ମୁମ୍ବାଇ: ନିଜର ବିଜ୍ଞାପନ ପାଇଁ ବିଭିନ୍ନ କମ୍ପାନି ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରିଥାନ୍ତି। ହୋର୍ଡିଂରୁ ନେଇ ଗଣମାଧ୍ୟମରେ ବିଜ୍ଞାପନ ଆଦି ବିଭିନ୍ନ ମାଧ୍ୟମର ସାହାରା ନେଇଥାନ୍ତି। ମାତ୍ର ବେ‌ଳେ ବେଳେ କମ୍ପାନି ବିଜ୍ଞାପନ ପାଇଁ କିଛି ନକରି ମଧ୍ୟ ଗ୍ରାହକଙ୍କ ଭଲପାଇବା ହେତୁ ‌ଆପେ ଆପେ ବିଜ୍ଞାପିତ ହୋଇ ଯାଇଥାଆନ୍ତି । ନିକଟରେ ସାଣ୍ଡ୍‌ଉଇଚ୍‌ ପାଇଁ ଜଣାଶୁଣା ‘ସବ୍‌ୱେ ଇଣ୍ଡିଆ’ ସହିତ ବି ଏପରି କିଛି ଘଟିଛି।

Advertisment

କିଛି ଦିନ ତଳେ ଜଣେ ଯୁବତୀ ତାଙ୍କ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରିଥିଲେ ଯେ କୌଣସି କ‌ାରଣକୁ ନେଇ ତାଙ୍କର ତାଙ୍କ ପ୍ରେମିକଙ୍କ ସହ ଝଗଡ଼ା ହୋଇଥିଲା। ସେ ନିଜ ପ୍ରେମିକଙ୍କୁ ବୁଝାଇବା ପାଇଁ ତାଙ୍କୁ ‘ସବ୍‌ୱେ’ର ଏକ ସାଣ୍ଡ୍‌ଉଇଚ୍‌ ଦେଇ କ୍ଷମା ମାଗିଲେ। ଏହି ପୋଷ୍ଟ୍‌ରେ ଯୁବତୀ ‘ସବ୍‌ୱେ’କୁ ବି ଟ୍ୟାଗ୍‌ କରିଥିଲେ।

ତା’ପରେ ପୋଷ୍ଟ୍‌ଟି ଭାଇରାଲ୍‌ ହେବାକୁ ଲାଗିଲା। ଭାଇରାଲ୍‌ ପୋଷ୍ଟ୍‌ଟି ‘ସବ୍‌ୱେ’ର ଧ୍ୟାନ କେନ୍ଦ୍ରିତ କଲା। ଏହାପରେ କମ୍ପାନି ଘୋଷଣା କଲେ ଯେ ଯଦି ଯୁବତୀଙ୍କ ପୋଷ୍ଟ୍‌କୁ ୧୦୦୦ ଲାଇକ୍ସ ମିଳେ ତ କମ୍ପାନି ତାଙ୍କୁ ଆଗାମୀ ଟ୍ରିଟ୍‌ (ଖାଇବା) ମାଗଣାରେ ଦେବ।

ମାତ୍ର ୩ ଦିନ ମଧ୍ୟରେ ଯୁବତୀଙ୍କ ପୋଷ୍ଟ୍‌କୁ ୬୩୦୦ ଲାଇକ୍ସ ମିଳିଗଲା। କମ୍ପାନି ଦେଇଥିବା କଥା ରଖି ପ୍ରେମୀଯୁଗଳଙ୍କ ପାଇଁ ଅଲଗା ଏକ ‌‘ଡେଟ୍‌’ର ଆୟୋଜନ କରିଛି। ‘ସବ୍‌ୱେ ଇଣ୍ଡିଆ’ ଯୁବତୀଙ୍କର ଏକ ସୁନ୍ଦର ଫଟୋ ବି ସେୟାର୍‌ କରିଛି। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।