‘ଆର୍ସିବି’ର ‘ଆଇପିଏଲ୍’ ବିଜୟୋତ୍ସବରେ ଅଂଶଗ୍ରହଣ କରିବାକୁ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍କୁ ଛୁଟି ଆସିଥିବା ଲକ୍ଷ ଲକ୍ଷ କ୍ରିକେଟ୍ପ୍ରେମୀଙ୍କ ଆନନ୍ଦ ଓ ଉନ୍ମାଦନା ଶୋକରେ ପରିଣତ ହୋଇଛି। ଗତ ବୁଧବାର ଷ୍ଟାଡିୟମ୍ ବାହାରେ ଦଳଚକଟା ହୋଇ ୧୧ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଚାମ୍ପିୟନ୍ ଟିମ୍କୁ ଦେଖିବା ଆଶାରେ ଷ୍ଟାଡିୟମ୍ ବାହାରେ ବିପୁଳ ଜନସମାଗମ ହୋଇଥିଲା। ଗହଳିରୁ ଆରମ୍ଭ ହୋଇଥିଲା ଠେଲାପେଲା, ତା’ପରେ ଦଳାଚକଟାରେ ୧୧ଟି ବହୁମୂଲ୍ୟ ଜୀବନ ଚାଲିଯାଇଥିଲା। ଅତୀତରେ ବିଶ୍ବର ଅନ୍ୟ କେତେକ ଦେଶରେ କ୍ରୀଡ଼ା ଆୟୋଜନ ବେଳେ ଦଳଚକଟା ଘଟି ଜୀବନହାନୀ ଘଟିଛି। ସେଭଳି ଅଘଟଣରୁ କେତୋଟି ସଂପର୍କରେ କିଞ୍ଚିତ୍।
ଗିନି ଫୁଟ୍ବଲ୍ ଷ୍ଟାଡିୟମ୍ରେ ଦଳାଚକଟା: ୫୬ ମୃତ
୨୦୨୪ ଡିସେମ୍ବର ୧ ତାରିଖ ଦିନ ଗିନି ଫୁଟ୍ବଲ୍ ଷ୍ଟାଡିୟମ୍ରେ ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଦଳାଚକଟା ହୋଇ ଶିଶୁଙ୍କ ସମେତ ୫୬ଜଣ ପ୍ରାଣ ହରାଇଥିଲେ। ସେଦିନ ଲାବେ ଓ ଏନ୍ଜେରିକୋରେ ଟିମ୍ ମଧ୍ୟରେ ଆଞ୍ଚଳିକ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ମ୍ୟାଚ୍ ହେଉଥିଲା। ରେଫରି ବିବାଦୀୟ ନିଷ୍ପତ୍ତି ନେବାରୁ ପ୍ରଶଂସକମାନେ ଉତ୍କ୍ଷିପ୍ତ ହୋଇଥିଲେ। କ୍ରୋଧବଶତଃ ଗୋଟିଏ ଟିମ୍ର ପ୍ରଶଂସକମାନେ ପଡ଼ିଆ ଉପରକୁ ଟେକାପଥର ଫିଙ୍ଗିବାରୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କଲା। ଫଳରେ ଦଳାଚକଟାରେ ଲୋକଙ୍କର ମୃତ୍ୟୁ ଘଟିଥିଲା।
ମାଡାଗାସ୍କର୍ରେ ‘ଇଣ୍ଡିଆନ୍ ଓସେନ୍ ଆଇଲ୍ୟାଣ୍ଡ୍ ଗେମସ୍’: ୧୨ ମୃତ
୨୦୨୩ ଅଗଷ୍ଟରେ ମାଡାଗାସ୍କର୍ରେ ଆୟୋଜିତ ‘ଇଣ୍ଡିଆନ୍ ଓସେନ୍ ଆଇଲ୍ୟାଣ୍ଡ୍ ଗେମସ୍’ ଉଦ୍ଘାଟନୀ ଉତ୍ସବରେ ଦଳାଚକଟା ହେବାରୁ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୮୦ଜଣ ଆହତ େହାଇଥିଲେ। ଦର୍ଶକ ଭରପୂର ଥିବା ‘ମହାମାସୀନା ଷ୍ଟାଡିୟମ୍’ରେ ପ୍ରଶଂସକମାନେ ଜବରଦସ୍ତି ପଶିବାକୁ ଉଦ୍ୟମ କରିବା ବେଳେ ‘ସି-୫’ ଗେଟ୍ରେ ପରିସ୍ଥିତି ଅସମ୍ଭାଳ ହୋଇ ଦଳଚକଟା ହୋଇଥିଲା। ମାଡାଗାସ୍କର୍ର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ସମବେତ ଜନତାଙ୍କୁ ଏ ବିଷୟ ଅବଗତ କରାଇବା ପରେ ନିରବ ପ୍ରାର୍ଥନା କରାଯାଇ ଉଦ୍ଘାଟନୀ ଉତ୍ସବ ଜାରି ରହିଥିଲା।
