ପ୍ରଶାସକ ପରିବାର

ଦେ‌ଶର ସବୁଠାରୁ ମର୍ଯ୍ୟାଦାଜନକ ଚାକିରି ଭାବେ ପରିଗଣିତ ହୁଏ ଆଇଏଏସ୍/ଆଇପିଏସ୍ କିଂବା ଆଇଏଫ୍ଏସ୍। ଏହି ଈପ୍‌ସିତ ପଦବି ହାସଲ କରିବା ଲାଗି ଅନେକଙ୍କର ପୂରା କ୍ୟାରିୟର୍‌ ପାର ହୋଇଯାଉଥିବା ବେଳେ କେହି କେହି ପ୍ରଥମ ପ୍ରୟାସରେ ସଫଳତା ହାସଲ କରୁଛନ୍ତି। ଏପ୍ରିଲ୍‌ ୧୬ ତାରିଖ‌େର ପ୍ରକାଶ ପାଇଛି ୨୦୨୩ର ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ। ଏଥିରେ ସର୍ବଭାରତୀୟ ସ୍ତରରେ ଶ୍ରେ‌ଷ୍ଠ ସ୍ଥାନରେ ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ ଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶାର ଅନୁଗୁଳ ଜିଲ୍ଲା ନିବାସୀ ଅନିମେଷ ପ୍ରଧାନ। ରାଜ୍ୟରୁ ୧୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଜ୍ଞାନାନନ୍ଦ ଗିରି ୨୪ତମ, ଆୟୁଷୀ ପ୍ରଧାନ ୩୬ତମ ଓ ଜୟଶ୍ରୀ ପ୍ରଧାନ ୫୨ତମ ରାଙ୍କ୍‌ରେ ରହିଛନ୍ତି। ପ୍ରତିବର୍ଷ ପାଖାପାଖି ୫ ଲକ୍ଷରୁ ଅଧିକ ପ୍ରାର୍ଥୀ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଉଥିବା ‌େବଳେ ସେ ମଧ୍ୟରୁ ମାତ୍ର ହଜାରେରୁ କିଛି ଅଧିକ କୃତକାର୍ଯ୍ୟ ହୋଇଥାଆନ୍ତି। ଏହି କଷ୍ଟସାଧ୍ୟ ପରୀକ୍ଷାରେ ଏମିତି ମଧ୍ୟ ଦେଖିବାକୁ ମିଳିଛି କି ଗୋଟିଏ ଗୋଟିଏ ପରିବାରରୁ ଏକାଧିକ ପ୍ରାର୍ଥୀ ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ବେଳେ କେଉଁଠି ପିଢ଼ି ପରେ ପିଢ଼ି ଏହି ସଫଳତାର ପୁନରାବୃତ୍ତି କରୁଛନ୍ତି। ଆଇଏଏସ୍/ଆଇପିଏସ୍ ହେବା ‌ସତେ ଯେମିତି ବଂଶ ପରମ୍ପରା ପାଲଟିଯାଇଛି।

ଚତୁର୍ଥ ପିଢ଼ିର ଆଇଏଏସ୍ ସଂସ୍କୃତି କୁମାରୀ
୨୦୨୩ ଲୋକସେବା ଆୟୋଗ ପରୀକ୍ଷାରେ ସଫଳ ହୋଇ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ରାକେଶ ସିଂହଙ୍କ କନ୍ୟା ସଂସ୍କୃତି କୁମାରୀ ସିଂହ ତାଙ୍କ ପରିବାରର ‘ଆଇଏଏସ୍‌’ପ୍ରାପ୍ତି ଧାରା ଅବ୍ୟାହତ ରଖିଛନ୍ତି। କୌତୂହଳର କଥା, ବିହାର ରାଜ୍ୟର ଶେଖ୍‌ପୁରା ଜିଲ୍ଲା ନିବାସୀ ଉକ୍ତ ପରିବାରର ୩ ପିଢ଼ି ସିଭିଲ୍‌ ସର୍ଭାଣ୍ଟ୍‌ ହୋଇ ଜନସେବା କରିଆସୁଛନ୍ତି। ସଂସ୍କୃତିଙ୍କ ଜେଜେ ସ୍ବର୍ଗତ ଭରତ ସିଂହ ଶେଖ୍‌ପୁରା ଜିଲ୍ଲାର ପ୍ରଥମ ଆଇପିଏସ୍‌ ଅଫିସର୍‌ ହୋଇ ଇତିହାସ ରଚିଥିଲେ। ତାଙ୍କ ବାପା ଏସ୍‌. ପି. ସିଂହ ମଧ୍ୟ ଥିଲେ ବ୍ରିଟିଶ୍‌ ଆଇସିଏସ୍‌ କ୍ୟାଡର୍‌ ଅଧିକାରୀ। ସିଭିଲ୍‌ ସର୍ଭିସ୍‌ରେ ଯୋଗ ଦେଇ ଭରତ ସିଂହଙ୍କର ଦୁଇ ପୁଅ ରାକେଶ ଓ ମୁକେଶ ମଧ୍ୟ ପରିବାରର ଏହି ଧାରାକୁ ଆଗେଇ ନେଇଥିଲେ। ସଂସ୍କୃତିଙ୍କ ସଫଳତାକୁ ନେଇ ଶେଖ୍‌ପୁରା ଗାଆଁ ତଥା ସମଗ୍ର ଜିଲ୍ଲାବାସୀ ଖୁସି ମନାଇଛନ୍ତି। ସଂସ୍କୃତି କୁମାରୀ ସର୍ବଭାରତୀୟ ସ୍ତରରେ ୩୬୬ ରାଙ୍କ୍‌ ହାସଲ କରିଥିବା ବେଳେ ତାଙ୍କ ସ୍ବାମୀ ଜଣେ ‘ଆଇଆର୍‌ଏସ୍‌’ ଅଫିସର୍‌ ଏବଂ ସମ୍ପ୍ରତି ସେ ଆୟକର କମିସନର୍‌ ଭାବେ କାର୍ଯ୍ୟ କରୁଛନ୍ତି। ୩ ବର୍ଷ ତଳେ ସଂସ୍କୃତିଙ୍କ ବାହାଘର ହୋଇଥିଲା। ଏବେ ସଂସ୍କୃତିଙ୍କ ବାପା ରାକେଶ ସିଂହ କର୍ଣ୍ଣାଟକରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।

ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନଙ୍କ ଭାଗ୍ୟରେ ପ୍ରଶାସନର ଶୀର୍ଷସ୍ତରର ଏହି ଚାକିରି ପ୍ରାପ୍ତ ହୋଇଥାଏ। ତେବେ ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହଜ ବ୍ୟାପାର ନୁହେଁ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଥିଲାଗି ନିରବଚ୍ଛିନ୍ନ ପ୍ରସ୍ତୁତି କରିବାକୁ ପଡ଼ିଥାଏ।

ଗୋଟିଏ ପରିବାରର ୪ ଭାଇଭଉଣୀ ସଫଳ
ଜଣେ ନୁହେଁ କି, ଦି’ଜଣ ନୁହେଁ, ଉତ୍ତରପ୍ରଦେଶ ଅନ୍ତର୍ଗତ ପ୍ରତାପଗଡ଼ ନିବାସୀ ମିଶ୍ରା ପରିବାରର ୪ ଭାଇଭଉଣୀ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ପରିବାରର ମୁଖ୍ୟ ଅନୀଲ୍‌ ମିଶ୍ରାଙ୍କ ଦୁଇ ପୁଅ ଯୋଗେଶ, ଲୋକେଶ ଏବଂ ଝିଅ ମାଧବୀ ଓ କ୍ଷମା ହେଉଛନ୍ତି ଆଇଏଏସ୍/ଆଇପିଏସ୍‌ ଅଧିକାରୀ। ଅନୀଲ୍‌ ମିଶ୍ରା ଜଣେ ଗ୍ରାମୀଣ ବ୍ୟାଙ୍କ୍‌ ମ୍ୟାନେଜର୍‌ ଓ ତାଙ୍କର ଇଚ୍ଛା ଥିଲା ପିଲାଏ ବଡ଼ ଅଫିସର୍‌ ହୋଇ ତାଙ୍କୁ ଗୌରବମଣ୍ଡିତ କରାନ୍ତୁ। ତେଣୁ, ପିଲାମାନଙ୍କୁ ଭଲ ଶିକ୍ଷା ଦେବାଲାଗି ସେ କଠିନ ପରିଶ୍ରମ କରିଥିଲେ। ପିଲାମାନେ ବି କମ୍‌ ମେଧାବୀ ନ ଥିଲେ। ପ୍ରଥମେ ବଡ଼ପୁଅ ଯୋଗେଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଲେ। ଏହାପରେ, ପରିବାରର ବାକି ଭାଇଭଉଣୀ ୟୁପିଏସ୍‌ସି ପ୍ରସ୍ତୁତିରେ ଲାଗିପଡ଼ିଲେ। ପରୀକ୍ଷାରେ ପ୍ରଥମେ ସଫଳତା ହାସଲ କରି ଯୋଗେଶ ୨୦୧୩ରେ ଆଇଏଏସ୍‌ ଅଫିସର୍‌ ହେଲେ। ତାହା ଦେଖି ଆଉ ଭାଇଭଉଣୀ ବି ଆହୁରି କଠିନ ପରିଶ୍ରମ କଲେ। ତା’ ପରବର୍ଷ, ଅର୍ଥାତ୍‌ ୨୦୧୪ରେ ସଫଳ ହୋଇ ଆଇଏଏସ୍‌ ହେଲେ ଭଉଣୀ ମାଧବୀ ମିଶ୍ରା। ତା’ପରେ ୨୦୧୫ରେ ୪୪ତମ ରାଙ୍କ୍‌ରେ ରହି ଆଇଏଏସ୍‌ ହେଲେ ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଭାଇ ଲୋକେଶ। ସେହି ବର୍ଷ ମଧ୍ୟ ସବା ସାନଭଉଣୀ କ୍ଷମା ମିଶ୍ର ସର୍ବଭାରତୀୟ ସ୍ତରରେ ୧୭୨ତମ ରାଙ୍କ୍‌ରେ ରହି ଆଇପିଏସ୍‌ ଅଧିକାରୀ ହେଲେ।

ସିଭିଲ୍‌ ସର୍ଭିସ୍‌ ସଫଳତା ପରିବାରର ପ୍ରଥା
ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୧୮ତମ ରାଙ୍କ୍‌ ପାଇବା ଚଣ୍ଡୀଗଡ଼ର ୨୫ ବର୍ଷୀୟ ଇଞ୍ଜିନିୟର୍‌ ଶ୍ରୁତି ଅରୋଡ଼ାଙ୍କ ପାଇଁ ଏହି ସଫଳତା ଥିଲା ‌କେବଳ ପାରିବାରିକ ପ୍ରଥାକୁ ଆଗେଇ ନେବାର ପ୍ରୟାସ ମାତ୍ର। ଚଣ୍ଡୀଗଡ଼ର ଝିଅ ଶ୍ରୁତି ହେଉଛନ୍ତି ୧୯୮୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ କେଶନୀ ଆନନ୍ଦ ଅରୋଡ଼ାଙ୍କ ଝିଅ। କେଶନୀଙ୍କ ଭଉଣୀ ମୀନାକ୍ଷି ଆନନ୍ଦ ଚୌଧୁରୀ ଓ ଊର୍ବଶୀ ଗୁଲାଟୀ ବି ସିଭିଲ୍‌ ସର୍ଭିସ୍‌ ପାଇଥ‌ିଲେ। କେଶନୀଙ୍କ ବାପା ଡକ୍ଟର୍‌ ଜଗଦୀଶ ଚନ୍ଦ୍ର ଆନନ୍ଦ ଥିଲେ ପଞ୍ଜାବ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ର‌ାଧ୍ୟାପକ। ସେ ଓ ତାଙ୍କ ସ୍ତ୍ରୀ ପାଠପଢ଼ି ସ୍ବାବଲମ୍ବୀ ହେବାକୁ ଝିଅମାନଙ୍କୁ ଉତ୍ସାହ ଦେଉଥିଲେ। ଘରେ ନିଜେ ଆନନ୍ଦ ଝିଅମାନଙ୍କୁ ପଢ଼ାଉଥିଲେ। ତିନିଝିଅ ପ୍ରଥମେ ବିଶ୍ବବିଦ୍ୟାଳୟର ପରୀକ୍ଷା ଫଳାଫଳ ତାଲିକାରେ ଶୀର୍ଷସ୍ଥାନରେ ରହି ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କଲେ। ପରେ ସେମାନେ ‘ୟୁପିଏସ୍‌ସି’ ପରୀକ୍ଷାରେ ସଫଳ ହେଲେ। ମୀନାକ୍ଷି ହେଲେ ୧୯୬୯ ବ୍ୟାଚ୍‌ ‘ଆଇଏଏସ୍‌’ ଅଫିସର୍‌, ଊର୍ବଶୀ ହେଲେ ୧୯୭୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌। ସର୍ବଭାରତୀୟ ସ୍ତରରେ ସେମାନେ ୨୦ ରାଙ୍କ୍‌ ମଧ୍ୟରେ ଥ‌ିଲେ। ୧୯୮୩ରେ କେଶନୀ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ଦ୍ବିତୀୟ ହୋଇଥିଲେ।

