ଇତି ଊଣେଇଶ (ଆଇନ ଅଦାଲତ) : ଅର୍ଡର ଅର୍ଡର…

ରାଜ୍ୟର ଆଇନ, ଅଦାଲତର ଇତିହାସରେ ଅନେକ ଦୃଷ୍ଟିରୁ ବର୍ଷ ୨୦୧୯ ଥିଲା ବିଶେଷ ଗୁରୁତ୍ବପୂର୍ଣ୍ଣ। ଅନେକ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି, ନିଷ୍ପତ୍ତି ଆଉ ରାୟ ସହିତ ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ଫୁଲ ବେଞ୍ଚ ବସିବା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଚାରପତିଙ୍କୁ ନେଇ ବସିଥିବା ଫୁଲବେଞ୍ଚ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି କରିଥିଲା। କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ତାହାର ଶୁଣାଣି କରିଥିଲେ। ଏହି ଘଟଣା ଆଇନଜୀବୀଙ୍କ ସହିତ ଅଦାଲତର ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା। ଓଡ଼ିଶା ହାଇକୋର୍ଟ ଇତିହାସରେ ପୂର୍ବରୁ କେବେ ଏଭଳି ଫୁଲ ବେଞ୍ଚ ବସି ନଥିବା ବେଳେ ୨୦୧୯ରେ ଏହା ଏକ ଇତିହାସ ସୃଷ୍ଟି କରିଥିଲା। ବର୍ଷ ୨୦୧୯ର ଏଭଳି କିଛି ସ୍ବତନ୍ତ୍ର ଘଟଣାକୁ ନେଇ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା…।

ବସିଲା ଐତିହାସିକ ଫୁଲ୍ ବେଞ୍ଚ୍
ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ଅକ୍ଟୋବର ୧୪ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଐତିହାସିକ ଘଟଣା କ୍ରମେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଞ୍ଚ ମାମଲାର ଶୁଣାଣି କରି ଅକ୍ଟୋବର ୧୫ରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି, ସଂପାଦକଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଉ ୬୬ଟି ଆଇନଜୀବୀ ସଂଘକୁ ନୋଟିସ୍ ଜାରି କରିଥିଲେ। ଅକ୍ଟୋବର ୧୪ରେ ହାଇକୋର୍ଟ ବାର୍ ଆସୋସିଏସନ୍ କୋର୍ଟ ବର୍ଜନ ଆନ୍ଦୋଳନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ନେଇଥିଲେ। ବାର୍ କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ସମେତ ରାଜ୍ୟର ମୋଟ ୬୮ଟି ଆଇନଜୀବୀ ସଂଘକୁ ଅନୁରୋଧ କରିଥିଲା। ଏହା ପରେ ନଭେମ୍ବର ୧ରେ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖି ନଭେମ୍ବର ୪ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଏପରି ପରିସ୍ଥିତିରେ ହାଇକୋର୍ଟ ବାର୍ ଆସୋସିଏସନ୍ ବିରୋଧରେ ଅଦାଲତ ମାମଲାର ଶୁଣାଣି ବନ୍ଦ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଅନ୍ୟ ବାର୍ ଆସୋସିଏସନ୍ ଗୁଡିକ ବିରୋଧରେ ଅଦାଲତ ଅବମାନନା ମାମଲା ବିଚାରାଧୀନ ରହିଛି।

ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ: ଓକିଲ ଓ ମହକିଲଙ୍କୁ ସୁରକ୍ଷା ପ୍ରଦାନ ନିର୍ଦ୍ଦେଶ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ମାମଲା ପରିଚାଳନା ପାଇଁ ଆଗ୍ରହୀ ଓକିଲ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନଭେମ୍ବର ୧୯ରେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ।

କଲେଜିୟମ ବ୍ୟବସ୍ଥାରେ ସଂସ୍କାର ଦାବି ନେଇ ଆଇନଜୀବୀଙ୍କ ୨୧ ଦିନିଆ ଆନ୍ଦୋଳନ
ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟର ଆଇନଜୀବୀମାନେ ଅକ୍ଟୋବର ୧୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। କଲେଜିୟମ ବ୍ୟବସ୍ଥା‌ରେ ସଂସ୍କାର ଓ ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରାଯାଉ ବୋଲି ଆଇନଜୀବୀମାନେ ଦାବି କରିଥିଲେ। ନଭେମ୍ବର ୧ରେ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖି ନଭେମ୍ବର ୪ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର