ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତି ମରଣ ପରେ ନିଜର କଣ୍ଠସ୍ବରକୁ ପରିବାର ଲୋକଙ୍କ ଲାଗି ଜୀବନ୍ତ ରଖିବା ଉଦ୍ଦେଶ୍ୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜର୍ମାନୀର ବର୍ଲିନ୍‌ଠାରେ ବସବାସ କରୁଥିବା ସଫ୍‌ଟୱେର୍‌ ଡିଜାଇନର୍‌ ୬୧ ବର୍ଷୀୟ ମାଇକେଲ ବୋମର୍‌ ଦୁଇ ବର୍ଷ ହେଲା ଅନ୍ତ୍ରାଶୟ କର୍କଟରେ ପୀଡ଼ିତ ଅଛନ୍ତି। ବୋମର୍‌ ଆଉ ମାତ୍ର କେଇ ସପ୍ତାହ ପରେ ଧରାପୃଷ୍ଠରୁ ବିଦାୟ ନେବେ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ପରିବାର ଲୋକଙ୍କ ପାଖରେ ସ୍ମୃତି ହୋଇ ରହିବା ଅପେକ୍ଷା ଜୀବନ୍ତ ଅନୁଭବ ପରଷିବା ପାଇଁ ସେ ଏକ ଅଭିନବ ଉପାୟ ଆପଣେଇଛନ୍ତି।

Advertisment

ସେ ତାଙ୍କର କଣ୍ଠସ୍ବର, ବ୍ୟକ୍ତିତ୍ବ, କହିବାଶୈଳୀ, ଜ୍ଞାନ ଓ ସ୍ମୃତି ସବୁକୁ ‘ଏଟର୍ଣ୍ଣସ୍‌.ଲାଇଫ୍’ ନାମକ ଏକ ଏଆଇ ପ୍ରୋଗ୍ରାମ୍‌ ମାଧ୍ୟମରେ ସାଇତି ରଖୁଛନ୍ତି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏହି ପ୍ରୋଗ୍ରାମ୍‌ ସାହାଯ୍ୟରେ ତାଙ୍କ ସହ କଥାବାର୍ତ୍ତା କରି ସେ ଜୀବିତ ରହିଥିଲା ଭଳି ଅନୁଭବ କରିବେ ବୋଲି ବୋମର୍‌ ଆଶା ରଖିଛନ୍ତି। ବୋମର ଏଣେ ମୃତ୍ୟୁ ଅପେକ୍ଷାରେ ଥିଲା ବେଳେ ‘ଏଟର୍ଣ୍ଣସ୍‌.ଲାଇଫ୍ ପ୍ରୋଗ୍ରାମ୍‌’କୁ ତାଙ୍କ ପରିବାର ଲୋକେ ବ୍ୟବହାର କରି ଅତ୍ୟନ୍ତ ପ୍ରୀତ ଥିବା ଜଣାଯାଇଛି।