ମାଇକେଲ ଜ୍ୟାକ୍ସନ୍ ଓ ଵିନ୍ ହାର୍ଲୋଙ୍କ ପରି ଅନେକ ସେଲିବ୍ରିଟି କେବଳ ସେମାନଙ୍କ ଆଦର୍ଶ କ୍ୟାରିଅର ପାଇଁ ନୁହେଁ, ବରଂ ସେମାନଙ୍କ ଚର୍ମର ଅନନ୍ୟ ଅବସ୍ଥା ପାଇଁ ଜଣାଶୁଣା। ତାହା ଆଉ କିଛି ନୁହେଁ, ଚର୍ମର ରଙ୍ଗବଦଳା ଅବସ୍ଥା। ତେବେ ଚର୍ମ ଉପରେ ତାଳି ପକାଇଲା ପରି ରଙ୍ଗ ବଦଳୁଥିବାର ଲକ୍ଷଣ ଥିବା ‘ଭିଟିଲିଗୋ’ ବା ଧଳା ଛଉ ପରି ରୋଗର କୌଣସି ଉପଶମ ନାହିଁ। ଏହା ସଂକ୍ରାମକ ମଧ୍ୟ ନୁହେଁ। ମାତ୍ର ଏହା ପ୍ରତି ଘେରି ରହିଥିବା କଳଙ୍କ ଜଣେ ପୀଡ଼ିତକୁ ଦୁର୍ବଳ ମନୋବଳ, ଆତ୍ମସମ୍ମାନ ଓ ସାମାଜିକ ଦୁଶ୍ଚିନ୍ତା ପରି ମାନସିକ ସ୍ବାସ୍ଥ୍ୟ ପ୍ରଭାବର ଅନୁଭବ ଆଣିଥାଏ। ଫଳରେ ଏଥିରୁ କାଳେ କିଛି ଉପଶମ ମିଳିଯିବା ଆଶାରେ ଲୋକେ କ୍ବାକ୍ମାନଙ୍କ ଦ୍ବାରା ଠକାମିର ଶିକାର ହୋଇଥା’ନ୍ତି।
ଉପଚାରର ରାସ୍ତା ଖୋଲୁଛି ଅତ୍ୟାଧୁନିକ ଚିକିତ୍ସା
ଧଳାଛଉ ଏକ ଅଟୋଇମ୍ୟୁନୋ ରୋଗ ହୋଇଥିବା ବେଳେ ଏବେ ଏହାର ଚିକିତ୍ସା ସମ୍ଭବ ହୋଇପାରୁଛି। ପ୍ରଥମରୁ ଚର୍ମ କୁଣ୍ଡାଇ ହୋଇ ଧଳା ଚିହ୍ନ ଆରମ୍ଭ ହେବା ବେଳକୁ ଏହାର ଚିକିତ୍ସା କରିବା ଜରୁରି। ଏହି ରୋଗର ଚିକିତ୍ସା ସମୟରେ ପ୍ରଥମେ ରୋଗକୁ ନିୟନ୍ତ୍ରଣକୁ ଅଣାଯାଏ, ଏହା ପରେ ଧଳାଛଉ ଅଂଶକୁ ଡି-ପିଗ୍ମେଣ୍ଟେଡ୍ କରି ଏହାକୁ ଶରୀର ସହ ମିଶାଇବାକୁ ଚେଷ୍ଟା କରାଯାଏ। ପୁରୁଣା ଧଳା ଛଉକୁ ଏବେ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଯୋଗୁଁ ବି ଚିକିତ୍ସା କରାଯାଇପାରୁଛି। ଫଟୋଥେରାପି, ଲେଜର ଟ୍ରିଟ୍ମେଣ୍ଟ୍ ଓ ଲାଇଟ୍ ଥେରାପି ସହ ସର୍ଜରି ଦ୍ବାରା ଧଳା ଛଉରୁ ମୁକ୍ତି ମିଳିପାରୁଛି।
- ଡାକ୍ତର ମାନସ ରଞ୍ଜନ ପୁହାଣ, ଚର୍ମରୋଗ ବିଶେଷଜ୍ଞ
ଧଳା ଛଉ ରୋଗ ହେଉଛି ଚର୍ମର ଏପରି ଏକ ଅବସ୍ଥା, ଯାହାକୁ ଆମେ କୌଣସି ପରିବାର ସଦସ୍ୟ କି ପଡ଼ୋଶୀଙ୍କ ଠାରେ ଦେଖିେଛ ଏବଂ ଏହା ବାବଦରେ ମଧ୍ୟ ନାନା କଥା ଶୁଣିଛେ। ଚର୍ମର କିଛି ଅଂଶରେ ପିଗ୍ମେଣ୍ଟ (ଚର୍ମକୁ ରଙ୍ଗ ପ୍ରଦାନ କରୁଥିବା ପଦାର୍ଥ) ନଷ୍ଟ ହେବା ଦ୍ବାରା ଧଳା ଧଳା ପଟି ଦେଖାଯାଇଥାଏ। ପିଗ୍ମେଣ୍ଟ (ମେଲାନିନ୍) ସୃଷ୍ଟି କରୁଥିବା କୋଷ(ମେଲାନୋସାଇଟ୍ସ) ନଷ୍ଟ ହୋଇଗଲେ କି ତାହାର କାର୍ଯ୍ୟ ବନ୍ଦ ହୋଇଗଲେ ଏପରି ଅବସ୍ଥା ହୋଇଥାଏ। ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ଶରୀରର ଏହା ଏକ ସ୍ବୟଂ-ରୋଗପ୍ରତିରୋଧକ ସ୍ଥିତି ବୋଲି ବିଶ୍ବାସ କରାଯାଏ, ଯହିଁରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏହି ପିଗ୍ମେଣ୍ଟ ଉତ୍ପାଦନକାରୀ କୋଷଗୁଡ଼ିକୁ ଆକ୍ରମଣ କରି ନଷ୍ଟ କରି ଦେଇଥାଏ। ବୟସ-ଲିଙ୍ଗ-ସମ୍ପ୍ରଦାୟ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଏହି ଛଉର ଶିକାର ହୋଇପାରନ୍ତି। ତେବେ ଗାଢ଼ ରଙ୍ଗର ଚର୍ମ ଥିବା ଲୋକଙ୍କ ଠାରେ ଏହା ସ୍ପଷ୍ଟ ବାରି ହୋଇପଡ଼େ। ଏପରି ଅବସ୍ଥା ସଂକ୍ରାମକ କି ଜୀବନ ପ୍ରତି ବିପଜ୍ଜନକ ନୁହେଁ, ମାତ୍ର ପୀଡ଼ିତଙ୍କ ଉପରେ ଏହା ମାନସିକ ଓ ସାମାଜିକ ପ୍ରଭାବ ପକାଇଥାଏ। ଲକ୍ଷଣ ସ୍ବରୂପ ଯଦିଓ ଚର୍ମର ଯେ କୌଣସି ସ୍ଥାନରେ ଧଳା ରଙ୍ଗର ଦାଗ ଦେଖାଯାଇଥାଏ, ତେବେ ମୁହଁ, ହାତ, ପକ୍ଷ ଓ ପାଦ ଆଦିରେ ତାହା ବେଶୀ ଦେଖାଦେଇଥାଏ। ସେହିପରି ତାଳୁ, ଭ୍ରୂଲତା ଓ ଦାଢ଼ି ଆଦିର ଚୁଟି ଆଗୁଆ ଧୂସର ହୋଇଯାଏ। ପାଟି ଓ ନାକ ପୁଡ଼ାର ତନ୍ତୁର ରଙ୍ଗ ମଧ୍ୟ ନଷ୍ଟ ହୋଇଯାଏ। ତେବେ ଏହା କର୍କଟର ଆଶଙ୍କା ଆଣେ ବୋଲି ରହିଥିବା ଧାରଣା ସଂପୂର୍ଣ୍ଣ ଭୁଲ୍। ସେହିପରି ନଷ୍ଟ ହୋଇଥିବା ମେଲାନୋସାଇଟ୍ର ଭରଣା ପାଇଁ କୌଣସି ଔଷଧ ନଥିବାରୁ ଛଉର କୌଣସି ପ୍ରତିକାର ମଧ୍ୟ ନାହିଁ। ତେଣୁ ଏଥି ଯୋଗୁଁ କେହି ବିବ୍ରତ ହେବାର କାରଣ ନାହିଁ।
ବୟସ-ଲିଙ୍ଗ-ସମ୍ପ୍ରଦାୟ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଧଳାଛଉର ଶିକାର ହୋଇପାରନ୍ତି। ଗାଢ଼ ରଙ୍ଗର ଚର୍ମ ଥିବା ଲୋକଙ୍କ ଠାରେ ଏହା ସ୍ପଷ୍ଟ ବାରି ହୋଇପଡ଼େ। ଏହା ସଂକ୍ରାମକ କିମ୍ବା ଜୀବନ ପ୍ରତି ବିପଜ୍ଜନକ ନୁହେଁ, ମାତ୍ର ପୀଡ଼ିତଙ୍କ ଉପରେ ମାନସିକ ଓ ସାମାଜିକ ପ୍ରଭାବ ପକାଇଥାଏ।