ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଚର୍ଚ୍ଚା ପାଲଟିଛି ଦିଲ୍ଲୀସ୍ଥିତ ମାଲବ୍ୟ ନଗରର ଭୋଜନାଳୟ ‘ବାବା କା ଢାବା’। ଢ଼ାବା ଚଳାଉଥିବା ବୃଦ୍ଧ ଦମ୍ପତିଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି ଢାବା ଏବେ ସାରା ଦେଶରେ ଚର୍ଚ୍ଚିତ ହୋଇଛି । ନିକଟରେ ଆଗ୍ରାରୁ ଭାଇରାଲ୍ ହୋଇଛି ଅନ୍ୟ ଏକ ଭିଡିଓ। ‘ବାବା କା ଢାବା’ ପରେ ଏବେ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ‘କାଞ୍ଜି ବଡ଼େ ୱାଲେ ଅଙ୍କଲ୍’।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବୟସ୍କ ବ୍ୟକ୍ତି ଗ୍ରାହକଙ୍କୁ କାଞ୍ଜି ବଡ଼େ(ଏକ ପ୍ରକାରର ବରା) ବିକ୍ରି କରୁଛନ୍ତି। ଭିଡିଓଟିକୁ ଅନେକ ଲୋକ ସୋସିଆଲ୍ ମିଡିଆରେ ସେୟାର୍ କରିବାରେ ଲାଗିଛନ୍ତି। ଆଗ୍ରାର କମ୍ଲା ନଗରର ପ୍ରଫେସର୍ କଲୋନିରେ ଥିବା ଏହି ଦୋକାନକୁ ‘ବାବା କା ଢାବା’ ପରି ପ୍ରସିଦ୍ଧ କରାଇବା ଚେଷ୍ଟାରେ ଲାଗି ପଡ଼ିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ।
ଭିଡିଓଟି ପ୍ରଥମରେ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ ହେବା ପରେ ଏବେ ସବୁ ସୋସିଆଲ୍ ମିଡିଆ ସାଇଟ୍ରେ ଦେଖିବାକୁ ମିଳୁଛି। ସୋସିଆଲ୍ ମିଡିଆର ଶକ୍ତି ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ‘ବାବା କା ଢାବା’ରୁ ଖାଦ୍ୟ ଏବେ ଜୋମାଟୋରୁ ବି ବରାଦ କରି ହେଉଛି।
ଆପଣ ଜାଣିଥିବେ ନିଶ୍ଚୟ ଯେ ମାଲବୀୟ ନଗରରେ ଅବସ୍ଥିତ ‘ବାବା କା ଢାବା’ ହେଉଛି ଏକ ଛୋଟ ଭୋଜନାଳୟ, ଯାହାକୁ କି ଏକ ବୃଦ୍ଧ ଦମ୍ପତି ଦୀର୍ଘ ୩୦ ବର୍ଷ ହେଲା ଚଳାଇ ଆସୁଛନ୍ତି। ମାତ୍ର ମହାମାରୀ କରୋନା ହେତୁ ଏହି ଢାବା ପ୍ରାୟ ବନ୍ଦ ପରି ହୋଇ ଯାଇଥିବା ବେଳେ ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇ କାହାଣୀ ବଦଳାଇ ଦେଇଛି। ସାଧାରଣ ଏକ ଭୋଜନାଳୟରୁ ବହୁଚର୍ଚ୍ଚିତ ପାଲଟିଛି ବୃଦ୍ଧ ଦମ୍ପତିଙ୍କର ଏହି ‘ବାବା କା ଢାବା’। ଭିଡିଓରେ ଦମ୍ପତି ସେମାନଙ୍କ ଦୁଃଖ କହିବା ପରେ ତାଙ୍କ ଭୋଜନାଳୟରେ ଲୋକଙ୍କ ଭିଡ଼ ଜମିଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ଆଡୁ ଅନୁଦାନ ମିଳିଥିବା ଏହି ଢାବା ଏବେ ଦେଶରେ ବେଶ୍ ପରିଚତ।