ଉଡ଼ାଜାହାଜ ଟଣା ପ୍ରତିଯୋଗିତା

ପ୍ରତିବର୍ଷ ଆମେରିକାର ଭିର୍ଜିନିଆବାସୀ ଏକ ମହତ୍‌ ଉଦ୍ଦେଶ୍ୟରେ ଉଡ଼ାଜାହାଜ ଟଣା ପ୍ରତିଯୋଗିତାରେ ଭାଗ ନେବା ଘଟଣା ଖୁବ୍‌ ପ୍ରଶଂସାଯୋଗ୍ୟ ହୋଇପାରିଛି। ବିଶେଷ କରି ରାଜ୍ୟର ଭିନ୍ନକ୍ଷମ ଅଲିମ୍ପିକ୍‌ କ୍ରୀଡ଼ାବିତ୍‌ଙ୍କ ସାହାଯ୍ୟାର୍ଥେ ଅର୍ଥ ଯୋଗାଡ଼ ନିମନ୍ତେ ସେମାନେ ଏପରି କରୁଥିବା ଜଣାଯାଇଛି।

ସୂଚନାନୁଯାୟୀ, ଆଜକୁ ୩୦ ବର୍ଷ ତଳେ ସେଠାରେ ଲୋକପ୍ରିୟ ‘ଡ୍ୟୁଲ୍‌ସ ଡେ’ ଉତ୍ସବ ଅବସରରେ ଡ୍ୟୁଲ୍‌ସ ଜାହାଜଟଣା ନାମରେ ଏପରି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ରାଜ୍ୟର ପ୍ରାୟ ୨୨ ହଜାର ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କ ତାଲିମ ପାଇଁ ଆବଶ୍ୟକ ଅର୍ଥର ଭରଣା ନିମନ୍ତେ ଉତ୍ସାହୀ ଭିର୍ଜିନିଆବାସୀ ଏଭଳି ଅଭିନବ ଉପାୟ ଆପଣେଇଥିଲେ। ଏଥିରେ ଏକ ପଚିଶ ଜଣିଆ ଦଳକୁ ଏକତ୍ରିତ ହୋଇ ଏକ ଉଡ଼ାଜାହାଜକୁ ଟାଣି ଟାଣି ମାତ୍ର ୧୨ ଫୁଟ୍‌ ଦୂରତା ଅତିକ୍ରମ କରିବାକୁ ପଡ଼ିଥାଏ। ଯେଉଁ ଦଳ ସବୁଠୁ କମ୍‌ ସମୟରେ ଏହା ଅତିକ୍ରମ କରିଥା’ନ୍ତି ସେମାନଙ୍କୁ ବିଜେତା ଘୋଷିତ କରାଯାଇଥାଏ। ଏହି ପ୍ରତିଯୋଗିତା ଦେଖିବା ପାଇଁ ଠୁଳ ହେଉଥିବା ଦେଖଣାହାରୀଙ୍କ ପ୍ରବେଶିକା ମାହାସୁଲ ଓ ପ୍ରତିଯୋଗୀମାନଙ୍କ ଅବଦାନରୁ ଅର୍ଥ ଯୋଗାଡ଼ ହୋଇଥାଏ।

ଚଳିତବର୍ଷ ଗତ ୧୭ ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସେଥିରୁ ୪,୪୦,୦୦୦ ଡଲାର (ବା ପ୍ରାୟ ସାଢ଼େ ୩ କୋଟି ଟଙ୍କା) ଯୋଗାଡ଼ ହୋଇଥିବା ଜଣାଯାଇଛି। ଭିନ୍ନକ୍ଷମ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟବାସୀଙ୍କ ଏହି ଉଦ୍ୟମକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର