ଦୃଢ଼ ମନୋବଳ ଓ ନିଷ୍ଠାର ଶକ୍ତି ପାଖରେ ବୟସ କିପରି ତୁଚ୍ଛ ହୋଇପାରେ, ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ଅଟୋଚାଳକଙ୍କ କ୍ଷେତ୍ରରେ। ଉଚ୍ଚଶିକ୍ଷା ହାସଲ କରିବାର ପ୍ରବୃତ୍ତି ତାଙ୍କୁ କିପରି ଦଶମ ପରୀକ୍ଷା ଦେବାର ଦୀର୍ଘ ୩୮ ବର୍ଷ ପରେ ଯୁକ୍ତ ଦୁଇ ପଢ଼ିବା ପାଇଁ ଉତ୍ସାହିତ କରିଛି ତାହା ଚର୍ଚ୍ଚାର ବିଷୟ ହୋଇଛି। ବେଙ୍ଗାଲୁରୁର ଏହି ଅଟୋଚାଳକଙ୍କ ନାମ ଭାସ୍କର। ତାଙ୍କର ଶିକ୍ଷା ପ୍ରତି ଆଗ୍ରହର ହୃଦୟସ୍ପର୍ଶୀ କାହାଣୀ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ୧୯୮୫ ମସିହାରେ ସେ ଦଶମ ଶ୍ରେଣୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ।
ଦାରିଦ୍ର୍ୟ ଯୋଗୁଁ ସେ ଅନିଚ୍ଛା ସତ୍ତ୍ବେ ପାଠ ଛାଡ଼ି ରୋଜଗାରରେ ଲାଗିପଡ଼ିଥିଲେ। କିନ୍ତୁ ଉଚ୍ଚଶିକ୍ଷା ସ୍ବପ୍ନକୁ ସେ ସେବେଠାରୁ ମନରେ ବଞ୍ଚାଇ ରଖିଥିଲେ। ପାଖାପାଖି ଚାରି ଦଶନ୍ଧି ପରେ ଭାସ୍କର ସେହି ସ୍ବପ୍ନ ପୂରା କରିବା ଆରମ୍ଭ କରିଛନ୍ତି। ଚାରିପ୍ରାଣୀ କୁଟୁମ୍ବଙ୍କ ଭରଣପୋଷଣର ଦାୟିତ୍ବ ବହନ କରିବା ସହ ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ପୁନର୍ବାର ଶିକ୍ଷାଗ୍ରହଣ ଲାଗି ସେ ଦେଖାଇଥିବା ପ୍ରତିବଦ୍ଧତା ଅସାଧାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କର ଦୁଇ ସନ୍ତାନ ଏବେ ତୃତୀୟ ଓ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ନିକଟରେ ଯୁକ୍ତ ଦୁଇର ଇଂରେଜୀ ବିଷୟର ପରୀକ୍ଷା ଦେଇସାରି ଭାସ୍କର ଅଟୋ ଚଳାଉଥିବା ସମୟରେ ନିଧି ଅଗ୍ରଵାଲ୍ ନାମକ ବେଙ୍ଗାଲୁରୁ ଅଧିବାସୀ ତାଙ୍କର ଏହି ଫଟୋ ଉଠାଇଥିଲେ ଏବଂ ‘ଏକ୍ସ’ (ଟ୍ବିଟର୍)ରେ ତାଙ୍କର କାହାଣୀକୁ ଲୋକଲୋଚନକୁ ଆଣିଥିଲେ।