ଏଲ୍ ସାଲ୍ଭାଡର୍ ଷ୍ଟାଡିୟମ୍ ଫୁଟ୍ବଲ୍ ମ୍ୟାଚ୍: ୧୨ ମୃତ
ଏଲ୍ ସାଲ୍ଭାଡର୍ର ଗୋଟାଏ ଫୁଟ୍ବଲ୍ ଷ୍ଟାଡିୟମ୍ରେ ଆଞ୍ଚଳିକ ଦଳ ଏଲିଆଞ୍ଜା ଓ ସାଣ୍ଟା ଆନାର ଟିମ୍ ଫାସ୍ ମଧ୍ୟେର ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟୂନ ୧୨ଜଣ ଲୋକ ପ୍ରାଣ ହରାଇଥିଲେ। ଷ୍ଟାଡିୟମ୍ ଫାଟକ ବନ୍ଦ ହେବା ପରେ ବହୁସଂଖ୍ୟକ ପ୍ରଶଂସକ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଲୋକଙ୍କୁ ଜାଲ୍ ଟିକେଟ୍ ବିକ୍ରି କରାଯାଇଥିଲା ବୋଲି ସରକାରୀ ଅଧିକାରୀମାନେ ପ୍ରକାଶ କରିଥିଲେ। ଅଘଟଣ ପରେ ଉକ୍ତ ଫୁଟ୍ବଲ୍ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା।
ଇଣ୍ଡୋନେସିଆ ଫୁଟ୍ବଲ୍ ମ୍ୟାଚ୍: ୧୨୫ ମୃତ
୨୦୨୨ ଅକ୍ଟୋବରରେ ଇଣ୍ଡୋନେସିଆରେ ଆୟୋଜିତ ଫୁଟ୍ବଲ୍ ମ୍ୟାଚ୍ରେ ଆରେମା ଏବଂ ପର୍ସିବୟା ସୁରାବୟା ଟିମ୍ ମଧ୍ୟରେ ଖେଳ ଶେଷ ହେବାପରେ ଦଳଚକଟା ଯୋଗୁଁ ଅନ୍ୟୂନ ୧୨୫ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମ୍ୟାଚ୍ରେ ହାରିଥିବା ପର୍ସିବୟା ସୁରାବୟା ଟିମ୍ର ସମର୍ଥକମାନେ ପଡ଼ିଆରେ ପ୍ରବେଶ କରିବାରୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଫଳରେ ଦଳଚକଟା ଓ ଶ୍ବାସରୁଦ୍ଧ ହୋଇ ଏତେସଂଖ୍ୟକ ଲୋକ ମୃତାହତ ହୋଇଥିଲେ।
ଇଂଲଣ୍ଡ୍ ଏଫ୍ ଏ କପ୍ ମ୍ୟାଚ୍: ୯୬ ମୃତ
୧୯୮୯ରେ ଇଂଲଣ୍ଡ୍ର ସେଫିଲ୍ଡ୍ ଅନ୍ତର୍ଗତ ହିଲ୍ସ୍ବରୋ ଷ୍ଟାଡିୟମ୍ରେ ଲିଭର୍ପୁଲ୍ ଓ ନଟିଙ୍ଗ୍ହାମ୍ ଫରେଷ୍ଟ୍ ମଧ୍ୟରେ ‘ଏଫ୍ଏ କପ୍’ ସେମିଫାଇନାଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ମ୍ୟାଚ୍ ଆରମ୍ଭ ପୂର୍ବରୁ ଷ୍ଟାଡିୟମ୍ର ଗୋଟାଏ ଜନାକୀର୍ଣ୍ଣ ଗ୍ୟାଲେରିରେ ଦଳାଚକଟା ହୋଇ ୯୬ଜଣ ଲିଭର୍ପୁଲ୍ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା। ମ୍ୟାଚ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଷ୍ଟାଡିୟମ୍ ବାହାରେ ଥିବା ଲୋକଙ୍କୁ ଭିତରକୁ ଛାଡ଼ିବା ଲାଗି ପ୍ରସ୍ଥାନ ଫାଟକ ଖୋଲାଯାଇଥିଲା। ଫଳରେ ମାତ୍ରାଧିକ ଲୋକ ପ୍ରବେଶ କରିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟିହେଲା। ଏ ଅଘଟଣରେ ୯୬ଜଣଙ୍କ ମୃତ୍ୟୁ ଘଟିଲା ଓ ୭୬୬ଜଣ ଆହତ ହେଲେ।