ଲେଖକ ଆଇଜାକ୍‌ ଆସିମଭ୍‌ଙ୍କ ଏକ ପ୍ରସିଦ୍ଧ ଉକ୍ତି ହେଲା- ଶିକ୍ଷା ଏମିତି ଜିନିଷ ନୁହେଁ ଯାହାକୁ ତୁମେ ସମାପ୍ତ କରିପାରିବ। ଲକ୍ଷ୍ନୌର ଅଧିବାସୀ ୭୯ ବର୍ଷୀୟା ଉଷା ରାୟ ହେଉଛନ୍ତି ଏହି ଉକ୍ତିର ଜଣେ ଉଜ୍ଜ୍ବଳ ଉଦାହରଣ। ଏ ବର୍ଷ ସେ ପୃଥିବୀର ସବୁଠାରୁ ଅଧିକ ବୟସରେ ଏମ୍‌ବିଏ ଡିଗ୍ରି ହାସଲ କରିବାର ବିଶ୍ବ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି। ଏବେ ସେ ଲକ୍ଷ୍ନୌର ଏକ ଘରୋଇ ଡାକ୍ତରଖାନାର ଆକାଉଣ୍ଟ୍‌ସ ଆଣ୍ଡ୍‌ ଆଡ୍‌ମିନିଷ୍ଟ୍ରେସନ୍ ବିଭାଗରେ କାର୍ଯ୍ୟରତା ଥାଇ ପୁନେର ଏକ ବିଶ୍ବବିଦ୍ୟାଳୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଏମ୍‌ବିଏ ପାଠପଢ଼ା ଜାରି ରଖିଛନ୍ତି। 

Advertisment

୭୯ ବର୍ଷ ବୟସରେ ଉଷା ରାୟଙ୍କ ଅନୁସନ୍ଧିତ୍ସା ଓ ଇଚ୍ଛାଶକ୍ତି, ଅସଂପୂର୍ଣ୍ଣ ପାଠ୍ୟକ୍ରମ ନେଇ ନିରାଶ ବା ହତାଶ ଥିବା ମହିଳାମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ।

ଉଷାଙ୍କ ଜୀବନ ଅଦମନୀୟ ଉତ୍ସାହ ଓ ପ୍ରେରଣାରେ ପରିପୂର୍ଣ୍ଣ। ସେ ପ୍ରଫେସର୍‌ ଭାବେ କାର୍ଯ୍ୟରତ ଥିବା ବେଳେ ୨୦୦୩ରେ ଚତୁର୍ଥ ଷ୍ଟେଜ୍‌ କ୍ୟାନ୍‌ସର୍‌ ପୀଡ଼ିତ ହୋଇଥିଲେ। କ୍ୟାନ୍‌ସର ସହ ଲଢ଼େଇରେ ସେ ଜିଣିବାରେ ସଫଳ ହୋଇଥିଲେ। ଅବସର ଗ୍ରହଣ କରିବା ପରେ ସେ ପୃଥିବୀ ଭ୍ରମଣ ଅଭିଯାନରେ ବାହାରିଥିଲେ। ଏହା ପରେ ୨୦୨୦ରେ କ୍ୟାନ୍‌ସର୍‌ ପୁଣି ଥରେ ତାଙ୍କୁ ଗ୍ରାସ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏଥର ମଧ୍ୟ ସେ ବିଜୟୀ ହୋଇଥିଲେ। ‘ଖାଲି ମସ୍ତିଷ୍କ ସଇତାନର କାରଖାନା’ ପ୍ରବାଦରେ ବିଶ୍ବାସୀ ଉଷା କାର୍ଯ୍ୟ ପରବର୍ତ୍ତୀ ସମୟରେ ଏମ୍‌ବିଏ ଡିଗ୍ରି ହାସଲର ଲକ୍ଷ୍ୟ ସ୍ଥିର କଲେ। କମ୍ପ୍ୟୁଟର୍‌ ବ୍ୟବହାର ଜଣା ନ ଥିଲେ ହେଁ ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ସେ ନିଜେ ଲାପ୍‌ଟପ୍‌ ବ୍ୟବହାର ଶିଖିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୦ ମସିହାରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ପରେ ସେ ଏକାକୀ ରହୁଛନ୍ତି। ଯଦି ସେ ତାଙ୍କ ଏମ୍‌ବିଏ ପାଠପଢ଼ା ସଫଳତାର ସହ ସମାପ୍ତ କରନ୍ତି ତେବେ ୭୬ ବର୍ଷରେ କାଲିଫର୍ନିଆ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଡକ୍ଟର ପିଟର ଫଙ୍ଗ୍‌ଙ୍କ ବିଶ୍ବ ରେକର୍ଡ ଭାଙ୍ଗିବାରେ ସମର୍ଥ ହେବେ। ଉଷା ପ୍ରକାଶ କରିଛନ୍ତି ଯେ ଏମ୍‌ବିଏ ପରେ ସେ ପିଏଚ୍‌.ଡି. ଡିଗ୍ରି ହାସଲ କରିବାକୁ ଚାହାନ୍ତି! ୭୯ ବର୍ଷ ବୟସରେ ଉଷା ରାୟଙ୍କ ଅନୁସନ୍ଧିତ୍ସା ଓ ଇଚ୍ଛାଶକ୍ତି, ଅସଂପୂର୍ଣ୍ଣ ପାଠ୍ୟକ୍ରମ ନେଇ ନିରାଶ ବା ହତାଶ ଥିବା ମହିଳାମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ।