ସର୍ବକନିଷ୍ଠ ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇ ନିକଟରେ ଏକ ବ୍ରିଟିସ୍‌ ଟେଲିଭିଜନ୍‌ ଧାରାବାହିକ ଜରିଆରେ ଅଭିନୟ ଦୁନିଆରେ ପଦାର୍ପଣ କରିଛନ୍ତି। ‘ଵି ଆର୍‌ ଲେଡି ପାର୍ଟସ୍‌’ ନାମକ ଟିଭି ଧାରାବାହିକରେ ସେ ଅତିଥି ଅଭିନେତ୍ରୀ ଭାବେ ଦେଖାଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସେଟ୍‌ରେ ମଲାଲା କାଓବଏ (ଆମେରିକୀୟ ଗାଈ ଜଗୁଆଳ) ରୂପରେ ସଜ୍ଜିତ ହୋଇ ଘୋଡ଼ା ଉପରେ ବସିଥିବାର ଏକ ଫଟୋ ପ୍ରକାଶ ପାଇବା ପରେ ଇଣ୍ଟର୍‌ନେଟ୍‌ରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Advertisment

ଏହି ହାସ୍ୟରସାତ୍ମକ ଧାରାବାହିକ କାହାଣୀର କେନ୍ଦ୍ରରେ ଅଛି ଇଂଲଣ୍ଡ୍‌ର ଏକ ପଙ୍କ୍‌ ରକ୍‌ ବ୍ୟାଣ୍ଡ୍‌, ଯାହାର ସମସ୍ତ ସଦସ୍ୟ ହେଉଛନ୍ତି ମୁଲସମାନ ମହିଳା। ଏହି ବ୍ୟାଣ୍ଡ୍‌ ‘ମଲାଲା ମେଡ୍‌ ମିଁ ଡୁ ଇଟ୍‌’ ନାମକ ଏକ ଗୀତ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ମଲାଲାଙ୍କ ଅଭିନୟ ଦେଖିବାକୁ ମିଳିଛି। ଏହି ୨୬ ବର୍ଷୀୟା ନାରୀ ଶିକ୍ଷା ଅଧିକାର କର୍ମୀ କହିଛନ୍ତି ଯେ ସେ ଏହି ଧାରାବାହିକର ଜଣେ ପ୍ରଶଂସିକା ଥିଲେ। ଏହା ସେ ଦେଖିଥିବା ପ୍ରଥମ ଧାରାବାହିକ ଯେଉଁଥିରେ ମୁସଲମାନମାନେ ପାର୍ଶ୍ବ ଚରିତ୍ରରେ ନାହାନ୍ତି ବରଂ ପାଞ୍ଚ ଜଣ ମୁସଲମାନ ଝିଅ ମୁଖ୍ୟ ଚରିତ୍ରରେ ଅଛନ୍ତି। ଏହାର ନିର୍ଦେଶିକା ନିଦା ମଂଜୁର୍‌ ଚିଠି ଲେଖି ମଲାଲାଙ୍କୁ ଏଥିରେ ଅଭିନୟ କରିବା ପାଇଁ ଅନୁରୋଧ କରିଥିଲେ। ଏହା ତାଙ୍କୁ ଆକର୍ଷିତ କଲା ଏବଂ ସେ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାର ନିଷ୍ପତ୍ତି ନେଲେ। ଏଥିରେ ତାଙ୍କ ଚରିତ୍ରକୁ କୌଣସି ସଂଳାପ କହିବାର ନ ଥିବାରୁ ସେଥିରେ କାମ କରିବା ତାଙ୍କ ପାଇଁ ସହଜ ହୋଇଥିଲା ବୋଲି ମଲାଲା ପ୍ରକାଶ କରିଛନ୍ତି।