ମହିଳା ବିରୋଧରେ ଘଟୁଥିବା ସବୁ ଅପରାଧ ମଧ୍ୟରୁ ପାଶବିକତାର ଚରମ ନିଦର୍ଶନ ଏସିଡ ଆକ୍ରମଣ। ଏଥିରେ ସେମାନଙ୍କ ବର୍ତ୍ତମାନ, ଭବିଷ୍ୟତ ସହିତ ଶାରୀରିକ ଏବଂ ମାନସିକ ସ୍ଥିତି ଯେଉଁଭଳି ପ୍ରଭାବିତ ହୁଏ ତାହା ଭୁକ୍ତଭୋଗୀ ହିଁ କହିପାରିବ। ଏସିଡ୍ ଆକ୍ରମଣର ଶିକାର ହୋଇ ସେମାନଙ୍କ ପାଇଁ ଲଢେ଼ଇ କରୁଥିବା ପ୍ରମୋଦିନୀ ରାଉଳଙ୍କ ସହିତ ଆଲୋଚନା କରିଛନ୍ତି ହରପ୍ରିୟା ପୃଷ୍ଟି
ପ୍ରଶ୍ନ: ଏସିଡ୍ ଆକ୍ରମଣର ଶିକାର ହେବା ପରେ ପ୍ରାଥମିକ ଭାବେ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ?
ଉତ୍ତର: ସାଧାରଣତଃ କମ୍ ବୟସରେ ଝିଅମାନେ ଏଭଳି ଅପରାଧର ଶିକାର ହୋଇଥାଆନ୍ତି। ଏସିଡ୍ ମୁହଁରେ ପଡ଼ିବା କ୍ଷଣି ଦେହର ସାଧାରଣ ତାପମାତ୍ରା ୧୦୮ରୁ ଅଧିକ ହୋଇଯାଏ। ତୁରନ୍ତ ଦେହରେ ସଂକ୍ରମଣ ଆରମ୍ଭ ହୋଇଯାଏ। ରାଜ୍ୟରେ ଏସସିବି ବ୍ୟତୀତ କୌଣସି ଡାକ୍ତରଖାନାରେ ଏହାର ଚିକିତ୍ସା ସୁବିଧା ନଥିବାରୁ ପ୍ରାଥମିକ ଚିକିତ୍ସା ମଧ୍ୟ ମିଳିପାରେ ନାହିଁ। ଏହାର ପ୍ରଭାବ ସ୍ବରୂପ ଏସିଡ ପୀଡ଼ିତାଙ୍କ ଦେହରୁ ଚମ ତରଳି ଝଡ଼ି ପଡ଼ିବା ସହିତ ଆଖି, କାନ, ଚୁଟି, ମୁଣ୍ଡର ବିଭିନ୍ନ ଭାଗ ନଷ୍ଟ ହୋଇଯାଏ। ସମୟ ଅତିକ୍ରାନ୍ତ ହେବା ସହିତ ଦେହର ବିଭିନ୍ନ ଭାଗରେ ଘା’ ବାରମ୍ବାର ପଚି ଅସହ୍ୟ ଯନ୍ତ୍ରଣା ଦେଉଥାଏ। ଯେଉଁଥି ପାଇଁ ଜୀବନତମାମ ଚିକିତ୍ସା କରିବାକୁ ପଡ଼େ। ଏସିଡ୍ ଆକ୍ରମଣର ଶିକାର ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଜୀବନ ବଞ୍ଚାଇବା ପାଇଁ ମୋର ୫ଥର ଅସ୍ତ୍ରୋପଚାର ହେଲାଣି। ଏହାପରେ ଦେଖିପାରିବି ବୋଲି ଆହୁରି ୩ ଥର ଅସ୍ତ୍ରୋପଚାର କଲିଣି। ଏହାସତ୍ତ୍ବେ ମଧ୍ୟ ଗୋଟିଏ ପ୍ଲାଷ୍ଟିକ ଆଖି ଡୋଳା ଲାଗିଛି। ଅନ୍ୟ ଆଖିରେ କେବଳ ୨୦ପ୍ରତିଶତ ଦେଖିବା ସମ୍ଭବ ହେଉଛି। ଖୁବ ଶୀଘ୍ର ବେକ ଏବଂ ତରଳି ଯାଇଥିବା କାନର ଅସ୍ତ୍ରୋପଚାର ହେବ। ମୁଣ୍ଡ ଉପରେ କେବଳ ଖପୁରିଟିଏ ରହି ଯାଇଛି। ତେଣୁ ଅସ୍ତ୍ରୋପଚାର କଲେବି କେବେ ମଧ୍ୟ ଚୁଟି ଉଠି ପାରିବ ନାହିଁ। ଏହା କେବଳ ମୋ କଥା ନୁହେଁ, ଏସିଡ୍ ଆକ୍ରମଣର ଶିକାର ସମସ୍ତଙ୍କ ପ୍ରାୟ ଏହିଭଳି ଅବସ୍ଥା।
ପ୍ରଶ୍ନ: ପୁଲିସ୍ ଓ ପ୍ରଶାସନ ଏଭଳି କ୍ଷେତ୍ରରେ କିପରି ସହଯୋଗ କରନ୍ତି?
