ବିଜ୍ଞାନର ଅଗ୍ରଗତି ଯୋଗୁଁ ଆମେ ଦିନକୁ ଦିନ ଜୀବନକୁ ଯେତିକି ସହଜ କରିପାରୁଛନ୍ତି, ସେତିକି ବିପଦକୁ ମଧ୍ୟ ଆମନ୍ତ୍ରଣ କରୁଛନ୍ତି। ତଦନୁସାରେ ତାହାର ପ୍ରତିକାର ପାଇଁ ମଧ୍ୟ ନୂଆ ନୂଆ ବିକଳ୍ପ ଉପାୟ ବାହାର କରିଚାଲିଛନ୍ତି। ଏହି କ୍ରମରେ ଅଧିକରୁ ଅଧିକ ଦ୍ରୁତଗାମୀ ଗାଡ଼ିମୋଟର ଆବିଷ୍କୃତ ହୋଇପାରିଛି ଏବଂ ତଜ୍ଜନିତ ଦୁର୍ଘଟଣା ମଧ୍ୟ ବଢ଼ିଚାଲିଛି। ଆଗରୁ ଦୁର୍ଘଟଣାରେ ଅନ୍ତତଃ ମସ୍ତିଷ୍କରେ ଅଥବା ଛାତି ଭିତର ପ୍ରତ୍ୟଙ୍ଗଗୁଡ଼ିକରେ କ୍ଷତି ନପହଞ୍ଚାଇବା ପାଇଁ କାର୍‌ଗୁଡ଼ିକରେ ଏୟାରବ୍ୟାଗ୍‌ ପରି ସୁରକ୍ଷା ବ୍ୟବସ୍ଥା ଉପଲବ୍‌ଧ ହେଉଥିଲା। ତେବେ ବାଇକ୍‌ ଚାଳକମାନଙ୍କ ପାଇଁ ଖୁସି ଖବର। ସ୍ବିଡେନ୍‌ର ‘ମୋ’ସାଇକଲ୍‌’ କମ୍ପାନି ସେମାନଙ୍କ ପାଇଁ ବିଶ୍ବର ପ୍ରଥମ ଏୟାରବ୍ୟାଗ୍‌ ଜିନ୍‌ସ ବଜାରକୁ ଛାଡ଼ିବାକୁ ଯାଉଛି।

Advertisment

ଏବେ ହେଲମେଟ୍‌ ପିନ୍ଧିବା ଦ୍ବାରା କେବଳ ମୁଣ୍ଡର ସୁରକ୍ଷା ହୋଇପାରୁଥିବା ବେଳେ କୌଣସି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କର ଶରୀରର ନିମ୍ନଭାଗ ଭୀଷଣ କ୍ଷତିଗ୍ରସ୍ତ ହେଉଛି। ତେବେ ସ୍ବିଡିସ୍‌ କମ୍ପାନି ଦ୍ବାରା ନିର୍ମିତ ଉକ୍ତ ଜିନ୍‌ସ ପ୍ୟାଣ୍ଟ୍‌ ଏହି ଦୁରବସ୍ଥାକୁ ଦୂର କରିପାରିବ ବୋଲି ଦାବି କରିଛି। ‘ଆର୍ମାଲିଥ୍‌’ ନାମକ ଏକ ନୂତନ ଧରଣର ବସ୍ତ୍ରରେ ନିର୍ମିତ ଏହି ପ୍ୟାଣ୍ଟ, ପରିଧାନକାରୀଙ୍କୁ ଅବିକଳ ଡେନିମ୍‌ ପୋଷାକ ଭଳି ଲାଗିବ। ତେବେ ଦୁର୍ଘଟଣା ବେଳେ ଏଥିରେ ଖଞ୍ଜାଯାଇଥିବା ଏୟାରବ୍ୟାଗ୍‌ ଖୋଲିଯାଇ ତାହା ବେଲୁନ୍‌ ପରି ଫୁଲିଉଠିବ ଏବଂ ତାହାର ଜଳ-ପ୍ରତିରୋଧୀ ଓ ଘର୍ଷଣ-ପ୍ରତିରୋଧୀ ଗୁଣ ଚାଳକଙ୍କ ନିମ୍ନ ଅବୟବକୁ ସୁରକ୍ଷିତ ରଖିବ। ଚଳିତ ମାସରେ ଏହା ବଜାରକୁ ଆସିବାକୁ ଥିଲା ବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୪୯୯ ଡଲାର ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।