ପୁଣି ଚର୍ଚ୍ଚାକୁ ଫେରିଲା ଗମାଙ୍ଗଙ୍କ ଜ୍ୟୋତିଷ ଦେଖା ପ୍ରସଙ୍ଗ: ମହାବାତ୍ୟା ପୂର୍ବଦିନ ଜ୍ୟୋତିଷ ପରାମର୍ଶ ଲୋଡିଥିଲେ

ଭୁବନେଶ୍ବର: ମହାବାତ୍ୟାର ୨୦ ବର୍ଷ ପୂର୍ତ୍ତିରେ ପୁଣିଥରେ ଚର୍ଚ୍ଚାକୁ ଫେରିଛିି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଜ୍ୟୋତିଷ ଦେଖା ପ୍ରସଙ୍ଗ । ବାତ୍ୟା ମୁକାବିଲା ପାଇଁ ୩ଜଣ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ ଗମାଙ୍ଗ । ଆଉ ଜ୍ୟୋତିଷଙ୍କ ଅଭୟବାଣୀ ପାଇବା ପରେ ନିଶ୍ଚିନ୍ତରେ ଶୋଇପଡିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ସକାଳୁ ଦେଖିବା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । କ’ଣ ଥିଲା ପୂରା କାହାଣୀ, ସେନେଇ ରୁବେନ ବାନାର୍ଜୀଙ୍କ ପୁସ୍ତକରେ ଏହି ପୂରା ଘଟଣା ସ୍ଥାନ ପାଇଛି ।

ଘଟଣା ଅନୁସାରେ, ସେଦିନ ଥିଲା ଅକ୍ଟୋବର ୨୮, ୧୯୯୯ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରେ ଥା’ନ୍ତି ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଗିରିଧିର ଗମାଙ୍ଗ । ତାଙ୍କ ସହ ଘର ଭିତରେ ଥାନ୍ତି ପୁରୀରୁ ଆସିଥିବା ୩ ଜଣ ଜ୍ୟୋତିଷ । ଆଲୋଚନାର ବିଷୟ ଥାଏ, ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ହେବ? ବେଶ୍‌ କିଛି ସମୟର କଥାବାର୍ତା ଏବଂ ଗଣନା ପରେ ୩ ଜଣ ଜ୍ୟୋତିଷଙ୍କ ମଧ୍ୟରୁ ଜଣେ ଜ୍ୟୋତିଷ ମୁଖ୍ୟମନ୍ତ୍ରୀଙ୍କୁ କହିଲେ, ବାତ୍ୟା ବହୁ ଉଚ୍ଚରେ ଓଡ଼ିଶା ସୀମା ଅତିକ୍ରମ କରିଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ଗମାଙ୍ଗଙ୍କୁ ଖୁସି କରିବା ପାଇଁ ଆଉ ଜଣେ ଜ୍ୟୋତିଷ କହିଲେ, ବାତ୍ୟାର ଗତିପଥ ଦୁଇ ଭାଗରେ ବିଭକ୍ତ ହୋଇ ଅତିକ୍ରମ କରିବ । ଗୋଟିଏ ଦିଗ ଆନ୍ଧ୍ର ଆଡକୁ ମୁହାଁଇବ ଏବଂ ଆଉ ଗୋଟିଏ ଦିଗ ପଶ୍ଚିମବଙ୍ଗ ଦେଇଯିବ । ତୃତୀୟ ଜ୍ୟୋତିଷ ଜଣକ କହିଲେ, ଆପଣ କୌଣସି ଏକ ଧାତୁ ଧାରଣ କରନ୍ତୁ । ବାତ୍ୟା ଆସିଲେ ବି ଆପଣଙ୍କ ଛାତିରେ ମାଡ଼ ହୋଇ ପୁଣି ସମୁଦ୍ରକୁ ଫେରିଯିବ । ହେଲେ ଆଉ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ । ତିନି-ତିନି ଜଣ ଜ୍ୟୋତିଙ୍କଠାରୁ ଅଭୟବାଣୀ ପାଇବା ପରେ ଅଚିନ୍ତାରେ ଶୋଇଯାଇଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଗମାଙ୍ଗ। ହେଲେ, ପରଦିନ ଯେତେବେଳେ ନିଦ ଭାଙ୍ଗିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ଗମାଙ୍ଗଙ୍କ ସାମ୍ନାରେ ଥିଲା ବିଭୀଷିିକାର ଏକ ଅଭାବନୀୟ ଚିତ୍ର।
ଖାଲି ସାରା ରାଜ୍ୟରେ କାହିଁକି, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଥିବା ବଡ଼ବଡ଼ ଗଛ ଭାଙ୍ଗିପଡ଼ିଥିଲା । ବିଦ୍ୟୁତ ଓ ଟେଲିଫୋନ୍ ସଂଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମ କରୁଥିବା କର୍ମଚାରୀମାନେ ଜେନେରେଟରରେ ଡିଜେଲ ପକାଇବାକୁ ଭୁଲି ଯାଇଥିବାରୁ ଶ୍ରୀ ଗମାଙ୍ଗଙ୍କୁ ଅନ୍ଧାରରେ ଦିନ କାଟିବାକୁ ପଡ଼ିଥିଲା । କୁହାଯାଏ, ଦିନ ଯାଏ ଚିହ୍ନ ରୁହେ, ଆଉ ଚିହ୍ନ କଥା ମନେ ରୁହେ । ଆଜି ମହାବାତ୍ୟାକୁ ୨୦ବର୍ଷ ପୂରିଛି, ଆଉ ଏମିତି ବେଳେ ପୁଣିଥରେ ସାମ୍ନାକୁ ଆସିଛି, ୨୦ବର୍ଷ ତଳର ସେହି ବିବାଦୀୟ କାହାଣୀ ।

ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକରେ ୯୯ବାତ୍ୟା ଏବଂ ଗିରିଧର ଗମାଙ୍ଗଙ୍କ ସଂପର୍କରେ ପୂରା ଘଟଣାକ୍ରମ ଲେଖିଛନ୍ତି ରୁବେନ ବାନାର୍ଜୀ। ଶ୍ରୀ ବାନାର୍ଜୀ ଦେଶର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଲେଖକ । ବର୍ତ୍ତମାନ ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ର ମୁଖ୍ୟ ସମ୍ପାଦକ ଭା‌େବ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର