ଏଆଇ ଭଏସ୍ ଫିଲ୍‌ଟର୍‌ର କମାଲ୍: ଚିତ୍କାର କଲେ ଶୁଭୁଛି ସୁମଧୁର ବକ୍ତବ୍ୟ

Advantages of AI Voice Filter

ଆଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଆମେ ପ୍ରତ୍ୟକ୍ଷରେ କହୁଥିବା କଥା ବା ଗାଉଥିବା ଗୀତ ନାନା ଯାନ୍ତ୍ରିକ ଉପଚାର ପରେ ବେଶ୍ ଶ୍ରୁତିମଧୁର ହୋଇପାରୁଥିବା ଆମେ ଜାଣୁ। ତେବେ ଏହି କ୍ରମରେ ଏକ ଜାପାନୀ କମ୍ପାନି ପ୍ରସ୍ତୁତ କରିଥିବା ଏକ କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ସ୍ବର ପରିସ୍ରାବକ (ଭଏସ୍‌ ଫିଲଟର୍‌) ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହା ସାହାଯ୍ୟରେ ଯେକୌଣସି କ୍ରୋଧଭରା ଚିତ୍କାର ଛାଣି ହୋଇ ଶାନ୍ତ ସ୍ବଭାବର ବକ୍ତବ୍ୟରେ ପରିଣତ ହୋଇପାରୁଛି। ଏହି ଭଏସ୍‌ ଫିଲଟର୍‌ ଦ୍ବାରା ବିଶେଷ କରି ଗ୍ରାହକଙ୍କ ଉଚ୍ଚବାଚ ଓ ରାଗର ଶିକାର ହେଉଥିବା ବିଭିନ୍ନ କଲ୍‌ ସେଣ୍ଟର୍‌ କର୍ମଚାରୀମାନେ ଲାଭାନ୍ବିତ ହେବେ।

ଏବେ ପ୍ରସ୍ତୁତ ହୋଇଛି ଅଭିନବ ଏଆଇ ଭଏସ୍‌ ଫିଲଟର୍‌। ଏହା ଗ୍ରାହକଙ୍କ ରାଗର ଶିକାର ହେଉଥିବା କଲ୍‌ ସେଣ୍ଟର୍‌ କର୍ମଚାରୀଙ୍କୁ ଆଣିଦେବ ଆଶ୍ବସ୍ତି।

ଉଲ୍ଲେଖଯୋଗ୍ୟ, ବଡ଼ ବଡ଼ ବୈଷୟିକ କମ୍ପାନି ପାଇଁ ସେମାନଙ୍କ କଲ୍‌ ସେଣ୍ଟର୍‌ରେ କାମ କରୁଥିବା କର୍ମଚାରୀମାନଙ୍କ ଲାଗି ଗ୍ରାହକଙ୍କ ଅସନ୍ତୋଷ ଓ ରୋଷଜନିତ ମାନସିକ ଦୁଶ୍ଚିନ୍ତା ଏକ ବଡ଼ ଆହ୍ବାନ। ଦୈନିକ ଶହଶହ ଗ୍ରାହକ ସେମାନଙ୍କ ଉପରେ ନିଜର କ୍ରୋଧ ବା ନିରାଶାକୁ ଗାଳିରେ ଶୁଝାଇଥାନ୍ତି। ତେବେ ସଂପୃକ୍ତ କର୍ମଚାରୀମାନଙ୍କୁ ଅଧିକ ସହିଷ୍ଣୁ କରି ସେଭଳି ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ଯୋଗ, ଧ୍ୟାନ ସମେତ ଅନ୍ୟାନ୍ୟ ଚାପ ପରିଚାଳନା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଆସୁଛି। ତେବେ ଏହି କ୍ରମରେ ଜାପାନୀ କମ୍ପାନି ‘ସୋଫ୍‌ବ୍ୟାଙ୍କ’ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଉପଯୋଗ କରି ତିନି ବର୍ଷର ପରୀକ୍ଷା ନିରୀକ୍ଷା ପରେ ଏଭଳି ଏକ ଅଭିନବ ସ୍ବର ପରିସ୍ରବଣ ବ୍ୟବସ୍ଥା ବିକଶିତ କରିଛି। ଏହା କୌଣସି ପ୍ରକାର ତିକ୍ତ ତଥା ଶ୍ରୁତିକଟୁ ଚିତ୍କାରକୁ ଚିହ୍ନଟ କରିବା ସହ ତାହାର ସ୍ବରାନୁବାଦ କରି ଏକ ସୁମଧୁର ବକ୍ତବ୍ୟରେ ପରିଣତ କରିପାରୁଛି। ଏହି ଭଏସ୍‌ ଫିଲ୍‌ଟର୍‌କୁ ଏଥିପାଇଁ ପ୍ରଶିକ୍ଷିତ କରିବା ଲାଗି ତାହାକୁ ୧୦ ହଜାର ପ୍ରକାରର ବିଭିନ୍ନ ଭାବର ବାକ୍ୟାଂଶ ଶୁଣାଯାଇଥିଲା। ପ୍ରଥମେ ଏହା ବିରକ୍ତିକର କଣ୍ଠସ୍ବରକୁ ଚିହ୍ନଟ କରି ତାହାର ମୁଖ୍ୟାଂଶକୁ ବାଛିଥାଏ। ପରେ ତାହାକୁ ଏକ ସ୍ବାଭାବିକ, ନମ୍ର ଓ ଶାନ୍ତ ସ୍ବରରେ ପରିଣତ କରି ଶୁଣାଇଥାଏ। ମଜାର କଥା, ଉକ୍ତ ଏଆଇ ଫିଲ୍‌ଟର୍‌ ସ୍ବର ପ୍ରକ୍ରିୟାକରଣ ବେଳେ କୌଣସି ମୂଳ ଶବ୍ଦକୁ ପରିବର୍ତ୍ତନ କରିନଥାଏ, ବରଂ ତାହାର ଭାବ ଓ କହିବାର ଶୈଳୀକୁ କେବଳ ଶ୍ରୁତିମଧୁର କରିଦେଇଥାଏ।

ସମ୍ବନ୍ଧିତ ଖବର