ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। କାରଣ ଏହାର କୁପ୍ରଭାବ ଅତ୍ୟନ୍ତ ଚିନ୍ତାଜନକ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ‘ସେଭ୍ ଦି ଚାଇଲ୍ଡ ଇଣ୍ଟରନ୍ୟାସନାଲ’ ଦ୍ୱାରା ପ୍ରକାଶିତ ରିପୋର୍ଟ "ସିଟିଜ ଫର୍ ଚିଲଡ୍ରେନ"ରେ ଶିଶୁ ଏବଂ ଯୁବକମାନଙ୍କ ଉପରେ ବାୟୁ ପ୍ରଦୂଷଣର କିପରି ପ୍ରଭାବ ପଡ଼ୁଛି ସେ ବିଷୟରେ ସୂଚନା ଦିଆଯାଇଛି । ଏହା ସହିତ ଏହି ସମସ୍ୟାର ସମାଧାନ ପାଇଁ କରାଯାଉଥିବା କାର୍ଯ୍ୟକୁ ମଧ୍ୟ ଉଲ୍ଲେଖ କରାଯାଇଛି।

Advertisment

ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି।  ମୁଣ୍ଡପିଛା ସ୍ୱଳ୍ପ ଏବଂ ମଧ୍ୟମ ଆୟ ଥିବା ଦେଶର ପିଲାମାନେ ଏହା ଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ଜଣାପଡ଼ିଛି । ପ୍ରତ୍ୟେକ ଦିନ ବିଶ୍ବରେ ୧୯ ବର୍ଷରୁ କମ୍ ବୟସର ୯୩ ପ୍ରତିଶତ ପିଲା ଅତ୍ୟଧିକ ପ୍ରଦୂଷିତ ବାୟୁକୁ ନିଶ୍ୱାସରେ ନେଇଥାଆନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଏବଂ  ଶାରିରୀକ ବିକାଶକୁ ବିପଦରେ ପକାଇଥାଏ । ୨୦୧୯ରେ ବାୟୁ ପ୍ରଦୂଷଣ ହେତୁ ଜନ୍ମର ଏକ ମାସ ମଧ୍ୟରେ ପ୍ରାୟ ୫ ଲକ୍ଷ ଶିଶୁଙ୍କ ମୃତ୍ୟୁ ହୋଇଥିବା ଏହି ଅଧ୍ୟୟନରୁ ସାମ୍ନାକୁ ଆସିଛି।

Air pollution factor in girl's death: UK court ruling can set precedent for India Down To Earth

 ବାୟୁ ପ୍ରଦୂଷଣ ଶିଶୁମାନଙ୍କୁ ଏଭଳି ପ୍ରଭାବିତ କରିଥାଏ 

ପ୍ରତିବର୍ଷ ପାଖାପାଖି ୨,୩୭,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ପରିବେଶ ପ୍ରଦୂଷଣ ଓ ନିଶ୍ବାସ-ପ୍ରଶ୍ବାସ ଜନିତ ସଂକ୍ରମଣ ହେତୁ ହୋଇଥାଏ।  ବାୟୁ ପ୍ରଦୂଷଣ ହେତୁ ଶାରିରୀକ ବିକାଶ ପ୍ରକ୍ରିୟା ଜାରିଥିବା ଶିଶୁମାନେ ଅଧିକ ଭାବେ ସଂକ୍ରମଣ ପ୍ରତି ସମ୍ବେଦନଶୀଳ ହୋଇଥାଆନ୍ତି। ନିଶ୍ବାସ-ପ୍ରଶ୍ବାସରେ ପ୍ରଦୂଷିତ ବାୟୁ ନେବା ଫଳରେ ସେମାନେ ବିଭିନ୍ନ ସଂକ୍ରମଣର ଶିକାର ହୁଅନ୍ତି। କାରଣ ଶିଶୁମାନେ ବୟସ୍କଙ୍କ ତୁଳନାରେ ଅଧିକ ପରିମାଣର ବାୟୁ ନିଶ୍ୱାସରେ ନିଅନ୍ତି, ତେଣୁ ଅଧିକ ପ୍ରଦୂଷଣ ସେମାନଙ୍କ ଶରୀର ଭିତରକୁ ଯାଇଥାଏ।

