ଦେଶର ୧୨୨ ସହରରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ, ତାଲିକାରେ ଓଡ଼ିଶାର ୭ ସହର

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି । ବିଶ୍ୱର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ବାୟୁ ପ୍ରଦୂଷଣ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ବର୍ଷଗୁଡ଼ିକରେ ଭାରତରେ ସର୍ବାଧିକ ବାୟୁ ପ୍ରଦୂଷଣ ହୋଇଛି । ଆଉ ଦେଶର ୧୨୨ଟି ମହାନଗର ମଧ୍ୟରୁ ୧୧୭ଟି ମହାନଗରରେ ବାୟୁ ପ୍ରଦୂଷଣ ହାର ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମାନକ ଅତିକ୍ରମ କରିସାରିଛି।

ସୂଚନାଯୋଗ୍ୟ, ଏହି ୧୨୨ ସହର ମଧ୍ୟରୁ ୧୦୨ଟି ସହର ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ,  ବାୟୁରେ ସ୍ୱଚ୍ଛତା ବୃଦ୍ଧି ଲାଗି  ସେମାନଙ୍କ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ବିଡ଼ମ୍ବନ‌ାର ବିଷୟ ହେଲା, ମାତ୍ର ୪୭ଟି ଏପରି ସହର ରହିଛି ଯାହା ବାୟୁ ଗୁଣବତ୍ତା ଉପରେ ପ୍ରକୃତ ସମୟରେ (ରିଅଲ୍ ଟାଇମ୍) ମନିଟରିଂ କରୁଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ଏପରି ୧୨୨ଟି ସହରକୁ ଚିହ୍ନଟ କରାଯାଇଛି, ଯେଉଁଠିି ବାୟୁ ପ୍ରଦୂଷଣ  ଜାତୀୟ ବାୟୁ ଗୁଣବତ୍ତା ମାନକଠାରୁ ବହୁତ ଅଧିକ ଅଟେ । ଏହି ସହରଗୁଡ଼ିକୁ  ୨୦୧୦ ଓ ୨୦୧୫ ମଧ୍ୟରେ ବାୟୁ ଗୁଣବତ୍ତା ସମ୍ବନ୍ଧୀୟ ଆକଳନ ଓ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ୨୦୧୪ ଓ ୨୦୧୮ ରିପୋର୍ଟ ଆଧାରରେ ଚିହ୍ନଟ କରାଯାଇଥିଲା, ଯେଉଁଠାରେ ବାୟୁ ପ୍ରଦୂଷଣରସ୍ତର ମଣିଷର ଶ୍ବାସପ୍ରଶ୍ବାସ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ଏହି କ୍ରମରେ ଓଡ଼ିଶାରେ ଚିହ୍ନଟ  ହୋଇଥିବା ସହରଗୁଡ଼ିକ ମଧ୍ୟରେ ଅନୁଗୁଳ, ବାଲେଶ୍ବର, ଭୁବନେଶ୍ବର, କଟକ, କଳିଙ୍ଗନଗର, ରାଉରକେଲା ଓ ତାଳଚେର ରହିଛି। ସାଧାରଣ ଭାବେ ବାୟୁରେ ୬୦ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ ପ୍ରଦୂଷକ କଣିକା ରହିଲେ କ୍ଷତିକାରକ ନୁହେଁ। ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁସାରେ ଅନୁଗୁଳରେ ଏହି ପରିମାଣ ୧୦୧ ମାଇକ୍ରୋଗ୍ରାମ, ବାଲେଶ୍ବରରେ ୮୬, ଭୁବନେଶ୍ବରରେ ୯୯, କଟକରେ ୧୧୪, ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ୧୧୮, ରାଉରକେଲାରେ ୧୦୮ ଓ ତାଳଚେରରେ ୧୧୦।

ଯେଉଁସବୁ ସହରରେ ବାୟୁର ଗୁଣବତ୍ତା ଉପରେ ପ୍ରକୃତ ସମୟ (ରିଅଲ୍ ଟାଇମ୍) ମନିଟରିଂ ହେଉନାହିଁ, ସେହି ସହରଗୁଡ଼ିକରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ନିମ୍ନଲିଖିତ ଉପାୟମାନ ଆପଣାଇ ପାରିବ:

୧. ବାୟୁ ଗୁଣବତ୍ତା ଉପରେ ନଜର ରଖିବା ପାଇଁ ଉପଗ୍ରହ ଆଧାରିତ ସେନସର ବ୍ୟବହାର କରିପା‌ରିବେ।

୨. ବାୟୁ ଗୁଣବତ୍ତା ଉପରେ ନଜର ରଖିବା ପାଇଁ ଉତ୍ତମ ଓ ଶସ୍ତା ଉପକରଣର ଉପାଯାଗ ଜରୁରୀ, ଯାହାକି ସରକାରୀ ମାନଦଣ୍ଡ ପୂରଣ କରୁଥିବ।

୩. ସର୍ବାଧିକ ପ୍ରଦୂଷଣ ଅଞ୍ଚଳ ଚିହ୍ନଟ କରିବା ଲାଗି ଅଧ୍ୟୟନ କରାଯାଇପାରିବ  ଓ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଗ୍ରହଣ କରି ଏହାର ମନିଟରିଂ କରାଯାଇପାରିବ।

( ତଥ୍ୟ : ଡାଉନ୍ ଟୁ ଆର୍ଥ )

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର