ମାନବ କାର୍ଯ୍ୟକଳାପ ଓ ସହରୀ ବିସ୍ତାର ସମ୍ପ୍ରତି ବନ୍ୟଜନ୍ତୁଙ୍କ ବାସସ୍ଥାନ ଉପରେ କବ୍ଜା ବଢ଼ାଇଚାଲିଛି। ଏହା ଜୀବଜନ୍ତୁମାନଙ୍କୁ ମାନବ ଭିତ୍ତିଭୂମି ସହ ବିପଜ୍ଜନକ ଭାବେ ନିକଟତର ହେବାକୁ ବାଧ୍ୟ କରିଛି। ଫଳସ୍ବରୂପ ପଶୁମାନଙ୍କ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ଏହି କ୍ରମରେ ତାମିଲନାଡୁରେ ରେଳ ଧାରଣା ଓ ଧାରଣା ନିକଟରେ ହାତୀମୃତ୍ୟୁକୁ କେନ୍ଦ୍ର କରି ବିବାଦ ଲାଗି ରହିଛି। ଗତ ଦଶନ୍ଧି ଭିତରେ ଏହି ରାଜ୍ୟରେ ଟ୍ରେନ୍ ଦୁର୍ଘଟଣାରେ ଅତି କମ୍ରେ ୩୬ଟି ହାତୀଙ୍କର ମୃତ୍ୟୁ ଘଟିଛି। ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ହାଇକୋର୍ଟ ଏଭଳି ଅଘଟଣ ରୋକିବା ଲାଗି ଜଙ୍ଗଲ ବିଭାଗ ଓ ରେଳବାଇକୁ ମିଳିତ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ତାମିଲନାଡୁ ସରକାର ବର୍ତ୍ତମାନ ଏକ ଅଭିନବ କୌଶଳ ଆପଣେଇଛନ୍ତି। ସଂପୂର୍ଣ୍ଣ ବିଶ୍ବକୁ ବଦଳେଇଦେବାର ପ୍ରତିଶ୍ରୁତି ରଖୁଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଭିତ୍ତି କରି ସରକାର ରେଳପଥ କଡ଼ରେ ହାତୀମାନଙ୍କର ସ୍ଥାନାନ୍ତର ପଥକୁ ସଂଯୋଗ କରୁଥିବା ମାର୍ଗରେ ୧୨ଟି ଟାଵାର ନିର୍ମାଣ କରିଛନ୍ତି, ଯେଉଁଥିରେ ଅତ୍ୟାଧୁନିକ ଏଆଇ ସମ୍ବଳିତ କ୍ୟାମେରା ଖଚିତ ହୋଇଛି। ଏହାଦ୍ବାରା ହାତୀ ଓ ଟ୍ରେନ୍ ମଧ୍ୟରେ ଧକ୍କା ଚିହ୍ନଟ କରିବା ଓ ତାହାକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ଲକ୍ଷ୍ୟ ରଖିଛି।
ପ୍ରତ୍ୟେକ ଟାଵାରରେ ତାପଭିତ୍ତିକ ଓ ଦୃଶ୍ୟମାନ ଆଲୋକ ଇମେଜିଂ କରିପାରୁଥିବା ଏଆଇ କ୍ୟାମେରା ଖଞ୍ଜାଯାଇଛି, ଯାହାକୁ ଦେଶର ସୀମାରେ ଭାରତୀୟ ସେନା ଦ୍ବାରା ମଧ୍ୟ ବ୍ୟବହାର କରାଯାଏ। ରେଳ ଲାଇନ୍ ନିକଟରେ ହାତୀ ଓ ମଣିଷକୁ ଚିହ୍ନିବା ପାଇଁ ଏହି କ୍ୟାମେରାଗୁଡ଼ିକରେ ଆବଶ୍ୟକ ପ୍ରୋଗ୍ରାମିଂ କରାଯାଇଛି। ରେଳ ଲାଇନ୍ର ୧୦୦ ଫୁଟ୍ ଭିତରେ ହାତୀ ଦେଖାଗଲେ, ସଂପୃକ୍ତ ସତର୍କ ସୂଚନା ତୁରନ୍ତ ରେଳ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଯାଉଛି। ଫଳରେ ଟ୍ରେନ୍ ଗତିକୁ ମନ୍ଥର କରାଯାଇ ଉକ୍ତ ବନ୍ୟଜନ୍ତୁକୁ ବିପଦରୁ ଦୂରେଇ ଦିଆଯାଇ ପାରୁଛି। ପ୍ରାୟ ୭.୨ କୋଟି ଟଙ୍କା ବ୍ୟୟରେ ଗତ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିବା ଏପରି ଏକ ଅଭିନବ ପ୍ରକଳ୍ପ ସଫଳ ହୋଇଥିବା ଜଣାଯାଇଛି।
ଏଇ ଅଳ୍ପ ଦିନ ଭିତରେ ଏହି ଏଆଇ-ଭିତ୍ତିକ ତଦାରଖ ବ୍ୟବସ୍ଥା ରେଳ ଧାରଶ ଆଡ଼କୁ ହାତୀ ଆସୁଥିବାର ପ୍ରାୟ ୪୦୦ଟି ଘଟଣାକୁ ଚିହ୍ନଟ କରି ସମ୍ଭାବ୍ୟ ହାତୀ-ଟ୍ରେନ୍ ଦୁର୍ଘଟଣାକୁ ଟାଳିପାରିଛି। ପୂର୍ବରୁ ହାତୀ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ହୋଇପାରି ନଥିବା ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ପରି ପାରମ୍ପରିକ ପ୍ରଣାଳୀ ଅପେକ୍ଷା ଏହି ସକ୍ରିୟ ଆଭିମୁଖ୍ୟ ଉଲ୍ଲେଖନୀୟ ସୁଫଳ ଆଣିପାରିଛି। ଏଥିରେ ଉତ୍ସାହିତ ହୋଇ ସରକାର କୋଏମ୍ବାଟୁର, ଧର୍ମପୁରୀ, ହୋସୂର ଓ ଗୋଦାଲୁର ପରି ହାତୀ-ଟ୍ରେନ୍ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ମଧ୍ୟ ଏଆଇ କ୍ୟାମେରା ଖଞ୍ଜିବାର ଯୋଜନା କରୁଛନ୍ତି।