ନାଗୌର: ଝିଅକୁ ବୋଝ ବୋଲି ଭାବୁଥିବା ଲୋକଙ୍କୁ ରାଜସ୍ଥାନର ନାଗୌର ଜିଲ୍ଲାରେ ଘଟିଥିବା ଘଟଣା ନୂତନ ଶିକ୍ଷା ଦେବ ନିଶ୍ଚୟ।
ଏଠାରେ ଏକ ଚାଷୀ ପରିବାରରେ ଝିଅଟିଏ ଜନ୍ମ ହେବା ପରେ ସମସ୍ତେ ଯେଭଳି ଭାବେ ଉତ୍ସାହ ମନାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ସୂଚନାଯୋଗ୍ୟ, ନାଗୌରର ଚାଷୀ ମଦନ ଲାଲ ପ୍ରଜାପତିଙ୍କର ନାତୁଣୀଟିଏ ଜନ୍ମହେଲା। ଦୀର୍ଘ ୩୫ବର୍ଷ ପରେ ତାଙ୍କ ପରିବାରରେ ଝିଅ ଜନ୍ମ ହୋଇଥିଲା। ନାତୁଣୀ ଜନ୍ମ ହେବାପରେ ପୂରା ପରିବାରରେ ଖୁସିର ଲହରି ଖେଳି ଯାଇଥିଲା । ନବଜାତ ଶିଶୁ କନ୍ୟାକୁ ଘରକୁ ଆଣିବା ପାଇଁ ୧୦ରୁ ୧୨ଦିନ ପୂର୍ବରୁ ଜେଜେବାପା ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।
ନାତୁଣୀର ସ୍ବାଗତରେ ଯେପରି କୌଣସି ପ୍ରକାର ତ୍ରୁଟି ନ ରହି ଯାଉ ସେଥିପାଇଁ ଜେଜେବାପା ମଦନଲାଲ ପୂରା ଦୃଷ୍ଟି ରଖିଥିଲେ। ନାତୁଣୀ ସ୍ବାଗତ ପାଇଁ ନିଜର ଚାଷଜମି ବିକ୍ରି କରି ୫ଲକ୍ଷ ଟଙ୍କା ଏକାଠି କରିଥିଲେ ମଦନଲାଲ । ଏହି ଟଙ୍କାରେ ସେ ଏକ ହେଲିକପ୍ଟରର ବ୍ୟବସ୍ଥା କରିଥିଲେ, ଯେଉଁଥିରେ ତାଙ୍କ ନାତୁଣୀ ସିଦ୍ଧିକୁ ଅଣାଯାଇଥିଲା।
ଏହି ହେଲିକପ୍ଟର ଯୋଗେ ବାପା ହନୁମାନ ପ୍ରଜାପତି ଓ ମା’ ଚୁକା ଦେବୀ କନ୍ୟା ସନ୍ତାନକୁ ନେଇ ଘରେ ପହଞ୍ଚିଥିଲେ। ଦୁର୍ଗାନବମୀ ଦିନ ଶିଶୁଟିର ଗୃହ ପ୍ରବେଶ ହୋଇଥିଲା। ଶିଶୁର ସ୍ବାଗତ ପାଇଁ ହେଲିପ୍ୟାଡରୁ ନେଇ ଘର ପର୍ଯ୍ୟନ୍ତ ଫୁଲ ବିଛା ଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ରହିଛି।