ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିପ୍ରକାଶ ‘ଅଧରପଣା’

ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର

ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ଉତ୍କଳୀୟ ସଂସ୍କୃତିର ସର୍ବପ୍ରାଚୀନ ତଥା ସର୍ବଶ୍ରେଷ୍ଠ ଗନ୍ତାଘର। ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି, ପର୍ବପର୍ବାଣି, ଭୋଗରାଗ ଓ ପୂଜା ଉପାସନା ଆଦିର ବିଚାର ବିଶ୍ଳେଷଣ କଲେ, ଏହାର ସ୍ପଷ୍ଟ ସୂଚନା ପରିଲକ୍ଷିତ ହୋଇଥାଏ। ‘ଅଧରପଣା’ ଶ୍ରୀଜଗନ୍ନାଥ ମନ୍ଦିରର ଏହିଭଳି ଏକ ସାଂସ୍କୃତିକ ଦୀପ୍ତିର ପରିପ୍ରକାଶ।

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ଶ୍ରୀଜଗନ୍ନାଥାଦି ସପ୍ତବିଗ୍ରହ ରଥରେ ବିଜେକରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ଦଶମୀ ଦିନ ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ସମ୍ମୁଖକୁ ଫେରନ୍ତି। ଏହି ଦଶମୀ ଦିନ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ, ଠାକୁରମାନଙ୍କୁ ଯେଉଁ ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ପଣା ରଥ ଉପରେ ଭୋଗ କରାଯାଏ, ତାହା ‘ଅଧରପଣା’ ନାମରେ ଖ୍ୟାତ। ଠାକୁରମାନଙ୍କର ଅଧର ପର୍ଯ୍ୟନ୍ତ ପାଉଥିବା ମାପ ଅନୁସାରେ ନିର୍ମିତ ହୋଇଥିବା ତୁମ୍ବାକୃତି ସ୍ୱତନ୍ତ୍ର ମାଟିପାତ୍ରରେ ଏହି ପଣା ଭୋଗ ହେଉଥିବାରୁ ମଧ୍ୟ ଏହାକୁ ‘ଅଧରପଣା’ କୁହାଯାଏ।

ଅଧରପଣା ନଅଗୋଟି ହାଣ୍ଡିରେ ଭୋଗ ହେବା କଥା ସର୍ବସାଧାରଣରେ କଥିତ ଥିଲେ ହେଁ, ପ୍ରକୃତରେ ଏହା ବାରଟି ହାଣ୍ଡି। ଏହି ବାରଗୋଟି ଅଧରପଣା ହାଣ୍ଡି ମଧ୍ୟରୁ ନଅଟି ପଣାହାଣ୍ଡି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଭୋଗ କରାଯାଉଥିବା ବେଳେ, ଅନ୍ୟ ତିନୋଟି ଅଧରପଣା ହାଣ୍ଡି ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ ଚଳନ୍ତି ପ୍ରତିମା ମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥରେ ବିରାଜମାନ ବିଜୟ ପ୍ରତିମା ରାମ ଓ କୃଷ୍ଣଙ୍କ ନିକଟରେ ଭୋଗ କରାଯାଇଥାଏ।
ଅଧରପଣା ଭୋଗ ପ୍ରଚଳନର ପ୍ରାଚୀନତା ସଂପର୍କରେ ଅନୁସନ୍ଧାନ କଲେ ନିରାଶ ହେବାକୁ ପଡ଼ିଥାଏ। ରଥଯାତ୍ରା ସହିତ ଏହି ନୀତି କେବେଠାରୁ ସଂଶ୍ଳିଷ୍ଟ ହେଲା, ତାହା ନିର୍ଦ୍ଦିଷ୍ଟ ଭାବରେ ଜଣା ଯାଇ ନଥିଲେ ମଧ୍ୟ, ଅଧରପଣା ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ପୁରୀର ରାଘବଦାସ ମଠ, ଓଡ଼ିଆ ମଠ ଓ ଗଜପତି ମହାରାଜାଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଜଣାଯାଇଛି। ଏହି ନୀତିର ସୁପରିଚାଳନା ନିମନ୍ତେ ମଠମାନଙ୍କୁ କିଛି ଜମି ମଧ୍ୟ ଦିଆଯାଇଥିଲା। ଶ୍ରୀମନ୍ଦିର ପରିଚାଳନା ଭାର ସରକାରଙ୍କ ଅଧୀନକୁ ଯିବା ପରେ, ବର୍ତ୍ତମାନ ରାଜାଙ୍କ ବଦଳରେ ଶ୍ରୀମନ୍ଦିର ପ୍ରଶାସନ ଏହି ଅଧରପଣା ସାମଗ୍ରୀ ଯୋଗାଇ ଦେଉଛନ୍ତି। ଫଳରେ ଅଧରପଣା ନିମନ୍ତେ ରାଘବଦାସ ମଠ ଓ ଓଡ଼ିଆ ମଠ ଦ୍ୱାରା ତିନିହାଣ୍ଡି ଲେଖାଏଁ ପଣାସାମଗ୍ରୀ ଦିଆଯାଉଥିବା ବେଳେ, ଅବଶିଷ୍ଟ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି।