ଶିଶୁମାନେ ମାତୃଗର୍ଭରେ ଥିବା ସମୟରୁ ଅସୁରକ୍ଷିତ ଅଟନ୍ତି । ମା’ ଏବଂ ଗର୍ଭସ୍ଥ ଶିଶୁ ଅନୁଭବ କରୁଥିବା ଚାପ ଶିଶୁର ଭବିଷ୍ୟତ ପାଇଁ ବିପଦ ହୋଇଥାଏ । ଗର୍ଭାବସ୍ଥାରେ ବାୟୁ ପ୍ରଦୂଷଣ ଗର୍ଭବତୀ ଓ ଭ୍ରୂଣର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ, ଯଦିଓ ଏହି ପ୍ରଭାବର ପରିମାଣ ଏ ପର୍ଯ୍ୟନ୍ତ ଜଣା ସ୍ପଷ୍ଟ ପଡିନାହିଁ। ତେବେ ପ୍ରଦୂଷିତ ବାୟୁ ଯୋଗୁଁ ଜନ୍ମ ନେବାପରେ ଶିଶୁର ଫୁସଫୁସରେ ସମସ୍ୟା ହୋଇଥାଏ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି।

ବାୟୋମାସ୍ ଇନ୍ଧନ ଜଳାଇବା ଦ୍ବାରା ହେଉଥିବା ଘରୋଇ ବାୟୁ ପ୍ରଦୂଷଣ ଯୋଗୁ ନିମୋନିଆ ସମେତ ତୀବ୍ର ଶ୍ବାସକ୍ରିୟା ସହିତ ଜଡିତ ରୋଗ ହୋଇଥାଏ ବୋଲି ଅଧ୍ୟୟନରୁ ସୂଚନା ମିଳିଛି । ଆଫ୍ରିକା ଏବଂ ଏସିଆରେ ଏହାର ସର୍ବାଧିକ ଉଦାହରଣ ଦେଖିବାକୁ ମିଳିଛି।

 ପ୍ଲାଷ୍ଟିକ ଆବର୍ଜନା ସହିତ ଅନ୍ୟ ଅଳିଆକୁ ଖୋଲାରେ ଜଳାଇବା ଦ୍ବାରା ବୃଦ୍ଧି ପାଇଥାଏ ପ୍ରଦୂଷଣ

ଏହି ଅଧ୍ୟୟନ ପ୍ରସ୍ତୁତ କରିଥିବା ଗବେଷକମାନଙ୍କ ମଧ୍ୟରେ ଥିବା  ଡକ୍ଟର କ୍ରେସିଡା ବାୟର କହିଛନ୍ତି, କମ୍ ବିକଶିତ ଦେଶର ସହରଗୁଡ଼ିକରେ ବାୟୁ ପ୍ରଦୂଷଣର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ପରିଗଣିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସହିତ ଅନ୍ୟସବୁ ଅଳିଆକୁ ଖୋଲାରେ ଜଳା ଯାଇଥାଏ। ଏଥିସହିତ ପ୍ଲାଷ୍ଟିକ ବର୍ଜ୍ୟକୁ ସାଧାରଣତଃ ଖାଦ୍ୟ ପ୍ରସ୍ତୁତ କରିବା, ଗରମ କରିବା ଓ ଘର ଭିତର ଆଲୋକିତ କରିବା ପାଇଁ ବ୍ୟବହାର କରାଯାଏ। ଫଳସ୍ୱରୂପ, ପିଲାମାନଙ୍କୁ ଘର ବାହାରେ ଏବଂ ଘର ଭିତରେ ବାୟୁ ପ୍ରଦୂଷଣର କୁଫଳ ଭୋଗିବାର  ଆଶଙ୍କା ଦେଖାଦିଏ।

Portable pollution sensors feasible for measuring personal exposure Healio

ବାୟୁ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ପଦକ୍ଷେପ

ଏହି ରିପୋର୍ଟରେ ବାୟୁ ପ୍ରଦୂଷଣର ଶିକାର ଲୋକଙ୍କର ସାମାଜିକ ତଥା ସାଂସ୍କୃତିକସ୍ଥିତିକୁ  ବୁଝିବା ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବ୍ୟବହାରିକ ସମାଧାନ ଲାଗି ସେମାନଙ୍କ ସହ କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଫ୍ରିକାରେ ସାହାରା ‌ରେଡିଓ ନେଟୱାର୍କ ଏବଂ ଟୁପୁମୟୁ ଗବେଷଣା ପ୍ରକଳ୍ପ ସହିତ ମିଶି  ଡକ୍ଟର ବାୟର ଜନସଚେତନତା ସୃଷ୍ଟି କରୁଛନ୍ତି।  ବାୟୁ ପ୍ରଦୂଷଣ ଯୋଗୁ ଫୁସଫୁସ ସହ ଜଡ଼ିତ ରୋଗ ହେଉଛି ବୋଲି ଲୋକଙ୍କୁ ବୁଝାଉଛନ୍ତି।

ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ଏକ ଟିମ୍ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକିବା ପାଇଁ କଳା ଆଧାରିତ ବିଭିନ୍ନ ଉପାୟର ଉପଯୋଗ କରୁଛନ୍ତି। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଉପଯୁକ୍ତ ବ୍ୟବହାର ଲାଗି କେନିଆ ଏବଂ ବାଂଲାଦେଶର ଜନସମୁଦାୟ ଏବଂ ପରିବେଶ ସଂଗଠନଗୁଡ଼ିକ ସହିତ କାମ କରୁଛନ୍ତି।  ଚିତ୍ର, ସଙ୍ଗୀତ, ନୃତ୍ୟ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଏଭଳି କାର୍ଯ୍ୟକ୍ରମକୁ କଳାକାର ଏବଂ ସଂଗୀତଜ୍ଞଙ୍କ ସହଯୋଗରେ କରାଯାଉଛି । ଏହାଦ୍ବାରା ପ୍ଲାଷ୍ଟିକ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଶିକ୍ଷା ଦିଆଯାଇ ପାରୁଛି।

ଡକ୍ଟର ବାୟର କହନ୍ତି, ‘‘ଶିଶୁ ଏବଂ ଯୁବକମାନଙ୍କ ସହିତ କାମ କରିବା ସମୟରେ ସୃଜନଶୀଳ ପଦ୍ଧତି ବିଶେଷ ଭାବେ ଉପଯୋଗୀ ହେଉଛି । ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ କରିବା, ପ୍ରଭାବିତ ବ୍ୟକ୍ତି ଏବଂ ସମ୍ପ୍ରଦାୟ ସହିତ କାମ କରିବା ଓ ଲୋକଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ଭଳି ସମସ୍ୟାକୁ ଚିହ୍ନିବା, ବୁଝିବା, ଏହାର ସମାଧାନରେ ସାହାଯ୍ୟ କରିବାର କ୍ଷମତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ ।’’

"ସିଟିଜ ଫର୍ ଚିଲଡ୍ରେନ" ରିପୋର୍ଟରେ ଦର୍ଶାଯାଇଛି ଯେ ବାୟୁ ପ୍ରଦୂଷଣ ଜନିତ ବିପଦକୁ ହ୍ରାସ କରିବା ପାଇଁ ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପଦକ୍ଷେପ ନେବା ଆବଶ୍ୟକ। ଏଥିଲାଗି ହାତକୁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ସହିତ ସମସ୍ୟାର ସ୍ଥାୟୀ ସମାଧାନ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)