ବ୍ୟବହାରକାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଯୋଡ଼ାଯିବା ଯୋଗୁଁ ଏହାର ମୂଲ୍ୟ ଦିନକୁ ଦିନ ବଢ଼ିଚାଲିଛି। ବିଶେଷ କରି ଫୋନ୍ଗୁଡ଼ିକୁ ୪ଜିରୁ ୫ଜି କରାଇବା ଓ ନାନା ଫିଚର୍ ବିଶିଷ୍ଟ ଏଆଇ ଚିପ୍ର ଉତ୍ପାଦନ ଖର୍ଚ୍ଚ ଯୋଡ଼ିବା ଯୋଗୁଁ ଆସନ୍ତା ବର୍ଷ ସ୍ମାର୍ଟଫୋନ୍ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି।
ଚଳିତବର୍ଷ ବିଶ୍ବବ୍ୟାପୀ ସ୍ମାର୍ଟଫୋନ୍ର ହାରାହାରି ମୂଲ୍ୟ ୩ ପ୍ରତିଶତ ବଢ଼ି ୩୬୫ ଡଲାର ବା ପ୍ରାୟ ୩୦,୬୦୦ ଟଙ୍କା ରହିଥିବା ବେଳେ ୨୦୨୫ ମସିହାରେ ସେଥିରେ ଆଉ ୫ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଉଛି। ଉପଭୋକ୍ତାମାନେ ଫୋନ୍ରେ ଅଧିକ ଅତ୍ୟାଧୁନିକ ଫିଚର୍ ଓ ଦକ୍ଷତା ସାଙ୍ଗକୁ ଉତ୍ପାଦନଶୀଳ କୃତ୍ରିମ ବୁଦ୍ଧିମତ୍ତା (ଜେନ୍ଏଆଇ) ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ସେଥିଲାଗି ଫୋନ୍ର ସେଣ୍ଟ୍ରାଲ୍ ପ୍ରୋସେସିଂ ୟୁନିଟ୍ (ସିପିୟୁ), ନ୍ୟୁରାଲ୍ ପ୍ରୋସେସିଂ ୟୁନିଟ୍ (ଏନ୍ପିୟୁ) ଓ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (ଜିପିୟୁ) ଆଦିର ଦକ୍ଷତାକୁ ପରିବର୍ଦ୍ଧିତ କରିବା ଦରକାର।
ଏଥିଯୋଗୁଁ ଫୋନ୍ର ନିର୍ମାଣ ଖର୍ଚ୍ଚ ବଢ଼ିବା ସହ ତାହା ସିଧାସଳଖ ଫୋନ୍ର ବଜାର ମୂଲ୍ୟ ଉପରେ ପ୍ରତିଫଳିତ ହେବ। ଜେନ୍ଆଇ ସକ୍ରିୟ କରିବା ଲାଗି କ୍ବାଲ୍କମ୍ ଓ ମିଡିଆଟେକ୍ କମ୍ପାନି ଦ୍ବାରା ପ୍ରସ୍ତୁତ ଏସ୍ଓସିଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହ ବ୍ୟୟସାପେକ୍ଷ ମଧ୍ୟ। ଏଣେ ତାହାକୁ ସକ୍ରିୟ ରଖିବା ପାଇଁ ମେମୋରି ଚିପ୍ର ଦକ୍ଷତାକୁ ମଧ୍ୟ ବଢ଼ାଇବା ଜରୁରି। ସୁତରାଂ ସେ ବାବଦରେ ମଧ୍ୟ ଅଧିକ ଖର୍ଚ୍ଚ ହେବ। ତେଣୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ପାଇଁ ସ୍ମାର୍ଟଫୋନର ମୂଲ୍ୟ ଯଥେଷ୍ଟ ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।