ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ୫ଜି ସେବା : ମନ୍ତ୍ରୀ

ନୂଆଦିଲ୍ଲୀ : ଅଗଷ୍ଟ ୧୦ ସୁଦ୍ଧା ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ଶେଷ ହେବ ଓ  ଆସନ୍ତା ଅକ୍ଟୋବର ସୁଦ୍ଧା ୫ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ସେ କହିଛନ୍ତି ଯେ, ଭାରତରେ ୫ଜି ଟେଲିକମ ସେବା ଅନ୍ୟ ଦେଶମାନଙ୍କ ତୁଳନାରେ ଶସ୍ତା ରହିବ । ପୁଣି ଭାରତରେ ୫ଜି ସେବା ଯୋଗୁଁ ହେବାକୁ ଥିବା ବିକିରଣ ବି କମ ରହିବ ।  ଏଣୁ ଏହାକୁ ନେଇ ଚିନ୍ତାର କାରଣ ନାହିଁ ।

ସେ କହିଛନ୍ତି, ଗତ କାଲି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଶେଷ ହୋଇଥିଲା ଓ ଯଥା ଶୀଘ୍ର ସାରା ଦେଶରେ ଟେଲିକମ ଉପକରଣ ଲଗାଇବାକୁ ଆମେ ଟେଲିକମ ଅପରେଟରମାନଙ୍କୁ କହିଛୁ । ଆମେ ଚଳିତ ମାସ ୧୦ ତାରିଖ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ ଶେଷ କରିବୁ । ଭାରତରେ ଟେଲିକମ ସେବା ବିଶ୍ବରେ ସବୁଠାରୁ ସୁଲଭ ରହିଆସିଛି ଓ ୫ଜି କ୍ଷେତ୍ରରେ ବି ତାହା ଜାରି ରହିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏବେ ନିର୍ମାଣ ହେଉଥିବା ମୋବାଇଲ ଫୋନ ମଧ୍ୟରୁ ୨୫ରୁ ୩୦ ପ୍ରତିଶତ ହେଉଛି ୫ଜି ଫୋନ । ପ୍ରତି ବର୍ଷ ୫ଜି ଫୋନର ଦର କମିଚାଲିଛି ଓ ଆଗକୁ ଦେଶରେ ୫ଜି ଫୋନର ଦର ଆହୁରି କମିବ ।

ଅନ୍ୟପକ୍ଷରେ ବିଏସଏନଏଲର ଦେଶରେ ୧୦ କୋଟି ଗ୍ରାହକ ଅଛନ୍ତି ଓ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଏକ ଅତ୍ୟାଧୁନିକ ଓ ଟେକନଲୋଜୀ ଭିତ୍ତିକ କମ୍ପାନିରେ ପରିଣତ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର