ମହାପ୍ରଭୁଙ୍କ ଦୈନନ୍ଦିନ ଦେବନୀତିରେ ନିୟୋଜିତ ସେବକମାନେ ରଥଯାତ୍ରାରେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ରତ୍ନ ସିଂହାସନରେ ବିରାଜିତ ବିଗ୍ରହଙ୍କ ନିକଟରେ ଯେଉଁ ଭୋଗ ଅନୁଷ୍ଠିତ ହୁଏ; ରଥଯାତ୍ରା ସମୟରେ ମଧ୍ୟ ଉକ୍ତ ରୀତିନୀତି ସମ୍ପାଦିତ ହୁଏ। ଦୈନନ୍ଦିନ ଭୋଗ ପରି ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ବିଭିନ୍ନ ଧୂପ ସୁଆର ମହାସୁଆରଙ୍କ ଦ୍ବାରା ସମାପନ କରାଯାଏ। ସୂପକାରମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କ ପହଣ୍ଡି ବେଳେ ପିଠିଆ ରୂପେ ଭୂମିକା ତୁଲାଇଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଏହି ଦୁଇଦିନ ସକାଳ ଧୂପ ସହ ଗୋପାଳବଲ୍ଲଭ ବା ଖେଚେଡ଼ି ଭୋଗ କରାଯାଏ। ଖେଚେଡ଼ି ଭୋଗ ପରେ ପହଣ୍ଡି ଆରମ୍ଭ ହୁଏ। ଖେଚେଡ଼ି ଭୋଗରେ ବଡ଼ୁସୁଆର ଗୋଷ୍ଠୀ, ପାଳିଆ ମହାସୁଆର, ଅମିନ ମହାସୁଆର, ଚନ୍ଦ୍ରକାନ୍ତି ମହାସୁଆର, ପନ୍ତିବଡ଼ୁ, ବିଡ଼ୁଆ ପନ୍ତିବଡ଼ୁ, ବେହେରା ପନ୍ତିବଡ଼ୁ, ରୋଷପାଇକ, ବିରିବୁହା ସୁଆର ଓ ହାଣ୍ଡି ଯୋଗାଣିଆ ସୁଆର ନିୟୋଜିତ ହୁଅନ୍ତି। ଗୁଣ୍ଡିଚା ଯାତ୍ରା ଦିନ ରଥ ଟଣାଯାଇ ବଡ଼ଦାଣ୍ଡରେ ରହିବା କିମ୍ବା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିବା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ, ବଡ଼ସିଂହାର ଧୂପ ରଥ ଉପରେ କରାଯାଏ। ଅଧିକୃତ ମହାସୁଆର ସେବକଙ୍କ ଦ୍ବାରା ପାଗ ଖଇ, ସ୍ବତନ୍ତ୍ର କୋରା ଓ ଫଳ ଭୋଗ ବଢ଼ାଯାଇ ପୂଜା ସମାପନ କରାଯାଏ।
ଧୂଳିଆ ଗୁଣ୍ଡିଚା ଦିନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ବେଳେ ଶ୍ରୀବିଗ୍ରହମାନଙ୍କୁ ଅଧିକୃତ ମହାସୁଆରମାନଙ୍କ ଦ୍ବାରା ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ କରାଯାଇଥାଏ। ଭୋଗ ବଢ଼ାଯାଇ ପୂଜାପଣ୍ଡାଙ୍କ ଦ୍ବାରା ଭୋଗ ପୂଜା ହୋଇଥାଏ। ଆଡ଼ପମଣ୍ଡପକୁ ପହଣ୍ଡି ବିଜେ ପରେ ଯଦି ସମୟ ଥାଏ ତେବେ ବଡ଼ସିଂହାର ଧୂପ ଗୁଣ୍ଡିଚା ମନ୍ଦିର କୋଠଭୋଗରେ ବଡ଼ୁସୁଆରଙ୍କ ଦ୍ବାରା ରନ୍ଧାଯାଇ ଭୋଗ ହୋଇଥାଏ।
ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ବିରାଜମାନ କରିବା ସମୟରେ ସମସ୍ତ ଦେବନୀତି ସହ ବିଭିନ୍ନ ଭୋଗ ହୋଇଥାଏ। ଗୁଣ୍ଡିଚା ମନ୍ଦିର ରୋଷଶାଳାରେ ଥିବା କୋଠଭୋଗ ଓ ବିଭିନ୍ନ ରୋଷରେ ଥିବା ଚୁଲିଗୁଡ଼ିକରେ ଗୋପାଳବଲ୍ଲଭ, ସକାଳଧୂପ, ପ୍ରଥମ ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ବିତୀୟ ଭୋଗମଣ୍ଡପ, ସନ୍ଧ୍ୟାଧୂପ ଏବଂ ଆବଶ୍ୟକସ୍ଥଳେ ତୃତୀୟ ଭୋଗମଣ୍ଡପ, ବଡ଼ସିଂହାର ଧୂପ ଅନୁଷ୍ଠିତ ହୋଇଥାଏ। କୋଠଭୋଗରେ ଦୈନନ୍ଦିନ ଭୋଗ ସହ ପର୍ବଯାତ୍ରା ଭୋଗ ବଡ଼ୁସୁଆର ସୂପକାରମାନେ ପ୍ରସ୍ତୁତ କରୁଥିବା ବେଳେ ମହାସୁଆର, ଚନ୍ଦ୍ରକାନ୍ତି ମହାସୁଆର, ପନ୍ତିବଡ଼ୁ, ବିଡ଼ୁଆ ପନ୍ତିବଡ଼ୁ ଓ ବେହେରା ପନ୍ତିବଡ଼ୁ ଭୋଗ ତୋଳିଥାଆନ୍ତି। ଅମିନ ମହାସୁଆର, ରୋଷ ପାଇକ, ବିରିବୁହା ସୁଆର, ହାଣ୍ଡି ଯୋଗାଣ ସୁଆର ଦ୍ରବ୍ୟ ଯୋଗାଣ ଓ ତଦାରଖ ପାଇଁ ନିୟୋଜିତ ଥାଆନ୍ତି। ବରାଦି ଓ ବିକ୍ରି ଭୋଗ ରନ୍ଧା ଓ ଭୋଗ ତୋଳିବାରେ ପ୍ରାୟ ୭୦୦ ଜଣ ସୂପକାର ନିୟୋଜିତ ରହି ଆଡ଼ପ ଭୋଗ ପ୍ରସ୍ତୁତ କରିଥାଆନ୍ତି।
ବାହୁଡ଼ା ଯାତ୍ରା ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ପରି ଖେଚେଡ଼ି ଭୋଗ ହୋଇଥାଏ। ରଥ ସିଂହଦ୍ବାରରେ ପହଞ୍ଚିବା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ, ବଡ଼ସିଂହାର ଧୂପ ଅନୁଷ୍ଠିତ ହୋଇଥାଏ। ସୁନାବେଶ ଓ ଅଧର ଦିନ ଅଧରପଣା ଭୋଗ ସହ ସମସ୍ତ ଭୋଗ ବଢ଼ା କାର୍ଯ୍ୟ ଅଧିକୃତ ମହାସୁଆରଙ୍କ ଦ୍ବାରା ସମାପନ ହୋଇଥାଏ। ନୀଳାଦ୍ରିବିଜେ ଦିନ ଅଧିକୃତ ମହାସୁଆରଙ୍କ ଦ୍ବାରା ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଭୋଗବଢ଼ା ନୀତି କରାଯାଇଥାଏ। ନୀଳାଦ୍ରି ବିଜେ ପହଣ୍ଡି ହୋଇ ରତ୍ନସିଂହାସନରେ ଠାକୁରମାନେ ବିରାଜିତ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ସମୟ ଥିଲେ ବଡ଼ୁସୁଆରଙ୍କ ଦ୍ବାରା କୋଠଭୋଗରେ ଭୋଗ ପ୍ରସ୍ତୁତ ହୋଇ ବଡ଼ସିଂହାର ଧୂପ ପୂଜା ନୀତି କରାଯାଇଥାଏ।