ମହାକାଳପଡା(ସଂଜୟ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ୧୯୯୯ ମହାବାତ୍ୟା ସବୁଠୁ ଅଧିକ ତାଣ୍ଡବ ରଚିଥିଲା ମହାକାଳପଡା ଅଞ୍ଚଳରେ। ବ୍ଲକ୍ର ବରକନ୍ଧା ପ˚ଚାୟତର ତେନ୍ତୁଲିକନ୍ଧା ରାଜସ୍ବ ଗ୍ରାମର ପଡା ଗ୍ରାମ ଲଲିତଜୋରିପାଳ ଛାରଖାର ହୋଇଯାଇଥିଲା। ଏହି ଗ୍ରାମରେ ବସବାସ କରୁଥିବା ୨୩ଟି ପରିବାରର ମୋଟ ୨୭ ଜଣଙ୍କର ଜୀବନ ଯାଇଥିଲା। ମହାବାତ୍ୟାର ମହାତାଣ୍ଡବରୁ ବର୍ତ୍ତି ଯାଇଥିବା ଅନେକଙ୍କ ଜୀବନରେ ପରିବର୍ତ୍ତନ ଆସିଛି ସତ କିନ୍ତୁ ଅନେକ ଏବେ ବି ମୌଳିକ ସମସ୍ୟା ସହ ଯୁଝି ହେଉଛନ୍ତି। ପ୍ରଶାସନର ଉଦାସୀନତାକୁ ନେଇ ଅଭିଯୋଗ କରୁଛନ୍ତି।
ମହାବାତ୍ୟାରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିବା ତପସ୍ବିନୀ ସେନାପତିଙ୍କୁ ଏବେ ୩୫ ବର୍ଷ। ଆଉ ଜଣେ ଭଉଣୀଙ୍କୁ ବାଦ ଦେଲେ ପରିବାରର ଅନ୍ୟମାନେ ଆରପାରିରେ। ଏଯାଏ ଅବିବାହିତ ଥିବା ତପସ୍ବିନୀ କହିବା ଅନୁଯାୟୀ ଗଲା ୨୦ ବର୍ଷ ଭିତରେ ତାଙ୍କ ଗ୍ରାମରେ ଅନେକ ବିକାଶ ହୋଇଛି। ସେ ନିଜେ ଏକ ଦୋକାନ ଓ ଟେଲରିଂ ସପ କରି ରୋଜଗାର କରୁଛନ୍ତି। ଗାଁରେ କୋଠାଘର, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ହେଲେ ଗାଁକୁ ଏଯାଏ ଭଲ ପାଣି ମୁନ୍ଦେ ମିଳୁ ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବାରମ୍ବାର ଦାବି ହେଉଥିଲେ ବି ତାହା ୨୦ ବର୍ଷ ଭିତରେ କାର୍ଯ୍ୟକାରୀ ହୋଇପାରୁ ନାହିଁ।
ଗାଁର ସୁଧିର ମଣ୍ତଳ ବି ନିଜ ସମସ୍ୟାକୁ ନେଇ ଦୁଃଖ ଆଉ କ୍ଷୋଭ ପ୍ରକାଶ କରନ୍ତି। ମହାବାତ୍ୟା ତାଙ୍କ ପରିବାରର ୫ଜଣ ସଦସ୍ୟଙ୍କ ଜୀବନ ନେଇଥିଲା। ବାତ୍ୟା ସମୟରେ ନିଜର ଜ୍ବାଇଁ ବନମାଳୀ, ତାଙ୍କ ସ˚ପର୍କୀୟା ଭଉଣୀ ଘରକୁ ବୁଲି ଆସିଥିବା ବେଳେ ବାତ୍ୟା ଆରମ୍ଭ ହୋଇଯାଇଥିଲା। ସମୁଦ୍ରର ଜୁଆର ସେମାନଙ୍କ ଘରକୁ ଭସାଇ ନେଇଥିଲା। ପରିବାରର ୯ଜଣ ସଦସ୍ୟ ପାଣିରେ ଭାସିଯାଇଥିଲେ। ସୈାଭାଗ୍ୟକୁ ସୁଧିର ଏବ˚ ତାଙ୍କ ପତ୍ନୀ, ବଡପୁଅ ଧନୁ, ସାନପୁଅ ବିଷ୍ଣୁ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ। ହେଲେ ମହାବାତ୍ୟାର ୨୦ବର୍ଷ ପରେ ବି ସୁଧିରଙ୍କ ପରିବାରକୁ ସରକାରୀ ଯୋଜନାରେ ବାସଗୃହଟିଏ କିମ୍ବା ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନାଟିଏ ମିଳି ପାରିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ସୁଧିର ମହାବାତ୍ୟାର ୨୦ ବର୍ଷ ପରେ ବି ଚାହିଁ ବସିଛନ୍ତି।