ନୂଆଦିଲ୍ଲୀ: ‘କ୍ଲିନ୍ ନୋଟ୍ ନୀତି’ ଅଧିନରେ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଲୋକମାନେ କାରବାର ଲାଗି ୨୦୦୦ ଟଙ୍କିଆକୁ ବ୍ୟବହାର କରିପାରିବେ ଏବଂ ପେମେଣ୍ଟ୍ ଆକାରରେ ଗ୍ରହଣ ବି କରିପାରିବେ। ତଥାପି ସେହି ନୋଟ୍ଗୁଡ଼ିକୁ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କକୁ ଫେରାଇ ଦେବା ଲାଗି ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କ କହିଛି।
ତେବେ ଏନେଇ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କୁ ଭୟଭୀତ ଓ ବ୍ୟସ୍ତବିବ୍ରତ ହେବାକୁ ବାରଣ କରିଛନ୍ତି। କାରଣ ଏହି ୨୦୦୦ଟଙ୍କିଆ ନୋଟ ବଦଳାଇବା ପାଇଁ ପ୍ରଜ୍ୟାପ୍ତ ସମୟ ଗ୍ରାହକକୁ ଦିଆଯାଇଛି।
ଏହାପରେ ବି ଯେଉଁମାନଙ୍କ ପାଖରେ ଏହି ୨୦୦୦ଟଙ୍କିଆ ନୋଟ ରହିଛି ସେମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଯେମିତି କି ବିମୁଦ୍ରୀକରଣ ସମୟରେ ଘଟିଥିଲା।
ଏଭଳି ସମୟରେ ସହରମାନଙ୍କରେ ଥିବା ଅଳଙ୍କାର ଦୋକାନମାନଙ୍କରେ ବି ଲୋକଙ୍କ ଭିଡ଼ ଜମିଛି। ଲୋକେ ଅଳଙ୍କାର ଦୋକାନରେ ପହଞ୍ଚି ପ୍ରଶ୍ନ କରୁଛନ୍ତି କି ସେମାନେ ଦୁଇହଜାର ଟଙ୍କିଆ ନୋଟ ଦେଇ ସୁନା କିଣି ପାରିବେ କି ?
ଏହାର ଉତ୍ତର ଦେଇ ଗୁଜୁରାଟର ଜଣେ ଅଳଙ୍କାର ଦୋକାନୀ କହିଛନ୍ତି,‘ଗ୍ରାହକଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ସମସ୍ତ ଦୋକାନୀ ୨ହଜାର ଟଙ୍କିଆ ନୋଟକୁ ସହଜରେ ଗ୍ରହଣ କରୁଛନ୍ତି।’
ସେହିପରି ଦିଲ୍ଲୀର ଅଳଙ୍କାର ଦୋକାନୀଙ୍କ କହିବାନୁସାରେ, ‘ପୂର୍ବ ବିମୁଦ୍ରୀକରଣ ସମୟରେ ଲୋକେ ଯେତିକି ଭୟଭୀତ ହୋଇଥିଲେ। ସେଭଳି ପରିସ୍ଥିତି ଏବେ ନାହିଁ। ଆମେ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରୁଛୁ। କିନ୍ତୁ ଆମମାନଙ୍କ ପାଇଁ ବି କିଛି ସୀମା ରହିଛି। କାରଣ ୬ମାସ ପୂର୍ବରୁ ବାକି ଥିବା ରାଶି ଏବେ ଫେରସ୍ତ ହେବାରେ ଲାଗିଛି। ଆମ ପାଖରେ ବି ଅଧିକ ୨୦୦୦ଟଙ୍କିଆ ନୋଟ ରହିଗଲେ ଫେରସ୍ତ କରିବା ସମୟରେ ଅସୁବିଧା ହୋଇପାରେ।’
ସୁରଟର ଅଳଙ୍କାର ଦୋକାନୀମାନେ କହିଛନ୍ତି, ଭାରତ ସରକାର ଓ ରଜର୍ଭ ବ୍ୟାଙ୍କଙ୍କ ଏଭଳି ନିଷ୍ପତ୍ତି ପରେ ସୁନା ବଜାରରେ ଲୋକଙ୍କ ଭିଡ଼ ଜମିଛି। ଯାହାକି ଆମମାନଙ୍କ ପାଇଁ ଏକ ପ୍ରକାର ଖୁସିର କଥା।’
କୋଲକାତା କଥା କହିବାକୁ ଗଲେ, ଏଠାରେ ଦୋକାନୀମାନେ ୨ହଜାର ଟଙ୍କିଆ ନେବା ବନ୍ଦ କରି ଦେଇଛନ୍ତି। ଲୋକଙ୍କ ମଧ୍ୟରେ ସମାନ୍ୟ ପରିସ୍ଥିତି ରହିଛି। ଲୋକେ କହୁଛନ୍ତି, ‘ଆମ ପାଖରେ ଯେତିକି ୨ହଜାର ଟଙ୍କା ଅଛି। ତାହାକୁ ବଦଳ କରିବା ପାଇଁ ପ୍ରଜ୍ୟାପ୍ତ ସମୟ ରହିଛି।’