ଅଧରପଣାର ସାମଗ୍ରୀ ଯୋଗାଣ ଓ ପ୍ରସ୍ତୁତି ନିମନ୍ତେ ରାଘବଦାସ ମଠ, ଓଡ଼ିଆ ମଠ, ଭିତରଛ ମହାପାତ୍ର, ତଳିଛ ମହାପାତ୍ର, ପାଳିଆ ମହାସୁଆର, ପାଣିଆପଟ, ପୁଷ୍ପାଳକ ଓ ପତ୍ରୀବଡ଼ୁ ଆଦି ସେବକମାନେ ସହଯୋଗ କରିଥାନ୍ତି। ପୂଜାପଣ୍ଡା ଅଧରପଣାକୁ ପଞ୍ଚୋପଚାରରେ ଭୋଗ କରିବା କଥା ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି।

ଅଧରପଣା ନିମନ୍ତେ କ୍ଷୀର, ସର, ଛେନା, ଶାଚି ବା ନବାତ, ପାଚିଲା କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ ଘୋରା, କର୍ପୂର ଓ ଜଳ ଆଦି ନଅଗୋଟି ଦ୍ରବ୍ୟ ଆବଶ୍ୟକ ହୋଇଥାଏ। ଶ୍ରୀମନ୍ଦିରର କୁମ୍ଭକାର ସେବକ ଏଥିପାଇଁ ମାଟିରେ ତିଆରି ତୁମ୍ବ ଭଳି ଅଧର ହାଣ୍ଡି ପ୍ରସ୍ତୁତକରି ଯୋଗାଇ ଦେଇଥାଆନ୍ତି। ଅଧର ହାଣ୍ଡିକୁ ମହାପ୍ରଭୁଙ୍କ ସମ୍ମୁଖରେ ରଖାଯିବା ସମୟରେ, ଖଣ୍ଡିଏ ଲେଖାଏଁ ଜାଲି କରିଆ କନା ତା’ ଉପରେ ଘୋଡ଼ାଇ ଦିଆଯାଏ।

ଏହି ପଣା ପ୍ରସ୍ତୁତି ସମୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଯଥାକ୍ରମେ ଭିତରଛ ମହାପାତ୍ର, ତଳିଛ ମହାପାତ୍ର ଓ ପାଳିଆ ପୁଷ୍ପାଳକ କନାର ବାଡ଼ ଦେଇଥାଆନ୍ତି। ପାଳିଆ ମହାସୁଆର ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥରେ ଏବଂ ତା’ ପରେ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରିବା ପରେ, ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ। ଏହାପରେ ପତ୍ରୀବଡ଼ୁ ଆସି ତିନୋଟି ରଥରେ ମୁରୁଜରେ ପୂଜା ଠା’ କରିଥାନ୍ତି। ପୂଜା ଠା’ ଉପରେ ଅଧରହାଣ୍ଡି ରଖାଯାଇ ସେଥିରେ ପଣା ଢଳା ଗଲେ, ପୂଜାପଣ୍ଡା ଆସି ଭୋଗ କରିଥାନ୍ତି। ଏହି ଅଧରପଣା ହାଣ୍ଡିକୁ ଭୋଗ ସରିବା ପରେ ସେହି ରଥ ଉପରେ ଭାଙ୍ଗି ଦିଆଯାଏ।

କଥିତ ଅଛି ଯେ ଠାକୁରମାନଙ୍କର ବାହୁଡ଼ାଯାତ୍ରାଜନିତ କ୍ଳାନ୍ତିର ଅପନୋଦନ ନିମନ୍ତେ ଏହି ପଣା ଭୋଗ କରାଯାଇଥାଏ। କିନ୍ତୁ ହାଣ୍ଡିଭଙ୍ଗା ସଂପର୍କରେ ପୁରୀରେ ପ୍ରଚଳିତ ଜନଶ୍ରୁତିରୁ ଜଣାଯାଏ ଯେ ରଥର ପାର୍ଶ୍ବଦେବତା ଏବଂ ଅନ୍ୟାନ୍ୟ ଚଣ୍ଡୀଚାମଣ୍ଡାଙ୍କ ସନ୍ତୋଷ ବିଧାନ ଉଦ୍ଦେଶ୍ୟରେ ଅଧରପଣା ହାଣ୍ଡିକୁ ଭୋଗ ପରେ ଭାଙ୍ଗି ଦିଆଯାଇଥାଏ। ଅନ୍ୟ ମତରେ, ଏହି ସ୍ଥାନ ହେଉଛି ପତିତପାବନ କ୍ଷେତ୍ର ଏବଂ ବିଗ୍ରହ ହେଉଛନ୍ତି ପତିତପାବନ। ତେଣୁ ରଥ ସହିତ ଆସିଥିବା ବହୁ ଅଶରୀରୀ ପତିତମାନେ ରଥରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଉକ୍ତ ପ୍ରସାଦ ସେବନ କରିବା ଦ୍ୱାରା ମୁକ୍ତି ପାଇଥାଆନ୍ତି। ସେଥିପାଇଁ ରଥ ଉପରେ ଭୋଗ ପରେ, ଏହି ଅଧରପଣା ହାଣ୍ଡି ଭଙ୍ଗା ଯିବାର ବିଧାନ ପ୍ରଚଳିତ ଅଛି।

ମୋ: ୮୨୪୯୫୩୭୭୩୩

ସମ୍ବନ୍ଧିତ ଖବର