀଦାଦା ସତସଙ୍ଗୀମାନଙ୍କୁ ତନୁ-ମନ-ଧନଦେଇ ସାହାଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ନିଜେ ଅର୍ଘ୍ୟଦାନ କରିବା ସହ ସଭିଁଙ୍କଠାରୁ ଅର୍ଘ୍ୟ ସଂଗ୍ରହ କରି ପହଞ୍ଚାଇଛନ୍ତି। କରୋନା ମହାମାରୀ କାଳରେ ତାଙ୍କ ପ୍ରଚେଷ୍ଟାରେ ‘ସତସଙ୍ଗ’ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ୧୦କୋଟି ଟଙ୍କା ଦାନ କରିଛି।
ତଥାକଥିତଭାବେ ଅଲୌକିକ ମନେହେଉଥିବା ଘଟଣାମାନ ନିତ୍ୟ ଘଟିଚାଲିଛି। କିନ୍ତୁ କୋଟିହୃଦୟର ଆରାଧ୍ୟ ଓ ସର୍ବଜନର ତ୍ରାଣକର୍ତ୍ତା ଶ୍ରୀଶ୍ରୀଦାଦା କହନ୍ତି , ଯାହା ବି ହେଉଛି ସବୁ ହିଁ ପରମପିତାଙ୍କ ଲୀଲା। ଏଠାରେ ଆଚାର୍ଯ୍ୟଦେବଙ୍କର ଏକ ବାଣୀ ମନେପଡ଼େ- ‘‘ନିତ୍ୟ ତା’ର ଲୀଲା ଚାଲେ ଲୋକଲୋକାନ୍ତରେ, ଦେଖେ ସେହୁ ଭକ୍ତି ଯା’ର ଜାଗ୍ରତ ଅନ୍ତରେ।’’
ଯଦିଓ ସେ ଲୌକିକଭାବେ ସର୍ବଦା ଭକ୍ତଗହଣରେ ବିଚରଣ କରିଥାଆନ୍ତି ଓ ସର୍ବଜନର ସୁଖଦୁଃଖର ସାଥୀ ହୋଇଥାଆନ୍ତି, କିନ୍ତୁ ପରମପିତାଙ୍କ ସହ ସଦା ଯୋଗଯୁକ୍ତ ଓ ଏକାତ୍ମ ଅବସ୍ଥାରେ ହିଁ ରହିଥାଆନ୍ତି। ତାଙ୍କରି ମାଧ୍ୟମରେ ଶ୍ରୀଶ୍ରୀଠାକୁରଙ୍କ ଲୀଳା ସମାହିତ ହୋଇଥାଏ। ଜଣେ ସିଦ୍ଧ ସାଧକ-ତ୍ରିକାଳଜ୍ଞ ପୁରୁଷ ଶ୍ରୀଶ୍ରୀଦାଦା ଥିଲେ ଜଣେ କବି ଓ ସଂଗୀତଜ୍ଞ। ସେ ଶ୍ରୀଶ୍ରୀଠାକୁରଙ୍କ ଉଦ୍ଦେଶ୍ୟରେ ଶହଶହ ଭକ୍ତିକବିତା ରଚନା କରିଯାଇଛନ୍ତି। ଏମଧ୍ୟରୁ ଅନେକ ଭକ୍ତଗୀତିକୁ ସେ ସ୍ବରାରୋପିତ ମଧ୍ୟ କରିଛନ୍ତି। ଏହି ପ୍ରସଙ୍ଗରେ ଆଚାର୍ଯ୍ୟଦେବଙ୍କ ସ୍ବରଚିତ ପଂକ୍ତିଟିଏ ଅବଶ୍ୟ ଉଲ୍ଲେଖଯୋଗ୍ୟ- ‘‘ତୋମାକେ ଯଖନ୍ ମନେ ପଡ଼େ, ଧରା ମନେ ହଏ ଜନହୀନ; ତୁମି ଆଛୋ ଆର ଆମି ଆଛି, ବାକି ସବ ତୋମାତେ ବିଲୀନ।’’ (ତୁମେ ଯେବେ ମନେପଡ଼ ଧରା ମନେହୁଏ ଜନହୀନ; ତୁମେ ଅଛ ଆଉ ମୁଁ ଅଛି, ବାକି ସବୁ ତୁମଠି ବିଲୀନ)।
-ଧୃତିକାମ ମହାନ୍ତି
ସହ-ପ୍ରତି-ଋତ୍ବିକ, ସତସଙ୍ଗ