କନକ ବର୍ଦ୍ଧନ ସିଂହଦେଓ

Advertisment

ରାଜ୍ୟର ଅଧିକାଂଶ ଜନସଂଖ୍ୟାର ମୁଖ୍ୟ ଆଧାର ହେଉଛି କୃଷି, ଯେଉଁମାନେ କି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିଜର ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ମିଳିତ ଭାବରେ ମୋଟ ଶ୍ରମଶକ୍ତିର ୪୯% (ପିଏଲ୍‌ଏଫ୍‌ଏସ୍‌, ୨୦୨୩-୨୪) ନିୟୋଜିତ କରନ୍ତି ଏବଂ ରାଜ୍ୟର ଏକମାତ୍ର ବୃହତ୍‌ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ରୂପେ ପରିଗଣିତ। ବିଗତ ଦିନର କୃଷି ଓ ଆଜିର କୃଷି ଭିତରେ ଅନେକ ବାଟ ଆମେ ଆଗେଇ ଆସିଛେ। ଏକ ବର୍ଷ ଧରି ନିରବଛିନ୍ନ ଭାବରେ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣା ଯାଇପାରିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ। ରାଜ୍ୟର କୃଷି କ୍ଷେତ୍ର ସଠିକ୍ କୃଷିନୀତି, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଜଳବାୟୁ ପ୍ରତିରୋଧୀ କୃଷି ପଦ୍ଧତି ଏବଂ ଡିଜିଟାଇଜେସନ୍ ଭଳି ପଦକ୍ଷେପ ଗ୍ରହଣ କରି ଉଲ୍ଲେଖନୀୟ ଅଭିବୃଦ୍ଧି ଓ ରୂପାନ୍ତରଣ ଆଣିପାରିଛି। ଏତଦ୍ ବ୍ୟତୀତ ରାଜ୍ୟର କୃଷି କ୍ଷେତ୍ର ଏକ ପ୍ରଗତିଶୀଳ ପରିବର୍ତ୍ତନ ଦେଇ ଗତି କରୁଛି, ଫଳରେ ଏହା ରେକର୍ଡ ପରିମାଣ ଖାଦ୍ୟଶସ୍ୟ ଉତ୍ପାଦନ, ଆବଶ୍ୟକୀୟ ନିବେଶ ଏବଂ ଅନ୍ତର୍ଭୁକ୍ତୀକରଣ ପଦ୍ଧତିକୁ ଆପଣାଇ ଏକ ନୂତନ ସମ୍ଭାବନା ଦିଗରେ ଅଗ୍ରସର ହେଉଛି। 

ରାଜ୍ୟର ଧାନଚାଷୀମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବା ଏବଂ ଚାଷୀମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷରୁ ଚାଷୀମାନଙ୍କ ନିମନ୍ତେ ‘ସମୃଦ୍ଧ କୃଷକ ଯୋଜନା’ ନାମରେ ଏକ ନୂତନ ଯୋଜନା ପ୍ରଣୟନ କରି ଇନପୁଟ୍ ସହାୟତା ବାବଦକୁ ଚାଷୀମାନଙ୍କୁ ପ୍ରତି କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି୨୩୦୦ ଟଙ୍କା) ସହିତ ଅତିରିକ୍ତ ୮୦୦ ଟଙ୍କା ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଇ ଧାନ କ୍ରୟ କରାଯାଉଛି। ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ କୃଷିକ୍ଷେତ୍ର ଏବଂ ଖାଦ୍ୟ ଥାଳିରେ ପୁଷ୍ଟିଶସ୍ୟକୁ  ପୁନରୁଦ୍ଧାର କରିବାର ଦାୟିତ୍ୱ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏହି ଅଭିଯାନ ବର୍ତ୍ତମାନ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୭୭ଟି ବୃଷ୍ଟିପୁଷ୍ଟ ବ୍ଲକ୍‌ରେ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟ ସରକାର ପ୍ରତି କ୍ୱିଣ୍ଟାଲ ପିଛା ୪୨୯୦ ଟଙ୍କା ସର୍ବାଧିକ ସହାୟକ ମୂଲ୍ୟ ବ୍ୟତୀତ କ୍ୱିଣ୍ଟାଲ ପିଛା ଅତିରିକ୍ତ ୨୧୦ ଟଙ୍କା ବର୍ଦ୍ଧିତ ପ୍ରୋତ୍ସାହନ ସହାୟତା ପ୍ରଦାନ କରି ମାଣ୍ଡିଆ କ୍ରୟ କରୁଛନ୍ତି। ୨୦୨୪-୨୫ ବର୍ଷରେ ୭.୬୪ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି। କୃଷିକୁ ଅଧିକ କାର୍ଯ୍ୟକ୍ଷମ, ଲାଭଦାୟକ ଏବଂ ଯୁବ ପିଢ଼ିଙ୍କୁ କୃଷି ପ୍ରତି ଆକର୍ଷିତ କରିବା ପାଇଁ କୃଷି ଯନ୍ତ୍ରପାତିକୁ ଲୋକପ୍ରିୟ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଗ୍ରହଣ କରିଛନ୍ତି। 