ଓଡ଼ିଶାରେ ଆଇଏଏସ୍ ପରିବାର
ଗୋଟିଏ ପରିବାରର ଏକାଧିକ ସଦସ୍ୟ ଆଇଏଏସ୍ କିମ୍ବା ଆଇପିଏସ୍ ହେବା ଓଡ଼ିଶାରେ ବି ଦେଖିବାକୁ ମିଳିଛି। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ (୧୯୬୪-୨୦୦୦) ଆଇଏଏସ୍ ପାଇଥିବା ବେଳେ ତାଙ୍କ ପୁତ୍ର ସୁବ୍ରତ ସାହୁ ୧୯୯୨ରେ ସଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରିରେ ଅଛନ୍ତି। ସେହିପରି ପୂର୍ବତନ ପ୍ରମୁଖ ସଚିବ ଅରୁଣ କୁମାର ପଣ୍ଡା (୧୯୮୪-୨୦୨୦)ଙ୍କ ପୁତ୍ର ଅଭିଷ୍ୟାନ୍ତ ପଣ୍ଡା ୨୦୧୭ ମସିହାରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଥିବା ୧୯୭୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ରଙ୍କ ବଡ଼ଭାଇ ପ୍ରସନ୍ନ ମିଶ୍ର (୧୯୬୬-୨୦୦୪) ଜଣେ ଆଇଏଏସ୍ ଅଧିକାରୀ। ଆଇଏଏସ୍ ଅଧିକାରୀ ପ୍ରତୀପ ମହାନ୍ତି (୧୯୭୬-୨୦୦୪)ଙ୍କ ପୁଅ ପ୍ରତୀକ ମହାନ୍ତି ୨୦୦୦ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ୍ ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି। ଯଦି ଟିକିଏ ପଛକୁ ଫେରି ଚାହିଁବା ତେବେ ଏହି ପରି ଏକାଧିକ ଭାଇ-ଭାଇ କି ବାପ-ପୁଅ ଯୋଡ଼ି ସିଭିଲ୍ ସର୍ଭାଣ୍ଟ୍‌ ‌ନଜରକୁ ଆସିବେ। ଯେପରି ଦୁଇଭାଇ ବିପିନ ବିହାରୀ ମିଶ୍ର ଓ ଶରତ ମିଶ୍ର ଆଇପିଏସ୍ ଅଧିକାରୀ ଥିଲେ।

ସମ୍ବନ୍ଧିତ ଖବର