ଦୁଇ ଭିକାରୀଙ୍କୁ ମିିଳିଛି ସରକାରୀ ଚାକିରୀ, ଘଟଣା କ’ଣ ଜାଣନ୍ତୁ

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କନ୍ୟା ଇଭାଙ୍କା ଟ୍ରମ୍ପ ହାଇଦ୍ରାବାଦ ଗସ୍ତରେ ଆସିଥିଲେ ।  ତେବେ ଇଭାଙ୍କା ହାଇଦ୍ରାବାଦଗସ୍ତ ସମୟରେ ଭିକାରୀମାନଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଯିବ। କାରଣ ଇଭାଙ୍କା ହାଇଦ୍ରାବାଦଗସ୍ତ ପରେ ଭିକାରୀମାନଙ୍କ ଜୀବନରେ ଖୁସି ଭରିବାକୁ ଯାଉଛି। ଭିକ ମାଗୁଥିବା ସମୟରେ ଧରାପଡ଼ିଥିବା ଭିକାରୀଙ୍କ ମଧ୍ୟରୁ କେତେକ ଏବେ ନିଜ ଗୋଡରେ ନିଜେ ଛିଡା ହେବା ଶିଖି ଯାଇଛନ୍ତି।

ତେଲେଙ୍ଗାନାର ଜିଲ୍ଲା ବିଭାଗରେ ଟ୍ରାଫ୍ରିକ୍‌ ପୁଲିସ ଓ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ତରଫରୁ ଆରମ୍ଭ କରାଯାଇଥିବା ଭିକାରୀ ମୁକ୍ତ ହାଇଦ୍ରାବାଦ ଯୋଜନା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇ ପାରିଛି କି ନାହିଁ ତାହା ସନ୍ଦେହରେ ରହିଛି। କିନ୍ତୁ ଏହାର ସକରାତ୍ମକ ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରୁ ଉଠାଯାଇଥିବା ଭିକାରୀଙ୍କ ମଧ୍ୟରୁ ଦୁଇ ଯୁବା ଭିକାରୀ ସରକାରୀ ଚାକିରୀ ପାଇବାରେ ସଫଳ ହୋଇଛନ୍ତି।

ଚଞ୍ଚଲଗୁଡାସ୍ଥିତ ଆନନ୍ଦ ଆଶ୍ରମକୁ ଅଣାଯାଇଥିବା ଭିକାରୀ ଉଦୟକୁମାର ସମ୍ପ୍ରତି ଜିଲ୍ଲାର ଆୟୁର୍ବେଦ ଭିଲେଜରେ ରିସେପ୍‌ସନିଷ୍ଟ ଓ ରାଜକୁମାର ମସାଜର ଭାବେ କାମ କରୁଛନ୍ତି। ଦୁହିଁଙ୍କୁ ବିଭାଗ ମାସକୁ ୧୨ହଜାର ଟଙ୍କାର ପାରିଶ୍ରମିକ ପ୍ରଦାନ କରୁଛି।

ହାଇଦ୍ରାବାଦର ରାସ୍ତାପାର୍ଶ୍ୱରୁ, ଧାର୍ମିକ ସ୍ଥଳରୁ ଧରାଯାଇଥିବା ଭିକାରୀଙ୍କୁ ଶାରୀରିକ ସ୍ୱଚ୍ଛତା, ଯୋଗ, ନିଜର କିପରି ବିକାଶ କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏଥିସହିତ ଭିକାରୀଙ୍କୁ ଶିକ୍ଷିତ କରିବା ପାଇଁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। କାରଣ ଏପରି କରିବା ଦ୍ୱାରା ସେମାନେ ଏକ ସାଧାରଣ ଜୀବନ ବଞ୍ଚି ପାରିବେ।

ଭିକାରୀ ମୁକ୍ତ ହାଇଦ୍ରାବାଦ ଅଭିଯାନ ଜରିଆରେ ଏଯାବତ୍‌ ୫୮୦ରୁ ଅଧିକ ଭିକାରୀଙ୍କୁ ଧରାଯାଇଛି। ଯେଉଁଥିରେ ଅଧିକାଂଶ ଭିକାରୀଙ୍କୁ କାଉନ୍‌ସେଲିଙ୍ଗ ପରେ ସେମାନଙ୍କ ପରିଜନଙ୍କ ପାଖକୁ ପଠାଇ ଦିଆଯାଇଛି। ଅନ୍ୟ ଯେଉଁମାନେ ରହିଗଲେ ସେମାନଙ୍କୁ ବିଭିନ୍ନ ଦିଗରେ ପ୍ରଶିକ୍ଷିତ କରାଯାଇଛି। ଜିଲ୍ଲା ବିଭାଗ ଡିସେମ୍ବର ୨୫ ଭିତରେ ହାଇଦ୍ରାବାଦକୁ ଭିକାରୀ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। ଏହାପରେ ବି ଯଦି କୌଣସି ବ୍ୟକ୍ତିି କୌଣସି ଅଞ୍ଚଳରେ ଭିକାରୀ ଥିବା ସମ୍ପର୍କରେ ସୂଚନା ଦିଅନ୍ତି ତେବେ ସେମାନଙ୍କୁ ୫୦୦ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶିର ଘୋଷଣା କରାଯାଇଛି।

 

ସମ୍ବନ୍ଧିତ ଖବର