କୃଷି ଉତ୍ପାଦନ ଓ ଖାଦ୍ୟଶସ୍ୟର ଉପଲବ୍ଧତା ବୃଦ୍ଧି, କୃଷି ରପ୍ତାନି ବୃଦ୍ଧି, ଶ୍ରମିକ ଅଭାବକୁ ହ୍ରାସ, ଦୁର୍ଲଭ ପ୍ରାକୃତିକ ସମ୍ପଦ ଏବଂ କୃଷି ସାମଗ୍ରୀର ବିଚାରପୂର୍ଣ୍ଣ ବ୍ୟବହାରକୁ ସହଜ କରିବା ନିମନ୍ତେ କୃଷି ଯାନ୍ତ୍ରିକୀକରଣ ଉପରେ ଧ୍ୟାନ ଦିଆଯାଇଛି। ୨୦୨୪-୨୫ରେ ରାଜ୍ୟର କୃଷି ଶକ୍ତି ବ୍ୟବହାର ୨.୬୦ କିଲୋୱାଟ/ହେକ୍ଟରରେ ପହଞ୍ଚିଛି। ୨୦୩୬ ସୁଦ୍ଧା ଏହା ୩.୫ କିଲୋୱାଟ/ହେକ୍ଟରରେ ପହଞ୍ଚିବା ପାଇଁ ଯୋଜନା ରହିଛି । ରାଜ୍ୟର କୃଷି ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସରକାର ଚାଷୀମାନଙ୍କୁ ରିହାତି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରି ଉନ୍ନତ କୃଷି ଯନ୍ତ୍ରପାତି ଏବଂ ଉପକରଣ କ୍ରୟ କରିବାକୁ ଉତ୍ସାହିତ କରିଆସୁଛନ୍ତି।
ରାଜ୍ୟରେ ସିଏମ କିଷାନ ଯୋଜନାରେ ସହରାଞ୍ଚଳର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରି ସରକାର ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି। ଏହି ଯୋଜନା ସହାୟତା ରାଶି ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ କିଣିବା ସହିତ ଶ୍ରମ ଦେୟ ଏବଂ ଅନ୍ୟାନ୍ୟ ଚାଷ ଜନିତ ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିବ।

ରବି ଋତୁରେ ସୀମିତ ଜଳସେଚନ ସୁବିଧା ଫସଲ ଉତ୍ପାଦନରେ ବାଧକ ସାଜିଥାଏ ଯାହାକି ଆମ ରାଜ୍ୟପାଇଁ ଏକ ସମସ୍ୟା। ଏହି ସମସ୍ୟାର ମୁକାବିଲା କରିବା ଏବଂ କୃଷି ଉତ୍ପାଦକତା ବୃଦ୍ଧି କରିବା ପାଇଁ, ରାଜ୍ୟ ସରକାର ଧାନ ଫସଲ ଅମଳ ପରବର୍ତ୍ତୀ ଜମିର ପରିଚାଳନା ଭଳି ଏକ ନବସୃଜନ ପଦ୍ଧତି ଉପରେ ଗୁରୁତ୍ୱ ଦେଇ ଧାନ ଚାଷପରେ ମାଟିରେ ଥିବା ଅବଶିଷ୍ଟ ଆର୍ଦ୍ରତାକୁ ବ୍ୟବହାର କରି ସ୍ୱଳ୍ପ ଅବଧିର ଡାଲି ଏବଂ ତୈଳବୀଜ ଫସଲ ଚାଷ ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। 
ରାଜ୍ୟରେ ରସାୟନମୁକ୍ତ ଜୈବିକ ଚାଷକୁ ଉତ୍ସାହିତ କରିବା ନିମନ୍ତେ ‘ଓଡ଼ିଶା ବଳଭଦ୍ର ଜୈବିକ ଚାଷ  ମିଶନ’ ପରି ଏକ ପ୍ରମୁଖ କାର୍ଯ୍ୟକ୍ରମ ଜରିଆରେ ମୃତ୍ତିକାର ଜୈବ ଅଙ୍ଗାର ବୃଦ୍ଧି ନିମନ୍ତେ ତାଲିମ  ଦିଆଯିବ। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଏବଂ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ଜୈବିକ କୃଷିକୁ ରୂପାନ୍ତରଣ ନିମନ୍ତେ କାର୍ଯ୍ୟକ୍ରମ ରହିଛି। ସମ୍ପ୍ରତି ଓଡ଼ିଶା ସରକାର ଅମୃତ ଅନ୍ନ ଯୋଜନା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କର କୋଠ ଭୋଗ ଏବଂ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ବ୍ୟାପକ ଜମିରେ ଜୈବିକ ପ୍ରଣାଳୀ ଧାନ ଚାଷ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଜଗନ୍ନାଥ ସଂସ୍କୃତିକୁ ଅଧିକ ଗୌରବାନ୍ୱିତ କରିବ।
କୃଷି ବିପଣନ ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ସୁଦୃଢ କରିବା ନିମନ୍ତେ ରାଜ୍ୟରେ ଶୀତଳଭଣ୍ଡାର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ୫୮ଟି ଉପଖଣ୍ଡ ସ୍ତରରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଘରୋଇ ସହଭାଗିତାରେ ପ୍ରତିଷ୍ଠା କରାଯାଇ ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ସହ କୃଷି ଉତ୍ପାଦର ଉପଯୁକ୍ତ ମୂଲ୍ୟ ଦ୍ୱାରା ବଜାର ସୁବିଧା ଯୋଗାଇ ଦେଇ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରାଯାଇପାରିବା ସହ ଅଭାବୀ ବିକ୍ରି ମଧ୍ୟ ରୋକାଯାଇ ପାରିବ। 

କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା ୧୦୦ଟି ଆଦିବାସୀ ବହୁଳ  ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର (APCs) ସ୍ଥାପନ କରାଯାଇ ଜୀବିକା ସମ୍ପଦ ସୃଷ୍ଟି କରିବା ସହିତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ପାଇଁ ବଜାର ସଂଯୋଗର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯାଇଛି। ୧୬  ଜିଲ୍ଲାର ୧୦୦ଟି ବ୍ଲକରେ ୨,୫୮,୩୫୪  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ନେଇ ୨୧୪୮ ଉତ୍ପାଦକ ଗୋଷ୍ଠୀ ଏବଂ ୬୨ ଉତ୍ପାଦକ କମ୍ପାନୀକୁ ପ୍ରୋତ୍ସାହିତ କରାଯାଇଛି। ଉତ୍ପାଦକ ଗୋଷ୍ଠୀର ଚାଷୀମାନଙ୍କ ଦ୍ୱାରା ୧୧୩୭୭ ଲକ୍ଷ ଟଙ୍କାର ସାମୂହିକ ବିପଣନ କରାଯାଇଛି। ନିକଟ ଅତୀତରେ ମୁଁ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୨୦୨୫ ମସିହା ଜାନୁଆରି ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାସିକରେ ଥିବା ସହ୍ୟାଦ୍ରି ଫାର୍ମ ପରିଦର୍ଶନ କରିଥିଲୁ। ଏହି ଗସ୍ତର ଉଦ୍ଦେଶ୍ୟ ଥିଲା କୃଷି ବ୍ୟବସାୟରେ ସର୍ବୋତ୍ତମ ଅଭ୍ୟାସ ଅନୁସନ୍ଧାନ କରିବା, ନବସୃଜନଶୀଳ ଚାଷୀ ସହାୟତା ବ୍ୟବସ୍ଥାକୁ ବୁଝିବା ଏବଂ ସହ୍ୟାଦ୍ରି ଫାର୍ମ ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମଧ୍ୟରେ ସମ୍ଭାବ୍ୟ ସହଯୋଗ ଚିହ୍ନଟ କରିବା ସହିତ ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ଉଦ୍ୟୋଗ ପ୍ରତିଷ୍ଠା ପ୍ରତି ପ୍ରୋତ୍ସାହିତ କରାଇବା।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ତଥା ଏହାର ଆନୁଷଙ୍ଗିକ କ୍ଷେତ୍ରରେ ବିନିଯୋଗର ଅଭିବୃଦ୍ଧି ନିମନ୍ତେ ଯୁବ ଉଦ୍ୟୋଗୀମାନଙ୍କ ବ୍ୟବସାୟ ଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ସହ ନିଜର ଆର୍ଥିକ ଉନ୍ନତି ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ରାଜ୍ୟ ସରକାରଙ୍କ ଏକ ମୁଖ୍ୟ ଯୋଜନା ଯେଉଁଥିରେ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବାର ବ୍ୟବସ୍ଥା ଅଛି। ରାଜ୍ୟର କୃଷି କ୍ଷେତ୍ରରେ ‘ଆପିକଲ’ ଏକ ପ୍ରେରକ ଶକ୍ତି ରୂପେ କାମ କରି ଚାଲିଛି, ଯେଉଁଥିରେ କୃଷି ଉଦ୍ୟୋଗୀମାଙ୍କୁ ସଶକ୍ତ କରିବା ସହ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି।     

ଜଳବାୟୁ ଅନୁକୂଳ କୃଷି ଉପରେ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିବା ସଂଗେ ସଂଗେ କୃଷି କ୍ଷେତ୍ରକୁ ସଶକ୍ତ ସହ ସୁସ୍ଥାୟୀ କୃଷିକୁ ସୁନିଶ୍ଚିତ କରି ରାଜ୍ୟର କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ରୂପାନ୍ତରଣ ଆଣିବା ପାଇଁ ବଦ୍ଧପରିକର। ରାଜ୍ୟର କୃଷି ପ୍ରଗତି ପଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଭାବଶାଳୀ ନେତୃତ୍ୱ ଓ ଦିଗଦର୍ଶୀ ଯୋଜନା  ପ୍ରଣୟନ ନିଶ୍ଚିତ ଭାବରେ ଓଡ଼ିଶାକୁ ଏକ ବଳିଷ୍ଠ କୃଷି ନେତୃତ୍ୱ ଦେବା ସଙ୍ଗେ ସଙ୍ଗେ ବିକଶିତ ଓଡିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ନିମନ୍ତେ ଏକ ସଫଳ ସୋପାନ ପ୍ରସ୍ତୁତି ସହ ରାଜ୍ୟର କୃଷି ପ୍ରଗତିକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହୋଇ ପାରିଛି।
(ଲେଖକ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ)