ଅଜିତ ଯେବେ ଏନ୍ଏସ୍ଡିରେ ପଢ଼ୁଥିଲେ, ମାୟା ଦାସ ଦିଲ୍ଲୀ ଡ୍ୟାନ୍ସ କୋରିଓଗ୍ରାଫ ଇନଷ୍ଟିଚ୍ୟୁଟ୍ରୁ ନୃତ୍ୟ ଶିଖୁଥିଲେ। ଏହି ସମୟରେ ଦେଖାସାକ୍ଷାତରୁ ଦୁହେଁ ଭଲ ବନ୍ଧୁ ପାଲଟି ଯାଇଥିଲେ। ୧୯୭୬ରେ ମାୟାଙ୍କୁ ବିବାହ କଲେ। ଅଜିତ ଥରେ କହିଥିଲେ, ମାୟା ହେଉଛନ୍ତି ତାଙ୍କର ସବୁଠୁ ବଡ଼ ସମର୍ଥକ। ଅଜିତ ନିଜ ନାଟ୍ୟାନୁଷ୍ଠାନରେ ନାଟକ ପ୍ରଡକ୍ସନ୍ କାମ ଦେଖୁଥିବା ବେଳେ ଅନ୍ୟ ସବୁ କାମ ମାୟା ତଦାରଖ କରନ୍ତି।
ଛାତ୍ର ହର ପଟ୍ଟନାୟକଙ୍କ ଫିଲ୍ମରେ ଅଭିନୟ
ଅଭିନେତା ଓ ନିର୍ଦେଶକ ହର ପଟ୍ଟନାୟକଙ୍କୁ ଅଜିତ ଦାସ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟ୍ୟ ପାଠ ପଢ଼ାଇଥିଲେ। ତେବେ ଏକ ସମୟରେ ହର ପଟ୍ଟନାୟକ ଅଜିତଙ୍କୁ ନିଜ ନିର୍ଦେଶନାରେ କାମ କରିବାକୁ ଅନୁରୋଧ କଲେ। ଯେବେ ସେ ଅଭିନୟ କରୁଥିଲେ, ହରଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ। ସେ ସାକ୍ଷାତକାରରେ କହିଥିଲେ, ମୁଁ ହୁଏତ ହରର ଶିକ୍ଷକ ହୋଇପାରେ କିନ୍ତୁ ଯେବେ ସେ ମତେ ଫିଲ୍ମରେ ନିର୍ଦେଶନା ଦେଉଥିଲେ ସେତେବେଳେ ସେ ମୋ’ର ଗୁରୁ ଥିଲେ।
ଟିକେଟ୍ କାଟି ନାଟକ ଦେଖିବା ଅଭ୍ୟାସ କରାଉଥିଲେ
ଗତ ୧୫ ବର୍ଷ ହେଲା ସେ ଚଳଚ୍ଚିତ୍ର ଅପେକ୍ଷା ନାଟକରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଥିଲେ। ନାଟ୍ୟାନୁଷ୍ଠାନ ଅଜିତ୍ ଜରିଆରେ ସେ କେବଳ ନାଟକ ଭେଟି ଦେଉନଥିଲେ, ବରଂ ଲୋକେ କିଭଳି ପୂର୍ବ ଭଳି ଟିକେଟ୍ କାଟି ନାଟକ ଦେଖିବାକୁ ଆସିବେ ସେନେଇ ତାଙ୍କର ପ୍ରୟାସ ଜାରି ରହିଥିଲା।