ଇତି ଊଣେଇଶ (ସ୍ୱାସ୍ଥ୍ୟ) : ଏମ୍‌ସରେ ନୂଆ ବ୍ୟବସ୍ଥା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ଚୁକ୍ତି, ବିବାଦ ସତ୍ତ୍ୱେ କ୍ୟାପିଟାଲ ହସ୍ପିଟାଲରେ ନୂଆ ବିଭାଗ ପାଇଁ ତନାଘନା, ମୋ’ ସରକାର ଓ ଇ-ରେଜିଷ୍ଟ୍ରେସନ୍‌ର ଶୁଭାରମ୍ଭ

ଭୁବନେଶ୍ୱର ଏମ୍‌ସରେ ଚଳିତବର୍ଷ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ୨୪ ଶଯ୍ୟା ମଡ୍ୟୁଲାର ଓଟି ସହିତ ୧୦୦ଶଯ୍ୟା ବିଶିଷ୍ଟ ଆଇସିୟୁ, ଡାଏଲିସିସ୍ ଓ ବାଇପାସ୍ ଅସ୍ତ୍ରୋପଚାର ଆରମ୍ଭ ହୋଇଛି ଏମ୍‌ସରେ। ଏହାସହ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏମ୍‌ସ ଅଧୀନକୁ ଚାଲି ଯାଇଥିଲା। ‌ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏମ୍‌ସ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଦିଆଯିବ। ନୂତନ ବ୍ୟବସ୍ଥା ଆରମ୍ଭ ହେବା ସହ ‘ଫନି’ରେ ଏମ୍‌ସର ୫ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିଲା। ଏହାସହ ଏମ୍‌ସରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଓ ଡାକ୍ତରଖାନାରେ ପାଣି ନିଅଣ୍ଟକୁ ନେଇ କିଛିଦିନ ମଧ୍ୟ ବିବାଦ ଦେଖିବାକୁ ମିଳିଥିଲା।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ଚୁକ୍ତି
ଭୁବନେଶ୍ୱର ଏମ୍‌ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯକାରୀ ହେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଏମ୍‌ସ ଭୁବନେଶ୍ବର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିଭାଗୀୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ଏମ୍‌ସ ଭୁବନେଶ୍ବରର ନିର୍ଦେଶିକା ଡା. ଗୀତାଞ୍ଜଳି ବି. ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତବର୍ଷ ସ୍ୱାଧୀନତା ଦିବସରେ ବିଏସ୍‌କେୱାଇ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୧୯୬ଟି ଘରୋଇ ଡାକ୍ତରଖାନାରେ ଏଥିରେ ତାଲିକାଭୁକ୍ତ ହୋଇଛନ୍ତି। ଏମ୍‌ସ ଭୁବନେଶ୍ବର ଏଥିରେ ଯୋଡ଼ି ହୋଇଛି।

ନୂଆ ବିଭାଗ ପାଇଁ ତନାଘନା
ବିବାଦ ସତ୍ବେ କ୍ୟାପିଟାଲ ହସ୍ପିଟାଲରେ ଏକାଧିକ ନୂତନ ବିଭାଗ ‌ଖୋଲିବା ପାଇଁ ମଧ୍ୟ ବର୍ଷବ୍ୟାପୀ ତନାଘନା ହୋଇଥିଲା। ହସ୍ପିଟାଲରେ ଏକ ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର ପ୍ରତିଷ୍ଠା ଲାଗି ସ୍ବାସ୍ଥ୍ୟ ବିଭାଗର ୩ଜଣିଆ ଟିମ୍‌ ଯାଞ୍ଚ କରିଥିଲେ। ପରୀକ୍ଷାଗାରରେ ପାଥୋଲୋଜିଠାରୁ ଆରମ୍ଭ କରି ଭାଇରୋଲୋଜି ଓ ଅନ୍ୟାନ୍ୟ ପରୀକ୍ଷା କରାଯିବ। ଷ୍ଟେଟ୍‌ ଅଫ ଦି ପରୀକ୍ଷାଗାର ଏକ ରେଫରାଲ ଲ୍ୟାବ୍ ହେବ। ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରୁ ଯେଉଁ ସବୁ ନମୁନା ସଂଗ୍ରହ କରାଯିବ ତାହାକୁ ଏହି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯିବ। ଏହି ପରୀକ୍ଷାଗାରରେ ପାଥୋଲୋଜି, ବାଇଓକେମିଷ୍ଟ୍ରି, ଭାଇରୋଲୋଜି ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କର ବିଭିନ୍ନ ନମୁନା ପରୀକ୍ଷା କରାଯିବ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଶାଖାକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା କର୍କଟରୋଗ ପ୍ରତିଷ୍ଠାନ ସହିତ ଇଞ୍ଜେକସନ୍‌ ସଂରକ୍ଷଣ ପାଇଁ କୋଲ୍‌ଡ ଚେନ୍ ଷ୍ଟୋର ପାଇଁ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଜାଗା ଚିହ୍ନଟ ହୋଇଛି।

ମୋ’ ସରକାର ଓ ଇ-ରେଜିଷ୍ଟ୍ରେସନ୍‌ର ଶୁଭାରମ୍ଭ
ଉନ୍ନତମାନର ସ୍ୱାସ୍ଥ୍ୟସେବା ସହ ଡାକ୍ତରଖାନାରେ ଯେଭଳି ରୋଗୀମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀରେ କ୍ୟାପିଟାଲ ହସ୍ପିଟାଲରୁ ମୋ’ ସରକାର’ ଯୋଜନାର ଶୁଭାରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଏହାର ଶୁଭାରମ୍ଭ କରିଥିଲେ। ଡାକ୍ତରଖାନାରେ ଯେଉଁ ରୋଗୀମାନେ ଚିକିତ୍ସା ହେଉଛନ୍ତି, ସେମାନଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଅନଲାଇନ୍‌ ଜରିଆରେ ରୋଗୀଙ୍କ ପଞ୍ଜୀକରଣ ସାଙ୍ଗକୁ ତଥ୍ୟ ରଖିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଇ-ରେଜିଷ୍ଟ୍ରେସନ୍‌ର ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଇଏନ୍‌ଟି ଓ ଭେଷଜ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ପରବର୍ତୀ ସମୟରେ ଅନ୍ୟ ସମସ୍ତ ବିଭାଗରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରହିଛି। ଯଦି ଏହି ବ୍ୟବସ୍ଥା କ୍ୟାପିଟାଲ ହସ୍ପିଟାଲରେ ସଫଳ ହୁଏ ତେବେ ରାଜ୍ୟର ଅନ୍ୟ ସରକାରୀ ଡାକ୍ତରଖାନାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର