ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଳୋକା ମେହେଟ୍ଟା ଦ୍ବିତୀୟ ଥର ପାଇଁ ବାପାମାଆ ବନିଛନ୍ତି। ଆକାଶଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ୨୦୨୦ ମସିହାରେ ସେମାନଙ୍କ ପ୍ରଥମ ସନ୍ତାନ ପୃଥ୍ବୀ ଆକାଶ ଅମ୍ବାନୀ ଦୁନିଆକୁ ଆସିଥିବା ବେଳେ ଗତକାଲି ଅମ୍ବାନୀ ପରିବାରେ ଲକ୍ଷ୍ମୀ ପାଦ ରଖିଛନ୍ତି।
ଅମ୍ବାନୀ ପରିବାରର ଘନିଷ୍ଠ ଧନରାଜ ନଥୱାନି ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ବିଟ୍ ପୋଷ୍ଟ୍ରେ ଲେଖିଛନ୍ତି, ‘ରାଜକୁମାରୀର ଆଗମନ ପାଇଁ ଆକାଶ ଓ ଶ୍ଳୋକାଙ୍କୁ ଶୁଭେଚ୍ଛା। ଏହି ବହୁମୂଲ୍ୟ ଆଶୀର୍ବାଦ ଆପଣଙ୍କ ଜୀବନରେ ଅପାର ସୁଖ ଏବଂ ପ୍ରେମ ଆଣିଦେଉ।’
Heartiest congratulations to Akash and Shloka Ambani on the joyous arrival of their little princess! May this precious blessing bring immense happiness and love to your lives. pic.twitter.com/MXHdohoxqi
— Dhanraj Nathwani (@DhanrajNathwani) May 31, 2023
ନିକଟ ଅତୀତରେ ଶ୍ଳୋକାଙ୍କୁ ଶଶୁରଙ୍କ ସହ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହ ତାଙ୍କ ଶଶୁର ମୁକେଶ ଅମ୍ବାନୀ, ସ୍ବାମୀ ଆକାଶ ଏବଂ ପୁଅ ପୃଥ୍ବୀ ବି ନଜର ଆସିଥିଲେ। ଫଟୋରେ ମୁକେଶ ତାଙ୍କ ନାତି ପୃଥ୍ବୀଙ୍କୁ କାଖେଇ ଧରିଥିବା ବେଳେ ଜେଜେଙ୍କ କୋଳରେ ରହି ମୁକେଶଙ୍କ ନାତିଙ୍କ ଦୁଷ୍ଟାମୀ ଲୋକଙ୍କ ଓଠରେ ହସ ଆଣି ଦେଇଥିଲା।
ଆପଣ ଜାଣିଥିବେ ନିଶ୍ଚୟ ଯେ ଶ୍ଳୋକା ଓ ଆକାଶଙ୍କ ବିବାହ ୨୦୧୯ ମସିହାରେ ହୋଇଥିଲା। ତା’ପରେ ସେମାନଙ୍କର ପୁଅ ପୃଥ୍ବୀ ଜନ୍ମ ନେଇଥିଲା। ସେ ପୂରା ଅମ୍ବାନୀ ପରିବାରର ଗେହ୍ଲା। ତେବେ ଏବେ ଗେହ୍ଲା ହେବାକୁ ଅମ୍ବାନୀ ପରିବାରକୁ ଆଉ ଏକ କୁନି ପରୀ ମିଳିଯାଇଛି।