ଅଗସ୍ତ୍ୟ

‘ମତ୍ସ୍ୟ ପୁରାଣ’ ଅନୁଯାୟୀ ଦେବଗଣଙ୍କର ଚିରଶତ୍ରୁ ସମସ୍ତ ରାକ୍ଷସଙ୍କୁ ଜାଳି-ପୋଡ଼ି ଧ୍ବ˚ସ କରିଦେବା ପାଇଁ ଦେବରାଜ ଇନ୍ଦ୍ର, ଅଗ୍ନିଦେବଙ୍କୁ ଆଦେଶ ଦେଲେ। ଅଗ୍ନି ପ୍ରଚଣ୍ତ ରୂପ ଧାରଣ କରି ରାକ୍ଷସକୁଳର ବିନାଶରେ ଲାଗିଲେ। ବହୁ ରାକ୍ଷସଙ୍କର ପ୍ରାଣ ଗଲା। ହେଲେ ତାରକାକ୍ଷ, କମଳାକ୍ଷ, କାଳଦ˚ଷ୍ଟ୍ର, ପରାବସୁ ଓ ବିରୋଚନ ଆଦି ପରାକ୍ରମୀ ରାକ୍ଷସ ସମୁଦ୍ର ଗର୍ଭରେ ଆତ୍ମଗୋପନ କରିବାରେ ସଫଳ ହେଲେ। ଅଗ୍ନି, ସେମାନଙ୍କୁ ସ୍ପର୍ଶ କରିପାରିଲେନାହିଁ। ସମୁଦ୍ର ଭିତରୁ ସେମାନେ ବାହାରି ଦେବଗଣଙ୍କୁ ଆକ୍ରମଣ କରି, ପୁଣି ଲୁଚିଯାଉଥିଲେ। ଇନ୍ଦ୍ର, ସେମାନଙ୍କୁ ସ˚ପୂର୍ଣ୍ଣ ଭାବେ ଧ୍ବ˚ସ କରିବା ପାଇଁ ଅଗ୍ନିଙ୍କୁ ପୁନର୍ବାର ଆଦେଶ ଦେଲେ। କେବଳ ସମୁଦ୍ରକୁ ଶୁଖାଇବା ଦ୍ବାରା ସେମାନଙ୍କ ବିନାଶ ଘଟିଥାଆନ୍ତା। ତେବେ, ସମୁଦ୍ର ଅସଂଖ୍ୟ ପ୍ରାଣୀଙ୍କର ବାସସ୍ଥାନ। ସମୁଦ୍ର ଶୁଖିବାର ଅର୍ଥ ସମସ୍ତଙ୍କର ମୃତ୍ୟୁ। ତେଣୁ, ଅଗ୍ନି ସମୁଦ୍ର ଶୁଖାଇବାକୁ ରାଜିହେଲେନାହିଁ। ଅଗ୍ନି ନିର୍ଦେଶ ପାଳନ ନ କରିବାରୁ ଇନ୍ଦ୍ର ରାଗିଯାଇ, ମାନବଯୋନିରେ ଜାତହୋଇ ସମୁଦ୍ରକୁ ଶୁଖାଇବାକୁ ତାଙ୍କୁ ଅଭିଶାପ ଦେଇଥିଲେ। ଇନ୍ଦ୍ରଙ୍କ ଶାପ ଯୋଗୁଁ ଅଗ୍ନି ମହର୍ଷି ବଶିଷ୍ଠଙ୍କ ଅନୁଜ ଅଗସ୍ତ୍ୟ ରୂପରେ ଜନ୍ମଗ୍ରହଣ କରିଥିଲେ। ରାକ୍ଷସମାନେ ସମୁଦ୍ରରୁ ବାହାରି ତାଙ୍କ ତପସ୍ୟାରେ ନାନା ବିଘ୍ନ ଘଟାଇବାରୁ ସେ କ୍ରୋଧିତ ହୋଇ ସମୁଦ୍ରକୁ ଶୋଷିନେଇଥିଲେ। ସମୁଦ୍ର ବିନା ପୃଥିବୀ ଧ୍ବ˚ସ ହେବାକୁ ଯାଉଥିବା ଦେଖି, ସ୍ବୟଂ ତ୍ରିମୂର୍ତ୍ତି ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ, ସମୁଦ୍ରକୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରି ଅଗସ୍ତ୍ୟ ସମୁଦ୍ରକୁ ମୁକ୍ତ କରିଥିଲେ। ଅଗସ୍ତ୍ୟ ଆକାଶରେ ଏକ ଉଜ୍ଜ୍ବଳ ନକ୍ଷତ୍ର ରୂପେ ରହିବାକୁ ଇଚ୍ଛା କରିବାରୁ ତ୍ରିମୂର୍ତ୍ତି, ତାଙ୍କର ଇଚ୍ଛା ପୂରଣ କରିଥିଲେ। ଅଗସ୍ତ୍ୟ ନକ୍ଷତ୍ର ଆକାଶରେ ଦେଖାଦେଲେ, ବିଧି-ବିଧାନର ସହ ପୂଜା କଲେ ସପ୍ତଲୋକରେ ଆଧିପତ୍ୟ ବିସ୍ତାର ଏକ ଧାର୍ମିକ ବିଶ୍ବାସ। ଏହାକୁ ‘ସପ୍ତଲୋକ ଆଧିପତ୍ୟ ବ୍ରତ’ କୁହାଯାଏ।

ସମ୍ବନ୍ଧିତ ଖବର