ସେ ଜଣେ ଉଚ୍ଚଶିକ୍ଷିତା ମହିଳା ଶିଳ୍ପୋଦ୍ୟୋଗୀ। ବିଭିନ୍ନ ସାମାଜିକ ସଂସ୍ଥା ସହିତ ସେ ଜଡ଼ିତ। ଦୁଇଜଣ ମେଧାବୀ ପୁଅଝିଅଙ୍କ ମା’ ମୌସୁମୀ ସଂଜୟ ପଟ୍ଟନାୟକଙ୍କ ଜୀବନ କିନ୍ତୁ ସହଜ କି ସରଳ ନୁହେଁ। ବିବାହ ପରେ ୱେଷ୍ଟ୍ଇଣ୍ଡିଜ୍‌ର ଜାମାଇକାରେ ରହୁଥିବା ଜଣେ ଉଚ୍ଚପଦସ୍ଥ କମ୍ପାନି ଉପାଧ୍ୟକ୍ଷଙ୍କ ପତ୍ନୀ ଭାବରେ ବିଳାସମୟ ଜୀବନ ବିତାଉଥିବା ବେଳେ ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା। ଏକ ଦୁଃଖଦ ପରିସ୍ଥିତିରେ ୨୦୧୫ ମସିହାରେ ସେ ସ୍ବାମୀଙ୍କୁ ହରାଇଲେ। ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ନିଜକୁ ଦୃଢ଼ କଲେ। ନିଜ ଗୋଡ଼ରେ ଠିଆ ହେବାପାଇଁ ଉଦ୍ୟମ କଲେ। ସ୍ବାମୀଙ୍କ ଇଚ୍ଛା ଥିଲା ପୃଥିବୀର କୌଣସି ଏକ ସ୍ଥାନରେ ଏକ ସୁନ୍ଦର ରେଷ୍ଟୁରାଣ୍ଟ୍ ଖୋଲିବାର। ସେହି ସ୍ବପ୍ନ ମୌସୁମୀ ମଧ୍ୟ ଦେଖିଥିଲେ। ଏଣୁ ୨୦୧୭ରେ ସେ ଖୋଲିଲେ ‘ଚକୋ ଗ୍ୟାଲେରିଆ’।

Advertisment

publive-image

ଏ ନେଇ ସେ କୁହନ୍ତି, କୌଣସି ରାସାୟନିକ ଦ୍ରବ୍ୟ ମିଶି ନଥିବା କୋକୋ ମଞ୍ଜିରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଚକୋଲେଟ୍ ନିଜେ ବରାଦ୍ ଦେଇ ଉଟିରୁ ଆଣି ଏଠାରେ ବିକ୍ରୟ ପାଇଁ ରଖିଥିଲେ। ଚକୋଲେଟ୍‌ର ଗୁଣବତ୍ତା, ପ୍ରସ୍ତୁତ ପ୍ରଣାଳୀ, ସ୍ବାଦର ବିବିଧତା, ବଜାର ଦର, ଲାଭକ୍ଷତି ପ୍ରଭୃତିକୁ ନେଇ ରୀତିମତ ସର୍ଭେ କରୁଥିଲେ। ସେଥିପାଇଁ ତାଙ୍କ ଚକୋଲେଟ୍ ଧୀରେ ଧୀରେ ଲୋକପ୍ରିୟ ହେଲା। ଗ୍ରାହକ ଓ ଶିଳ୍ପସଂସ୍ଥାମାନଙ୍କୁ ହୋଲି ଦୀପାବଳି, ନୂଆବର୍ଷ ଇତ୍ୟାଦି ଅବସରରେ ବରାଦି ଚକୋଲେଟ୍ ଦେଲାବେଳେ ସେ ନିଜ ତରଫରୁ ମଧ୍ୟ କିଛି ଚକୋଲେଟ୍ ଉପହାର ଦେଉଥିଲେ।

publive-image

କ୍ରମେ ସେ ଚିନ୍ତାକଲେ କିଛି ନୂଆ ମିଠା ପ୍ରସ୍ତୁତ କରିବାପାଇଁ। ସେତେବେଳେ ସେ ଜାମାଇକାରେ କିଛିଦିନ କରିଥିବା କ୍ୟାଟରିଙ୍ଗ୍ ଉଦ୍ୟମ ତାଙ୍କୁ ସାହାଯ୍ୟ କଲା। ଓଡ଼ିଶାର ଖାଦ୍ୟପେୟ ସହିତ ମିଠାଦହି ମଧ୍ୟ ସେଠାକାର ଲୋକଙ୍କର ପସନ୍ଦ ଥିଲା। ମୌସୁମୀ ଆରମ୍ଭ କଲେ ବେକ୍‌ଡ୍‌ ମିଠାଦହି। ମାଟିପାତ୍ରରେ ପ୍ରସ୍ତୁତ ସ୍ବତନ୍ତ୍ର ଭାବରେ ଓଭାନ୍‌ରେ ବେକ୍ ହୋଇ ଏହାକୁ ପ୍ରସ୍ତୁତ କରାଯାଏ। ଏହି ଦହି ଏବେ ‘ୱହି ଦହି’ ଭାବେ ପରିଚିତ ହେଲାଣି। ବ୍ୟବସାୟ ବଢ଼ିଲାଣି। ପାଖାପାଖି ୧୫ ଜଣଙ୍କୁ ସେ ରୋଜଗାରକ୍ଷମ କରିପାରିଛନ୍ତି। ପୁଅ ଉତ୍କଳ ବିଶ୍ବବିଦ୍ୟାଳୟର କୃତୀ ଛାତ୍ର ଓ ଝିଅ ଦଶମ ଶ୍ରେଣୀରେ ପଢ଼ୁଛି। ଏପଟେ ସମାଜସେବାରେ ବି ବେଶ୍ ସକ୍ରିୟ ଅଛନ୍ତି ମୌସୁମୀ। ଲାୟନ୍ସ୍ କ୍ଲବ୍ ଅଫ୍ ଭୁବନେଶ୍ବର ଲୋଟସ୍‌ର ଉପସଭାପତି, ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ମହିଳା ଶାଖାର ସହ ସଂଯୋଜିକା, ଓଏଏସ୍ଏମ୍ଇର ସଦସ୍ୟା ଓ ଓଡ଼ିଆ ଉଦ୍ୟୋଗୀ ପରିବାରର ସଦସ୍ୟା ଭାବରେ ନିଜର ଯୋଗଦାନ ଜାରି ରଖିଛନ୍ତି। ଏହାବାଦ୍ ସମୟ କାଢ଼ି ଦୁଇ ଏକର ଜମିରେ ଜୈବିକ କୃଷି କାର୍ଯ୍ୟ କରି ନିଜକୁ ବ୍ୟସ୍ତ ରଖିଥାନ୍ତି।