ଆଶ୍ରୟସ୍ଥଳୀରୁ ପ୍ରେମ: ଫେବ୍ରୁଆରି ୧୫ ତାରିଖରେ ୬୫ ବର୍ଷୀୟା ସରସ୍ବତୀଙ୍କୁ ବିବାହ କରିବେ ୫୮ ବର୍ଷୀୟ ରାଜନ

ଚେନ୍ନାଇ: ପ୍ରେମ ମାନେନା କୌଣସି ବି ପ୍ରକାରର ବନ୍ଧବାଡ଼। ପ୍ରେମ ଆଗରେ ବୟସ ଓ ଜାତି ସବୁ ତୁଚ୍ଛ, ଏହା ପୁଣି ଥରେ ପ୍ରମାଣିତ ହୋଇଛି। ତାମିଲନାଡୁର ୫୮ ବର୍ଷୀୟ ରାଜନ ଓ ୬୫ ବର୍ଷୀୟା କେରଳୀ ମହିଳା ସରସ୍ବତୀ ଏହା ପ୍ରମାଣ କରି ଦେଖାଇଛନ୍ତି। ଅଲଗା ଜାତି ଓ ରାଜନଙ୍କଠାରୁ ସରସ୍ବତୀ ୭ ବର୍ଷ ବଡ଼ ହୋଇଥିଲେ ହେଁ ସେମାନଙ୍କ ଭିତରର ଭଲପାଇବା ସେମାନଙ୍କୁ ଏକ କରିଦେବ।

ଉଭୟ ରାଜନ ଏବଂ ସରସ୍ୱତୀ କେରଳର ଅଦୁରରେ ଥିବା ମହାତ୍ମା ଜନ ସେବା କେନ୍ଦ୍ରମର ଅନ୍ତେବାସୀ। ସେବା କେନ୍ଦ୍ରମ୍‌ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ସେ ଦୁହେଁ ଫେବ୍ରୁଆରି ୧୫ ତାରିଖରୁ ପରସ୍ପର ସହ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମହାମାରୀ କରୋନା ଭାଇରସ୍‌ ସମୟରେ ୨୦୨୦ ମସିହା ଫେବ୍ରୁଆରି ମାସରେ ପାମ୍ପା ପୁଲିସ୍‌ ରାଜନଙ୍କୁ ଆଣି ଏକ ଗରିବ ଆଶ୍ରୟ ଗୃହରେ ସ୍ଥାନ ଦେଇଥିଲା। ଭଗବାନ ଅୟପ୍ପାଙ୍କ ଭକ୍ତ ରାଜନ ଶାବରିମାଳାରେ ଜଣେ ହୋଟେଲ୍‌ କର୍ମଚାରୀ ଭାବେ ଯାହା ଅର୍ଥ ଅର୍ଜନ କରିଥିଲେ ତାହା ତାଙ୍କ ଭଉଣୀମାନଙ୍କ ବିବାହରେ ଖର୍ଚ୍ଚ ହୋଇଗଲା। ହେଲେ ତାଙ୍କର ଯତ୍ନ ‌ନେବାକୁ କେହି ଜଣେ ନଥିଲେ।

ଗତ ୧ ବର୍ଷ ହେବ ସେ ମହାତ୍ମା ଜନ ସେବା କେନ୍ଦ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କ ଯତ୍ନ ନେଇ ଆସୁଥିଲେ। ସେଠାରେ ତାଙ୍କର ସରସ୍ବତୀଙ୍କ ସହ ଭେଟ ହୋଇଥିଲା। ୨୦୧୮ ମସିହାରେ ସରସ୍ବତୀଙ୍କ ବାପାମାଆଙ୍କ ମୃତ୍ୟୁ ପରେ ତାଙ୍କୁ ଆଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ସେ ମଧ୍ୟ କେନ୍ଦ୍ରରେ ବୃଦ୍ଧ ଓ ଅସୁସ୍ଥମାନଙ୍କର ଯତ୍ନ ନେଉଥିଲେ।

ସରସ୍ବତୀଙ୍କ ରାଜନଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ବ ଥିଲା। ସରସ୍ବତୀ ରାଜନଙ୍କ ସମ୍ମୁଖରେ ପ୍ରେମ ନିବେଦନ କରିଥିଲେ। ରାଜନ ମଧ୍ୟ ତାହାକୁ ସ୍ବୀକାର କରିଛନ୍ତି। ଶେଷରେ ସେ ଦୁହେଁ କାଲି ଛାଡ଼ି ପହରିଦିନ ପରସ୍ପରଙ୍କୁ ବିବାହ କରିବାକୁ ଯାଉଛନ୍ତି।

 

ସମ୍ବନ୍ଧିତ ଖବର