‘ବରବାଦ ଖାତା’ରେ ବାପା ଲେଖି ଦେଇଥିଲେ ଅଜିତଙ୍କ ନାଁ

ଅଜିତଙ୍କ ବାପା ଶୈଳେଶ ଚନ୍ଦ୍ର ଦାସ ଓକିଲ ସହ ଜଣେ କଳାକାର ଥିଲେ। କଳାକାର ହୋଇଥିବାରୁ ସେ କଳାକାର ଦୁଃଖ ବାବଦରେ ଅବଗତ ଥିଲେ। ତେଣୁ ଅଜିତ ଅଭିନୟ ଦୁନିଆରେ ରୁହନ୍ତୁ ବୋଲି ବାପା ଚାହୁନଥିଲେ। ଅଜିତଙ୍କର ସମ୍ପର୍କୀୟ ଭାଇ ପୁଲିସ୍‌ ଡିଆଇଜି ଥିବା ବେଳେ ତାଙ୍କୁ ସେତେବେଳେ ସେ ହଜି ଯାଉଥିବା ଜିନିଷର ରେକର୍ଡ ରଖିବା ପାଇଁ ଏକ ଖାତା କରିବାକୁ କହିଥିଲେ। ସେ ଖାତାର ନାଁ ଥିଲା ‘ବରବାଦ ଖାତା’। ଅଜିତ ଯଦିଓ ଏନ୍ଏସ୍‌ଡିରେ ପ୍ରଶିକ୍ଷଣ ପାଇଁ ସୁଯୋଗ ପାଇଥିଲେ କିନ୍ତୁ ତାଙ୍କ ନାଁ ବାପାଙ୍କ ‘ବରବାଦ ଖାତା’ରେ ଚଢ଼ି ଯାଇଥିଲା।

ଅଜିତଙ୍କ ରୋଜଗାର ଦେଖି, ବାପା କହିଲେ ମୋ କଳ୍ପନା ଭୁଲ୍‌ ଥିଲା
ଅଜିତଙ୍କ ସମ୍ପର୍କୀୟ ଭାଇ ପୁଲିସ୍‌ ଡିଆଇଜି ଥିଲେ। ତେଣୁ ସେତେବେଳେ ଓଡ଼ିଶା ପୁଲିସ୍‌ରେ ଯୋଗଦାନ ପାଇଁ ସେ ଅଜିତଙ୍କୁ କହିଥିଲେ। ଏହା ଅଜିତଙ୍କ ବାପାଙ୍କୁ ଭଲ ଲାଗିଲା ନାହିଁ। ତେବେ ସତୁରି ଦଶକରେ ଅଜିତ ମାଡ୍ରାସରେ ଏକ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କୁ ପାରିଶ୍ରମିକ ବାବଦରେ ମିଳିଥିଲା ୫ହଜାର ଟଙ୍କା। ସେତେବେଳେ ୫ହଜାର ଟଙ୍କାର ମୂଲ୍ୟ ବହୁତ ଅଧିକ। ଯେବେ ଅଜିତ ଟଙ୍କା ନେଇ ବାପାଙ୍କ ହାତରେ ଧରେଇଲେ, ତାଙ୍କ ବାପା କାନ୍ଦି ପକାଇଥିଲେ। ‘ବରବାଦ ଖାତା’ରୁ ତାଙ୍କ ନାଁ କାଟି ଦେବାକୁ ଅଜିତ ତାଙ୍କ ବାପାଙ୍କୁ ଅନୁରୋଧ କରିଥିଲେ। ଏକଥା ଶୁଣି ତାଙ୍କ ବାପା ଜୋର୍‌‌‌ରେ ହସିଲେ। ପରେ ଅଜିତ ଦେଖିଲେ ତାଲିକାରେ ଲେଖାଯାଇଥିଲା, ମୋ କଳ୍ପନା ଭୁଲ୍‌ ଥିଲା।

ସବୁ ଛାତ୍ର ଥିଲେ ତାଙ୍କ ପୁଅ
୨୦୦୦ ମସିହାରେ ଅଜିତ୍‌ ଦାସଙ୍କ ଜନ୍ମଦିବସ ପାଳନ ବେଳେ ତାଙ୍କ ଛାତ୍ରଛାତ୍ରୀ ଏହାକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅଜିତ କହିଥିଲେ ପ୍ରତି ଜନ୍ମଦିନରେ ମୋ ନିର୍ଦେଶନାରେ ଏକ ନାଟକ ଭେଟିଦେବି। ଏହା ହିଁ ହୋଇଥିଲା। ଦୀର୍ଘବର୍ଷ ଧରି ନିଜ ଜନ୍ମଦିନରେ ସେ ନାଟକ ଭେଟି ଦେଉଥିଲେ। ଅଜିତଙ୍କ ନାଟ୍ୟାନୁଷ୍ଠାନର ନାଁ ମଧ୍ୟ ତାଙ୍କ ଛାତ୍ରଛାତ୍ରୀମାନେ ଉପହାର ଦେଇଥି‌ଲେ। ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର’ ନାମକରଣ କରିଥିଲେ ଛାତ୍ରଛାତ୍ରୀ। ଯାହାର ସଂକ୍ଷିପ୍ତ ରୂପ ଥିଲା ‘ଅଜିତ’। ତାଙ୍କର ୩ ଝିଅ ଥିଲେ ହେଁ ପୁଅ ନଥିଲେ। ତେଣୁ ସେ କହୁଥିଲେ ସବୁ ଛାତ୍ର ମୋ’ ପୁଅ।

ସମ୍ବନ୍ଧିତ ଖବର