ଉତ୍ତର: ଜଣେ ଏସିଡ୍ ପୀଡ଼ିତା ପୁଲିସ୍ ପାଖକୁ ଗଲେ କହିବେ ‘ତୁମର ଭୁଲ। ତୁମେ ନିଶ୍ଚୟ କିଛି ଭୁଲ୍ କରିଥିବ ବୋଲି ତୁମ ସହିତ ଏଭଳି ହେଲା’। ସରକାରଙ୍କ ନିୟମ ଅନୁସାରେ ସରକାରୀ ଓ ବେସରକାରୀ ଯେଉଁଠିକି ଯିବୁ ମାଗଣାରେ ଚିକିତ୍ସା ସୁବିଧା ରହିଛି। କିନ୍ତୁ ଆପଣ କ’ଣ ଭାବୁଛନ୍ତି ଏହା ଏତେ ସହଜ ? ଘରୋଇ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କଥା ଶୁଣିଲେ କୌଣସି ପ୍ରକାର ସହଯୋଗ ମିଳେ ନାହିଁ। ସରକାରୀ ଡାକ୍ତରଖାନାରେ କେବଳ ଡ୍ୟୁଟି ନିର୍ବାହ କଲା ଭଳି ସ୍ବାସ୍ଥ୍ୟ ସେବା। କାଗଜପତ୍ର କରିବାରେ ଦିନ ଦିନ ବିତିଯାଏ। ଫଳରେ ରୋଗ ବଢ଼ି ଚାଲେ। ମାଗଣାରେ ଚିକିତ୍ସା କରିବୁ ବୋଲି ନିଜ ଦେହକୁ ପଛ କରି ଦେବୁ କି? ତେଣୁ ବାଧ୍ୟହୋଇ ଲକ୍ଷାଧିକ ଟଙ୍କା ଖର୍ଚ କରି ଦିଲ୍ଲୀ ଯିବାକୁ ବାଧ୍ୟ ହେବାକୁ ହୁଏ।
ପ୍ରଶ୍ନ: ସରକାରଙ୍କ ପକ୍ଷରୁ ଏସିଡ ପୀଡ଼ିତାଙ୍କ ଥଇଥାନ ପାଇଁ କ’ଣ ବ୍ୟବସ୍ଥା ରହିଛି ?
ଉତ୍ତର: ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ବ୍ୟବସ୍ଥା ରହିଛି। ହେଲେ ଏହା ପାଇବା ଏତେ ସହଜ ନୁହେଁ। ଏଥିପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ହୁଏ। ମୋର ଅନେକ ସାଥୀଙ୍କୁ ବର୍ଷ-ବର୍ଷ ପରେବି ଟଙ୍କା ମିଳି ନାହିଁ। ଶାରୀରିକ ଅକ୍ଷମତା ଯୋଗୁଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସିଲେଇ ଓ କମ୍ପ୍ୟୁଟର୍ ଶିକ୍ଷା ପାଇବା ଅନେକଙ୍କ ପାଇଁ ସମ୍ଭବ ହୋଇପାରେନି। ମାତ୍ର ୫ଶହ ଟଙ୍କା ଭତ୍ତା କେବେ କାହାର କାମରେ ଆସେନି।
ପ୍ରଶ୍ନ:ଏସିଡ୍ ପୀଡ଼ିତାଙ୍କ କ୍ୟାରିୟର୍ ନଷ୍ଟ ହୋଇଯିବା ପରେ, ସରକାରୀସ୍ତରରେ କିଛି ସୁବିଧା ମିଳୁଛି କି ?
ଉତ୍ତର: ମୋର ସୌନ୍ଦର୍ଯ୍ୟ, ଭବିଷ୍ୟତ ଜୀବନକୁ ନେଇ ଅନେକ ସ୍ବପ୍ନ ଦେଖିଥିଲି। ହେଲେ ଏପରି ଘଟଣା ମୋର ସବୁ ସ୍ବପ୍ନକୁ ଧୂଳିସାତ କରି ଦେଇଥିଲା। ଭାବିଥିଲି ପାଠ ପଢ଼ି ସମାଜରେ ନିଜେ ପ୍ରତିଷ୍ଠିତ ହେବା ସହିତ ଅନ୍ୟମାନଙ୍କ ଲାଗି କାମ କରିବି। ହେଲେ ଏସିଡ୍ ଆକ୍ରମଣ ମୋର ପାଠପଢ଼ାରେ ଡୋରି ଲଗାଇ ଦେଇଥିଲା। ଗତ ୮/୯ ବର୍ଷ ଧରି କେବଳ ମୋର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଲଢ଼େଇ କରିଥିଲି। ଏପଟେ ସମାଜରେ ଆମକୁ କେହି ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଫଳରେ ସେହି ଦୁର୍ଘଟଣାକୁ ଭୁଲି ଆଗକୁ ବଢ଼ିବା କଷ୍ଟକର ଥିଲା।
ପ୍ରଶ୍ନ-ଏସିଡ୍ ବିକ୍ରି ବ୍ୟାନ୍ ନେଇ ରହିଥିବା ନିୟମ ଏବଂ ଦୋଷୀକୁ ଦଣ୍ଡ ଦେବାର ପ୍ରକ୍ରିୟା ନେଇ ଆପଣ କେତେ ସନ୍ତୁଷ୍ଟ ?
ଉତ୍ତର: ଓଡ଼ିଶାରେ ଏସିଡ୍ ବିକ୍ରି ବ୍ୟାନ୍ ବ୍ୟବସ୍ଥା ରହିଥିଲେ ମଧ୍ୟ ଯେଉଁ ରେଗୁଲେସନ୍ ରହିଛି ସେଥିରେ ଆଉ ଅଧିକ କିଛି ପଏଣ୍ଟ ଯୋଡ଼ିବା ଦରକାର। ଯାହାଫଳରେ ଏହା ସହଜରେ ଉପଲବ୍ଧ ହେବନି।