ଆମିଷ ନହେଲେ ଖାଇବା ରୁଚୁନଥିବା ଅନେକ ଲୋକଙ୍କ ବିଷୟରେ ଆମେ ଜାଣୁ। ମାତ୍ର ଆମେରିକାର କାନସାସ ପ୍ରଦେଶ ଅନ୍ତର୍ଗତ ଲରେନ୍‌ସରେ ରହୁଥିବା ଜଣେ ବ୍ୟକ୍ତି ଟୁନା ମାଛର ବାସ୍ନା ପ୍ରତି ସଂପୂର୍ଣ୍ଣ ଆସକ୍ତ ହୋଇପଡ଼ିଛନ୍ତି ବୋଲି ଜଣାପଡ଼ିଛି। ଏହି ନିଶା ପାଇଁ ସେ ‘ଟୁନା ଟେଲର୍‌’ ନାମରେ ପରିଚିତ। ସେ ‘ଟିଏଲ୍‌ସି’ ଚ୍ୟାନେଲ୍‌ର ଟିଭି କାର୍ଯ୍ୟକ୍ରମ ‘ମାଇଁ ଷ୍ଟ୍ରେଞ୍ଜ୍‌ ଆଡିକ୍ସନ: ଷ୍ଟିଲ୍‌ ଆଡିକ୍ଟେଡ’ରେ ଦେଖାଦେଇ ନିଜର ଅହେତୁକ ନିଶା ସମ୍ପର୍କରେ ବଖାଣିଛନ୍ତି।

Advertisment

ଟେଲର୍ ଏତେ ମାଛ ପ୍ରିୟ ଯେ ଛୋଟ ବେଳେ ଚକୋଲେଟ୍‌ ବଦଳରେ ସେ ଟୁନା ମାଛ ପାଇଁ କାନ୍ଦୁଥିଲେ ବୋଲି ତାଙ୍କ ମାଆ କହନ୍ତି। ସେ ପିଲାବେଳୁ ଟୁନା ମାଛ ଭଜାକୁ ଶୁଂଘି ଶୁଂଘି ଖୁସି ହୁଅନ୍ତି ଓ ତାହାକୁ ପକେଟ୍‌ରେ ରଖି ଖାଇଥା’ନ୍ତି। ଘରକୁ ଟୁନା ମାଛର ଡବା ଆସିଲେ, ସେ ତାହାକୁ ଖୋଲି ପ୍ରଥମେ ତାହାର ଗନ୍ଧକୁ ଆଘ୍ରାଣ କରନ୍ତି। ଏହି ମାଛ ଗନ୍ଧ ତାଙ୍କର ଏତେ ପ୍ରିୟ ସେ ନିଜ ଦେହରେ ମାଛର ରସକୁ ଅତର ଭଳି ବ୍ୟବହାର କରନ୍ତି। ଘର ହେଉ କି ବାହାର, ସେ ଟୁନା ମାଛ ଦେଖିଲେ ଖୁବ୍ ଉତ୍ସାହିତ ହୋଇପଡ଼ନ୍ତି ଏବଂ ପାଗଳ ପରି ତାହାର ଗନ୍ଧକୁ ଶୁଂଘିବାକୁ ଲାଗନ୍ତି।

ତାଙ୍କର ଏ ଅସ୍ବାଭାବିକ ଆଚରଣ ଦେଖି ଅନ୍ୟମାନେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥା’ନ୍ତି ବୋଲି ସେ ସ୍ବୀକାର କରନ୍ତି। ମାତ୍ର ସେ ନେଇ ତାଙ୍କର ଜମା ବି ଚିନ୍ତା ନାହିଁ ବୋଲି ଟେଲର ପ୍ରକାଶ କରିଛନ୍ତି।