ତିରୋଧାନ ଦିବସ ଆଜି : ଅଖିଳ ମୋହନ ପଟ୍ଟନାୟକ

ଯଶସ୍ବୀ ଲେଖକ ଅଖିଳ ମୋହନ ପଟ୍ଟନାୟକ ୧୯୨୭ ମସିହା ଡିସେମ୍ବର ୧୮ରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ। ପିତା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ହାଇସ୍କୁଲ୍‍ର ପ୍ରଧାନ ଶିକ୍ଷକ। ଅଖିଳ ମୋହନ ଖୋର୍ଦ୍ଧା ହାଇସ୍କୁଲ୍‍ରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ। କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଡିଗ୍ରି ହାସଲ କରିବା ପରେ ଆଇନ ବୃତ୍ତିରେ ପ୍ରବେଶ କରିଥିଲେ। ଯୌବନରେ ସେ ବାମପନ୍ଥୀ ଆଦର୍ଶ ପ୍ରତି ଆକର୍ଷିତ ହୋଇ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ଆନ୍ଦୋଳନର ନେତୃତ୍ବ ନେଇ ଜେଲ୍‌ରେ ଥିବା ବେଳେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ‘ସପନ’ ଶୀର୍ଷକ ତାଙ୍କର ପ୍ରଥମ ଗଳ୍ପ ୧୯୪୮ରେ ପ୍ରକାଶିତ ହୋଇଥିଲା।

୧୯୬୪ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’। ସେ ଲେଖିଥିବା ସଂପୂର୍ଣ୍ଣ ଭିନ୍ନ ଧରଣର ଗଳ୍ପଗୁଡ଼ିକ ଆଧୁନିକ ଗଳ୍ପ ଜଗତ୍‍କୁ ଋଦ୍ଧିମନ୍ତ କରିଥିଲା। ୧୯୮୧ରେ ଗଳ୍ପ ସଂକଳନ ‘ଓ ଅନ୍ଧଗଳି’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଗଳ୍ପ ସଂକଳନ ‘ନଦୀର ନାମ ଗଣତନ୍ତ୍ର’, ‘ପ୍ରଥମ ଓ ଶେଷ’, ଭ୍ରମଣ ବୃତ୍ତାନ୍ତ ‘ଅନ୍ୟ ଦେଶ’, ଜୀବନୀ ସଂକଳନ ‘ବାଘରାଣୀ ଖଇରୀ’ ପ୍ରମୁଖ ତାଙ୍କର ଅନ୍ୟାନ୍ୟ ଲୋକପ୍ରିୟ ପୁସ୍ତକ। ୧୯୮୨ ମସିହା ନଭେମ୍ବର ଆଜି ଦିନରେ ଏହି ଲେଖକଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର