ଲାନ୍ସେଟ୍ ପତ୍ରିକାରେ ବୈଜ୍ଞାନିକଙ୍କ ମତ: ‘ଡେଲ୍ଟା’ କୋଭିଡ୍ ଭୂତାଣୁରୁ ରକ୍ଷା ପାଇଁ ବୟସ୍କଙ୍କୁ ତୃତୀୟ ଡୋଜ୍ ଆବଶ୍ୟକ
ଭାରତରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଭୂତାଣୁର ନାମକରଣ ‘ଡେଲ୍ଟା’ କରାଯାଇଛି। ଲାନ୍ସେଟ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡେଲ୍ଟା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବୟସ୍କ ଲୋକଙ୍କୁ ତୃତୀୟ ଡୋଜ୍ ଆବଶ୍ୟକ ପଡ଼ିପାରେ। ବ୍ରିଟେନ୍ର ଏକ ବୈଜ୍ଞାନିକ ଦଳ କହିଛନ୍ତି ଯେ ଡେଲ୍ଟା ଭାଇରସ୍ ଟିକାକରଣ ପରେ ମଧ୍ୟ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ିକୁ ଶୀଘ୍ର ହ୍ରାସ କରି ସଂକ୍ରମଣ ଆଶଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ସେହିପରି ବୟସ୍କ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡ଼ି ଶୀଘ୍ର ହ୍ରାସ ପାଇଥାଏ। ଏଣୁ ବୟସ୍କ ଲୋକଙ୍କୁ ତୃତୀୟ ଡୋଜ୍ ଟିକା ନେବା ଆବଶ୍ୟକ ବୋଲି କୁହାଯାଇଛି। କିନ୍ତୁ ଭାରତରେ ଦିଆଯାଉଥିବା କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଡେଲ୍ଟା ଭୂତାଣୁର ମୁକାବିଲା କରିବା ପାଇଁ ବେଶ୍ ପ୍ରଭାବଶାଳୀ। ଏଣୁ ଭାରତରେ ଏବେ ତୃତୀୟ ଡୋଜ୍ କଥା ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସମ୍ପର୍କରେ ଏମ୍କେସିଜି ମେଡିକାଲ ଶିଶୁରୋଗ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ସୁନୀଲ ଅଗ୍ରୱାଲ୍ଙ୍କ ମତ ହେଲା, ଆମେରିକା ଓ ଜର୍ମାନୀରେ ଏମ୍ଆର୍ଏନ୍ଏ ଟିକା ଦିଆଯାଇଛି। ସେହି ଟିକା ଆମକୁ ଦିଆଯାଇ ନାହିଁ। ତାଙ୍କର ଟିକା ଭାରତୀୟ ଷ୍ଟ୍ରେନ୍କୁ ମୁକାବିଲା କରିବାର କ୍ଷମତା କମ୍ ରହିଛି। ଏଣୁ ସେମାନେ ଚାହୁଁଛନ୍ତି ଯେ ଆଉ ଗୋଟିଏ ବୁଷ୍ଟର୍ ଡୋଜ୍ ଦିଆହେଉ। ଏଥିପାଇଁ ୟୁଏଇ ଓ ବାହାରିନ୍ ଭଳି ଦେଶ ଲାନସେଟ୍ ପତ୍ରିକାରେ ପ୍ରକାଶିତ ତଥ୍ୟକୁ ଆଧାର କରି ତାଙ୍କ ଦେଶର ନାଗରିକଙ୍କୁ ଆଉ ଗୋଟିଏ ଲେଖାଏଁ ଡୋଜ୍ ଦେବା ପାଇଁ ଚିନ୍ତା କରିଛନ୍ତି। ଏଥିରେ ଆମର କୌଣସି ସମ୍ପର୍କ ନାହିଁ। ଭାରତରେ ଦିଆଯାଉଥିବା କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଭାରତୀୟ ଷ୍ଟ୍ରେନ୍(ଡେଲ୍ଟା)କୁ ମୁକାବିଲା କରିବାର ଯଥେଷ୍ଟ କ୍ଷମତା ରହିଛି। ଏହା ଏମ୍ଆର୍ଏନ୍ଏ ଟିକା ଅପେକ୍ଷା ଭଲ କାମ କରିବ। ଏଣୁ ଆମ ପାଇଁ ସମସ୍ୟା ନାହିଁ। ଏ ବର୍ଷ ପରେ ଆସନ୍ତା ୨୦୨୨ରେ ଯଦି ଦୁଇଟି ପର୍ଯ୍ୟାୟ ଟିକା ନେଇଥିବା ବ୍ୟକ୍ତି ପୁଣିଥରେ ସଂକ୍ରମିତ ହୁଅନ୍ତି କିମ୍ବା ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବା ଦେଖାଯିବ, ସେ ସମୟରେ ଆମ ପାଇଁ ବୁଷ୍ଟର୍ ଆବଶ୍ୟକ। ଲାନ୍ସେଟ୍ ପତ୍ରିକାରେ ପ୍ରକାଶ ପାଇଥିବା ଗବେଷଣାତ୍ମକ ରିପୋର୍ଟ ଅନୁସାରେ ଏମ୍ଆର୍ଏନ୍ଏ ଟିକା ଭାରତୀୟ ଷ୍ଟ୍ରେନ୍(ଡେଲ୍ଟା) ପାଇଁ ଉପଯୋଗୀ ନୁହଁ। ଆମେ ନେଇଥିବା କୋଭାକ୍ସିନ୍ ଓ କୋଭିସିଲ୍ଡ ପରେ ଏବେ ବୁଷ୍ଟର୍ର ଆବଶ୍ୟକତା ନାହିଁ। ଆସନ୍ତା ବର୍ଷରେ ଏ ଦିଗରେ ଚିନ୍ତା କରାଯାଇ ପାରେ। ବର୍ତ୍ତମାନ କୋଭିସିଲ୍ଡ ଟିକାକୁ ବୁଷ୍ଟର୍ ଡୋଜ୍ ଭାବେ ଦେବାକୁ କେତେକ ଦେଶ ପ୍ରସ୍ତୁତ ହୋଇଛନ୍ତି।
ଏମ୍କେସିଜି ମେଡିକାଲ ଅନ୍ତଃସ୍ରାବ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ପି. ରବି କୁମାର କୁହନ୍ତି, କରୋନା ସଂକ୍ରମିତ ହୋଇନଥିବା ୨୫୦ ଜଣଙ୍କ ଉପରେ ଫାଇଜର୍ ଟିକା ପରୀକ୍ଷଣ କରାଯାଇଥିଲା। ଟିକା ଦେବାର ୩ମାସ ପରେ ସେମାନଙ୍କ ଆଣ୍ଟିବଡ଼ି ସ୍ତର ଯାଞ୍ଚ କରାଯାଇଥିଲା। ଚାଇନାରେ ସୃଷ୍ଟି ହୋଇଥିବା ପ୍ରଥମ ଭୂତାଣୁର ମୁକାବିଲା କରିବା ପାଇଁ ୭୯ପ୍ରତିଶତ ଆଣ୍ଟିବଡ଼ି ରହିଥିବା ବେଳେ ଆଲ୍ଫା ଷ୍ଟ୍ରେନ୍ ପାଇଁ ୫୦ପ୍ରତିଶତ, ଡେଲ୍ଟା ଷ୍ଟ୍ରେନ୍ ପାଇଁ ୩୨ପ୍ରତିଶତ ଓ ବିଟା ଷ୍ଟ୍ରେନ୍ ପାଇଁ ୨୫ପ୍ରତିଶତ ଆଣ୍ଟିବଡ଼ି ରହିଥିଲା। ଆମ ଦେଶରେ ଡେଲ୍ଟା ଷ୍ଟ୍ରେନ୍ ଅଛି। ବୟସ୍କ ଲୋକଙ୍କ କ୍ଷେତ୍ରରେ ଧୀରେ ଧୀରେ ଆଣ୍ଟିବଡ଼ି କମୁଛି। ସେହିପରି ସମୟ ବଢ଼ିବା ଅନୁସାରେ ମଧ୍ୟ ଏହା ହ୍ରାସ ପାଇଥାଏ। ଯାହାର ପ୍ରତିରୋଧକ ଶକ୍ତି କମ୍ ରହୁଛି ୬ରୁ ୮ମାସ ପରେ ସେମାନଙ୍କୁ ଆଉ ଗୋଟିଏ ବୁଷ୍ଟର୍ ଡୋଜ୍ ଦେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି। ଯଦି ଆମେ ଫାଇଜର୍ ଟିକା ନେଇଥାନ୍ତେ ତେବେ ଆମର ପ୍ରତିରୋଧକ ଶକ୍ତି କମ୍ ରହିଥାନ୍ତା। ଆମେ ନେଉଥିବା କୋଭିସିଲ୍ଡ୍ ଓ କୋଭାକ୍ସିନ୍ ଟିକା ଡେଲ୍ଟା ଭୂତାଣୁକୁ ପ୍ରତିରୋଧ କରି ପାରିବ। ବିଶେଷଜ୍ଞଙ୍କ ମତ ଅନୁସାରେ ଡିସେମ୍ବରରୁ ଜାନୁଆରି ମଧ୍ୟରେ ତୃତୀୟ ଲହର ଆସିପାରେ। ଯେଉଁମାନେ ଟିକା ନେଇଥିବେ ସେ ସମୟରେ ସେମାନଙ୍କ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବ। ଏଣୁ ସେମାନେ ପୁଣିଥରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ୬ରୁ ୮ମାସ ପରେ ଲୋକଙ୍କ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ ବୁଷ୍ଟର୍ ଡୋଜ୍ କଥା ସରକାର ଚିନ୍ତା କରିବା ଆବଶ୍ୟକ।
ଏଣ୍ଡୋକ୍ରିନୋଲୋଜିଷ୍ଟ୍ ଡା. ସୁନୀଲ କୋଟା କହନ୍ତି, ସାଧାରଣତଃ ପ୍ରତ୍ୟେକ ଟିକାର କିଛି ଅବଧି ରହିଥାଏ। ସେହି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟିକା ରୋଗକୁ ପ୍ରତିରୋଧ କରି ରଖିଥାଏ। ବର୍ତ୍ତମାନ ବ୍ରିଟେନ୍ରେ ଦୁଇଟି ଡୋଜ୍ ନେଇ ସାରିଥିବା ଲୋକମାନଙ୍କୁ ପୁଣିଥରେ ଗୋଟିଏ ଡୋଜ୍ ନେବା ପାଇଁ ସେଠାକାର ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଯାହାକୁ ବୁଷ୍ଟର୍ ଡୋଜ୍ ବୋଲି କୁହାଯାଏ। ଏଭଳି ଡୋଜ୍ ୬ରୁ ୭ମାସ ପରେ ନିଆଯାଇଥାଏ। ତାଙ୍କ ଦେଶରେ ଫାଇଜର୍ ଟିକା ୬ମାସରେ ଥରେ ସେମାନେ ନେବେ। ଭାରତରେ ଆମ ଯେଉଁ କୋଭିସିଲ୍ଡ୍ ଓ କୋଭାକ୍ସିନ୍ ଟିକା ନେଉଛେ ତାହା ଡେଲ୍ଟା ଭୂତାଣୁକୁ ପ୍ରତିହତ କରିବା ପାଇଁ ଉଭୟ ଟିକା ବେଶ୍ ପ୍ରଭାବଶାଳୀ। କିନ୍ତୁ ତା’ର ମଧ୍ୟ କିଛି ସମୟ ଅବଧି ରହିଛି। ସବୁ ଟିକାର କିଛି ସମୟ ଅବଧି ରହିଛି। ଏଣୁ ସମସ୍ତଙ୍କୁ କିଛି କିଛି ମାସର ବ୍ୟବଧାନରେ ବୁଷ୍ଟର୍ ଡୋଜ୍ ଆବଶ୍ୟକ ପଡ଼ିବ। ଶରୀରରେ ଯେଉଁ ଆଣ୍ଟିବଡ଼ି ତିଆରି ହେଉଛି ତାହା ସମୟ ଗଡ଼ିବା ଅନୁସାରେ ଧୀରେ ଧୀରେ ହ୍ରାସ ପାଇଥାଏ। ଭବିଷ୍ୟତରେ ସମସ୍ତଙ୍କୁ ବୁଷ୍ଟର୍ ଡୋଜ୍ ନେବାକୁ ପଡ଼ିପାରେ। ବୃଦ୍ଧ, ବୃଦ୍ଧାଙ୍କ କ୍ଷେତ୍ରରେ ଶୀଘ୍ର ବୁଷ୍ଟର୍ ଡୋଜ୍ ଆବଶ୍ୟକ ପଡ଼ିପାରେ। କାରଣ ସେମାନଙ୍କ ଆଣ୍ଟିବଡ଼ି ଶୀଘ୍ର ହ୍ରାସ ପାଇଥାଏ।