ନୂଆଦିଲ୍ଲୀ: ଗୁଜୁରାଟ ମାଧ୍ୟମିକ ବୋର୍ଡର ଦଶମଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବଡୋଦରାରେ ଜଣେ ଗୁପଚୁପ ବିକ୍ରେତାଙ୍କ ଝିଅ ୯୯.୭୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଝିଅର ଏହି ସଫଳତା ଦେଖି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବାପା ଓ ମା’ଙ୍କ ମୁହଁରେ ହସ ଫୁଟିଛି। ଏଥିସହିତ ସ୍ଥାନୀୟଲୋକ ବି ଗୁପଚୁପ ବିକ୍ରେତାଙ୍କ ଝିଅଙ୍କ ଏହି ସଫଳତା ପାଇଁ ଖୁବ ଖୁସି ଥିବା କୁହାଯାଉଛି।
ବଡୋଦରାରେ ଗତ ୨୫ବର୍ଷ ହେବ ଗୁପଚୁପ ବିକ୍ରି କରି ନିଜର ଗୁଜୁରାଣମେଣ୍ଟାଉ ଥିବା ପ୍ରକାଶ କୁଶବାହାଙ୍କ ଝିଅ ପୁନମ ଚଳିତ ଗୁଜୁରାଟ ମାଧ୍ୟମିକ ବୋର୍ଡର ୧୦ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ୯୯.୭୨ ପ୍ରତିଶତ ନମ୍ବର ରଖିଛନ୍ତି।
ଏହି ସଫଳତାକୁ ନେଇ ପୁନମ କହିଛନ୍ତି, ‘ଘରର ଆର୍ଥିକ ଅବସ୍ଥା ଭଲ ନାହିଁ। ବାପା ଗୁପଚୁପ ବିକ୍ରି କରି ତାଙ୍କର ଯେତିକି ସକ୍ଷମ ସେଇ ଅନୁଯାୟୀ ସେ ଘର ଚଳାଇ ଥାଆନ୍ତି। ପାଠପଢ଼ା ମଝିରେ ମଝିରେ ମୁଁ ବାପା ଓ ମା’ଙ୍କୁ ସାହାଯ୍ୟ ବି କରିଥାଏ। କିନ୍ତୁ ପାଠପଢ଼ାରେ କବେ ହେଲା କରେ ନାହିଁ।
କାରଣ ମୋର ଇଚ୍ଛା ବାପା ଓ ମା’ ମୋର ପାଠପଢ଼ା ପାଇଁ ଯେତିକି କଷ୍ଟ କରିଛନ୍ତି ବା କରୁଛନ୍ତି, ମୁଁ ଭଲ ପାଠପଢ଼ି ଭଲ ନମ୍ବର ରଖି ଭଲ ଚାକିରି କରିବି। ୧୦ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମୁଁ ମେଡିକାଲ ପାଠପଢ଼ି ଡାକ୍ତର ହେବାର ସ୍ବପ୍ନ ଦେଖିଛି।’