ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଅପରପକ୍ଷେ, ଏଥିପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବା ନିହାତି ଜରୁରି ହୋଇଥିବା ବେଳେ ବନୀକରଣ ଉପରେ ନିର୍ଭରଶୀଳତା ସେଥିରୁ ଆମକୁ ବିଚ୍ୟୁତ କରିପାରେ ବୋଲି ଦଳେ ଚୀନୀ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି।
ସେମାନେ ଉଭୟ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଜଙ୍ଗଲ ପୁନରୁଦ୍ଧାର ଉପରେ ପର୍ଯ୍ୟବେକ୍ଷଣ କରିଥିଲେ। ସେମାନଙ୍କ କହିବା କଥା, ବରଫ ଆଚ୍ଛାଦିତ ଅଞ୍ଚଳରେ ଗଛ ଲଗାଇବା ଦ୍ବାରା ତାହା ପ୍ରତିଫଳନକୁ ହ୍ରାସ କରି ପ୍ରକୃତରେ ଆହୁରି ଉଷ୍ମତା ବଢ଼ାଇପାରେ। ଜଙ୍ଗଲ ପୁଣି ଜଳ ପାଇଁ ତୃଣଭୂମି ସହିତ ପ୍ରତିଯୋଗିତା କରିପାରେ କିମ୍ବା ଜୈବ ବିବିଧତାକୁ ବିପଦରେ ପକାଇପାରେ। ସାରା ବିଶ୍ୱରେ ବନୀକରଣ ପାଇଁ ଉପଯୁକ୍ତ ୩୮୯ ନିୟୁତ ହେକ୍ଟର ଅଞ୍ଚଳରେ ବୃକ୍ଷରୋପଣ କଲେ ମଧ୍ୟ ୨୦୫୦ ସୁଦ୍ଧା ସମୁଦାୟ ଅଙ୍ଗାର ହ୍ରାସର ପରିମାଣ ପ୍ରାୟ ୪,୦୦୦ କୋଟି ଟନ୍ ହେବ। ତେବେ ବର୍ତ୍ତମାନ କେବଳ ପ୍ରାୟ ୧୨୦ ନିୟୁତ ହେକ୍ଟର ଜଙ୍ଗଲ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ତାହା ୨୦୫୦ ସୁଦ୍ଧା ମାତ୍ର ୧,୨୫୦ କୋଟି ଟନ୍ ଅଙ୍ଗାର ହ୍ରାସ କରିପାରିବ। ଯଦିଓ ବନୀକରଣ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ଦିଗରେ ସାହାଯ୍ୟ କରିପାରିବ, ତେବେ ତାହା ବିଶ୍ୱ ତାପମାନକୁ +୧.୫ ଡିଗ୍ରି ସେଲସିଅସ୍ ତଳେ ରଖିବା ପାଇଁ ଯଥେଷ୍ଟ ନୁହେଁ।
ଯଦିଓ ବନୀକରଣ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ଦିଗରେ ସାହାଯ୍ୟ କରିପାରିବ, ତେବେ ତାହା ବିଶ୍ୱ ତାପମାନକୁ +୧.୫ ଡିଗ୍ରି ସେଲସିଅସ୍ ତଳେ ରଖିବା ପାଇଁ ଯଥେଷ୍ଟ ନୁହେଁ। ସୁତରାଂ ଅଙ୍ଗାର ନିର୍ଗମନ ହ୍ରାସକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।
ସୁତରାଂ ଅଙ୍ଗାର ନିର୍ଗମନ ହ୍ରାସକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି। ଅବଶ୍ୟ ବ୍ରାଜିଲ, କଲମ୍ବିୟା, ଚୀନ୍ ଓ ଭାରତ ପରି ଆର୍ଦ୍ର ଉଷ୍ଣ କ୍ରାନ୍ତିମଣ୍ଡଳୀୟ ଅଞ୍ଚଳରେ ଗଛଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସେଠାରେ ବନୀକରଣ ପ୍ରୋତ୍ସାହନ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ। ଅପରପକ୍ଷେ, ଆମେରିକା ଓ ରୁଷ ପରି ଅଞ୍ଚଳରେ ଥଣ୍ଡା ପାଗ ଓ ମନ୍ଥର ଗଛ ବୃଦ୍ଧିର ଅର୍ଥ ହେଲା ସମାନ ପ୍ରଭାବ ପକାଇବା ପାଇଁ ବହୁତ ଅଧିକ ଜମି ଆବଶ୍ୟକ ହେବ। ଏହି ଅଧ୍ୟୟନର ଏକ ଚିନ୍ତାଜନକ ନିଷ୍କର୍ଷ ହେଲା ଆଫ୍ରିକା ମହାଦେଶରେ ବିଭିନ୍ନ ଦେଶର ସରକାର ଯେତିକି ଅଞ୍ଚଳରେ ଗଛ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବାସ୍ତବରେ ସେଗୁଡ଼ିକ ବନୀକରଣ ପାଇଁ ଉପଯୁକ୍ତ ନୁହେଁ। ଉଦାହରଣ ସ୍ବରୂପ ଇଥିଓପିଆ ୧୨.୨ ମିଲିଅନ୍ ହେକ୍ଟର ଅଞ୍ଚଳରେ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି କିନ୍ତୁ ସେଠାରେ ମାତ୍ର ୦.୫ ମିଲିଅନ୍ ହେକ୍ଟର ଜମି ସେଥିପାଇଁ ଉପଯୁକ୍ତ। ଏଥିରୁ ମିଳିଥିବା ବଡ଼ ଶିକ୍ଷା ହେଲା, ବୃକ୍ଷରୋପଣ ଦ୍ରୁତ ନିର୍ଗମନ ମୁକାବିଲାକୁ ସମର୍ଥନ କରିପାରିବ, ମାତ୍ର ପ୍ରଦୂଷଣ ହ୍ରାସ ପଦକ୍ଷେପର ସ୍ଥାନ ନେଇପାରିବ ନାହିଁ। ସୁତରାଂ ବନୀକରଣର ସର୍ବାଧିକ ଲାଭ ଉଠାଇବା ପାଇଁ, ଗଛଗୁଡ଼ିକ କେଉଁଠାରେ ବଢ଼ିପାରିବେ ସେ ନେଇ ଉନ୍ନତ ବିଜ୍ଞାନ-ଆଧାରିତ ନିର୍ଦ୍ଦେଶାବଳୀ ଓ ଦୃଢ଼ ପ୍ରତିଶ୍ରୁତିବଦ୍ଧତାର ଆବଶ୍ୟକ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/09/sfsfhfh-2025-09-09-01-25-30.jpg)