ଅହି˚ସା ସିଲ୍‌କ ! ଗୋଟିପୋକଙ୍କୁ ନ ମାରି କୁସୁମ ପ୍ରସ୍ତୁତ କରୁଛନ୍ତି ରେଶମୀ ଶାଢ଼ି

ରେଶମୀ ଶାଢ଼ି ପିନ୍ଧି ମନ୍ଦିର ଯାଉଥିବା ଅଧିକା˚ଶ ଶାକାହାରୀ ହିନ୍ଦୁ ମହିଳା ଏହା ଜାଣି ନ ଥାଇପାରନ୍ତି, ସେମାନଙ୍କ ପିନ୍ଧା-ଲୁଗା କିପରି ହି˚ସ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ! ଖଣ୍ତିଏ ରେଶମୀ ଶାଢ଼ି ତିଆରିକରିବା ପାଇଁ ପ୍ରାୟ ଦଶ ହଜାର ଗୋଟିପୋକଙ୍କୁ ଜୀବନ୍ତ ସିଝାଯାଏ। ଏହାକୁ ଦେଖି ବ୍ୟଥିତ ହୋଇଥିଲେ ଆନ୍ଧ୍ର ପ୍ରଦେଶର କୁସୁମ ରାଜୈୟା ଏବଂ ଅହିଂସ ପଦ୍ଧତିରେ ରେଶମୀ ଶାଢ଼ି ପ୍ରସ୍ତୁତି ପଦ୍ଧତି ବିକଶିତ କରିଥିଲେ। ଗୋଟିପୋକଙ୍କୁ ନ ମାରି ପ୍ରସ୍ତୁତ କରାଯାଉଥିବା ରେଶମୀ ଶାଢ଼ିକୁ କହାଯାଉଛି ‘ଅହି˚ସା ସିଲ୍‌କ’।

ଏ ଭଳି ରେଶମ ସୂତା ତିଆରି ପଦ୍ଧତିର ପ୍ରଚାର-ପ୍ରସାରରେ କୁସୁମ ଲାଗିଛନ୍ତି। ଆନ୍ଧ୍ର ପ୍ରଦେଶ ହସ୍ତତନ୍ତ ସମବାୟ ସମାଜ ମାଧ୍ୟମରେ ଅହି˚ସା ଶାଢ଼ି ବିକ୍ରି ହେଉଛି। ଗୋଟିପୋକର ଶୂକକୀଟ ମଲବେରି ପତ୍ର ଖାଇ ବଢ଼ନ୍ତି। ଚାରି ସପ୍ତାହରେ ସେମାନଙ୍କର ଆକାର ଦଶ ହଜାର ଗୁଣ ବୃଦ୍ଧି ପାଏ। ସେମାନଙ୍କ ମୁଖରୁ ଏକ ପ୍ରକାରର ଅଠାଯୁକ୍ତ ଲାଳ ବାହାରେ, ଯାହାକୁ ରେଶମ କହାଯାଏ। ଏହି ଲାଳରେ ସେମାନେ ଖୋଷା ବନାନ୍ତି। ତାହା ଭିତରେ ଥିବା ବେଳେ ହିଁ ସେଗୁଡ଼ିକୁ ଗରମ ପାଣିରେ ସିଝାଇ ରେଶମ ସୂତା ପ୍ରସ୍ତୁତ କରାଯାଏ।

ତେବେ, କୁସୁମଙ୍କ ପଦ୍ଧତିରେ ଖୋଷାଗୁଡ଼ିକୁ ନ ସିଝାଇ ଆଉ ଗୋଟିଏ ସପ୍ତାହ ଅପେକ୍ଷା କରାଯାଉଛି। ଯାହା ଫଳରେ ଗୋଟିପୋକର ପ୍ରଜାପତି ବା ମଥ୍‌ ଖୋଷା କାଟି ଉଡ଼ିଯିବାକୁ ସୁଯୋଗ ପାଉଛି। ଏହା ଦ୍ବାରା ରେଶମ ଉତ୍ପାଦନ ଯଦିଓ କିଛି ପରିମାଣରେ ହ୍ରାସ ପାଉଛି; କିନ୍ତୁ, ପ୍ରଜାପତିଟିର ଜୀବନ ଯାଉନାହିଁ। ଯଦି ଜୀବହତ୍ୟା ନ କରି ଆମେ ଈପ୍‌ସିତ ପଦାର୍ଥ ହାସଲ କରିପାରୁଛେ, ଅଯଥାରେ ହି˚ସା କାହିଁକି!

ସମ୍ବନ୍ଧିତ ଖବର